ଧୂମଧାମରେ ମା ବିରଜାଙ୍କ ମହାଷ୍ଟମୀ ପାଳିତ

ଯାଜପୁର: ପବିତ୍ର ଶାରଦୀୟ ଦୁର୍ଗାତ୍ସୋବ ଅବସରରେ ବିଭିନ୍ନ ଶକ୍ତିପୀଠରେ ଚାଲିଛି ମାଙ୍କ ଆବାହନ । ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ମହାଷ୍ଟମୀ ପାଳିତ ହୋଇଛି । ମହାଷ୍ଟମୀ ଅବସରରେ ମା ବିରଜାଙ୍କ  ପାଦ ସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ସେପଟେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଷୋଡଶ ଉପଚାରରେ ଭିନ୍ନ ଭିନ୍ନ ରୂପରେ ଶକ୍ତିପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଜୟଦୂର୍ଗା ରୁପେ ପୂଜା ପାଉଛନ୍ତି।  ଆଜି ମାଙ୍କ ପୀଠରେ ମହାଷ୍ଟମୀ ପାଳନ ହେଉଛି । ବଡି ଭୋରୁ ମାଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ବିଶ୍ବାସ ରହିଛି ମାଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ । ସେଥିପାଇଁ ମାଙ୍କ ପାଖରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା  । ସେପଟେ ପୂଜାର୍ଚ୍ଚନା ସହିତ ଶ୍ରଦ୍ଧାଳୁଙ୍କୁ ସନ୍ତୁଷ୍ଟ କରିବା ଲାଗି ସେବାୟତ ମାନେ ମଧ୍ୟ ଦେଖାଇଛନ୍ତି ତତ୍ପରତା ।

ବର୍ଷକରେ ଥରେ ସାଧାରଣ ଭକ୍ତଙ୍କୁ ମାଙ୍କ ପାଦ ସ୍ପର୍ଶ କରିବାର ସୁଯୋଗ ମିଳିଥାଏ । ସେଥିପାଇଁ ଦୂରଦୂରାନ୍ତରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଏଠାକୁ ଆସିବା ଲାଗି ଏହି ନବରାତ୍ରକୁ ହିଁ ଅପେକ୍ଷା କରି ରହିଥାନ୍ତି । ଏଥିସହିତ ଅପରାହ୍ନରେ ମାଙ୍କ ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କ ମନରେ ଅନେକ ଉତ୍ସାହ । ସେପଟେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଉଭୟ ପୋଲିସ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୁରୁଷ, ମହିଳା ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର ଧାଡି ସହିତ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ପୋଲିସ ମଧ୍ୟ ମୁତୟନ କରାଯାଇଛି ।

ନବରାତ୍ର ଅବସରରେ ହେଉଥିବା ମାଙ୍କ ରଥଯାତ୍ରା ଆସନ୍ତା କାଲି ଅର୍ଥାତ ମହାନବମୀରେ ଉଦଯାପିତ ହେବ । ମା ଲାଖବିନ୍ଧା ପଡିଆରେ ମହିଷାସୁରକୁ ବଦ୍ଧ କରି ଫେରିବା ପରେ ବିଜୟା ଦଶମୀ ଦିନ ବ୍ରାହ୍ମମୁହୁର୍ତ୍ତରେ ମାଙ୍କ ଚଳନ୍ତି ପ୍ରତିମା ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *