ମୌଳିକ ସୁବିଧାରୁ ବଞ୍ଚିତ ନୂଆଗୁଡା ଗ୍ରାମର ୮ ପରିବାର

Spread the love

ମାଲକାନଗିରି : ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତର ନୂଆଁଗୁଡା ଗ୍ରାମ। ପଞ୍ଚାୟତ ସଦରଠାରୁ ମାତ୍ର ୫ କି.ମି. ଓ ବ୍ଲକ ସଦରରୁ ୨୦ କି.ମି. ଦୂରରେ ରହିଛି। ଗ୍ରାମଟି ପ୍ରଥମେ କୁଡୁମୁଲୁଗୁମ୍ମା ଅଧୀନରେ ଥିଲା। ୨୦୧୭ରେ ସୋମନାଥପୁର ପଞ୍ଚାୟତ କୋରୁକୋଣ୍ଡା ବ୍ଲକରେ ସାମିଲ ହେଲା। ନୂଆଗୁଡା ଗ୍ରାମବାସୀ ପୂର୍ବରୁ କୁଡୁମୁଲୁଗୁମ୍ମା ଅଧୀନରେ ପ୍ରାୟ ୧୯ ବର୍ଷ ରହିଥିବା ବେଳେ ବର୍ତ୍ତମାନ କୋରୁକୋଣ୍ଡା ବ୍ଲକ ଅଧୀନରେ ୬ ବର୍ଷ ରହିଲେଣି। ନୂଆଗୁଡାରେ ରହୁଥିବା ୧୫ ପରିବାରକୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ ପ୍ରଶାସନ ବିଫଳ ହୋଇଛି। କୌଣସି ମୌଳିକ ସୁବିଧା ନ ପାଇବାରୁ ୭ ପରିବାର ଅନ୍ୟତ୍ର ଯାଇ ବସବାସ କରୁଛନ୍ତି। ବର୍ତ୍ତମାନ ଗ୍ରାମରେ ୮ଟି ପରିବାରର ୫୫ ଜଣ ବାସ କରୁଛନ୍ତି।

ଉକ୍ତ ଗ୍ରାମକୁ ଯିବାକୁ ହେଲେ ହାତୀଆମ୍ବ ଗ୍ରାମକୁ ଯାଇ ସେଠାରୁ ଜଙ୍ଗଲ ରାସ୍ତାରେ ଚାଲି ଚାଲି ୩ କି.ମି. ଗଲେ ପଡେ ନୂଆଗୁଡା ଗ୍ରାମ। ଏବେ ମଧ୍ୟ ରୋଗୀଙ୍କୁ ଭାରରେ ୩ କି.ମି. ବୋହି ହାତୀଆମ୍ବ ଗ୍ରାମକୁ ନେଲାପରେ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାକୁ ନେବାକୁ ପଡୁଥିବା କହିଛନ୍ତି ଗ୍ରାମବାସୀ। ୩ ମାସ ତଳେ ଗ୍ରାମର ଅଭି ଗୁଡିଆଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଭାରରେ ବୋହି ହାତୀଆମ୍ବ ପର୍ଯ୍ୟନ୍ତ ନିଆଯାଇଥିଲା। ପାହାଡ ଚଲା ରାସ୍ତାରେ ସେ ଗୋଟିଏ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ପରେ ସେଠାରୁ ଲକ୍ଷ୍ମୀଙ୍କୁ ଆତୀଆମ୍ବ ପର୍ଯ୍ୟନ୍ତ ନେଇ ସେଠାରୁ ଆମ୍ବୁଲାନ୍ସ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲୁ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ରାସ୍ତା ସମସ୍ୟା ନେଇ ବ୍ଲକ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ରାସ୍ତାକାମ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ର, ପରେ ଏହା ବନ୍ଦ ହୋଇଯାଇଥିଲା। ସେହିପରି ଏଯାଏ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ। ଗ୍ରାମରେ ବିଦ୍ୟୁତ୍ ବିଭାଗ ତାର ଟାଣି କିଛି ଦିନ ପକାଇ ରଖି ଏବ ୧୫ ଦିନ ତଳେ ଟ୍ରାନ୍ସଫର୍ମର ବସାଇଛି। ମାତ୍ର ଗ୍ରାମରେ କୌଣସି ପରିବାରକୁ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ୍ ସଂଯୋଗ ଦେଇନାହିଁ। ଗ୍ରାମବାସୀଙ୍କ ଜଳକଷ୍ଟ କଥା ମଧ୍ୟ ନ କହିବା ଭଲ। ଗ୍ରାମଠାରୁ ୧ କି.ମି. ଦୂରରେ ଥିବା ଏକ ଝରଣାରୁ ପାଣି ଗ୍ରାମବାସୀ ବ୍ୟବହାର କରୁଛନ୍ତି। ଅନେକ ଥର ଗ୍ରାମବାସୀ ଗ୍ରାମରେ ନଳକୂପଟିଏ ଖନନ ଲାଗି କହି ଆସୁଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ଵ ଦେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ କୋରୁକୋଣ୍ଡା ବିଡିଓ ବେଦବ୍ୟାସ ଭୋଇଙ୍କୁ ପଚାରିବାରୁ ସେ କହିଲେ, ଖୁବ୍ଶୀଘ୍ର ଉକ୍ତ ଗ୍ରାମର ରାସ୍ତା ସହ ଅନ୍ୟ ସମସ୍ୟା ସମାଧାନ କରିବାକୁ ସେ ପଦକ୍ଷେପ ନେବେ ।

Leave a Reply

Your email address will not be published. Required fields are marked *