ସରକାରୀ ସହାୟତା ଯୋଗାଇଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ବଣ୍ଡା ଛାତ୍ରୀ

Spread the love

ମାଲକାନଗିରି : ପାଠପଢା ଖର୍ଚ୍ଚ ତୁଲାଇବାକୁ ପଇସା ନାହିଁ। ମଜୁରି ଖଟୁଛନ୍ତି ପାଠ ପଢୁଆ ବଣ୍ଡା ଝିଅ । କରମା ମୁଦୁଲିଙ୍କ ପରେ ସରକାରୀ ସହାୟତା ପାଇଁ ନିବେଦନ କଲେ ଆଉ ଜଣେ ବଣ୍ଡାଘାଟିର ଛାତ୍ରୀ । ବଣ୍ଡାଘାଟିର ମେଧାବୀ ଝିଅ କର୍ମା ମୁଦୁଲି, ଯିଏକି ଯୁକ୍ତ ଦୁଇ ବାଣିଜ୍ଯରେ ଜିଲ୍ଲା ଟପ୍ପର ହୋଇଥିବା ବେଳେ ଦିନ ମଜୁରିଆ ଭାବେ କାମ କରୁଥିଲେ । ଗତ ମଇ ୩୦ରେ ତାଙ୍କ ସମ୍ପର୍କରେ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ସେହିଦିନ ହିଁ କରମାକୁ ଭୁବନେଶ୍ବର ପଢିବା ପାଇଁ ପଠାଇ ଦେଇଥିଲା ଜିଲ୍ଲା ପ୍ରଶାସନ । ତେବେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ କରମା ମୁଦୁଲିଙ୍କୁ ସହାୟତାର ହାତ ବଢ଼ାଇଲା ସତ କିନ୍ତୁ କରମାର ସହପାଠୀ ଯିଏ କି ତାଙ୍କରି ସହ ସେହି ଠିକାଦାରଙ୍କ କ୍ୟାମ୍ପରେ ଦିନ ମଜୁରିଆ କାମ କରୁଥିଲା ତାକୁ ଅଣଦେଖା କରିଥିଲା ଜିଲ୍ଲା ପ୍ରଶାସନ ।

ବଣ୍ଡାଘାଟିର ପଡେଇଗୁଡା ଗାଁର ଅନ୍ୟ ଜଣେ ବଣ୍ଡା ଛାତ୍ରୀ ସମିତା ମୁଦୁଲି । ତାଙ୍କ ବାପା ଶୁକ୍ରା ମୁଦୁଲି ଓ ମାଆ ଶୁକ୍ରି ମୁଦୁଲି । ସମିତା ଯୁକ୍ତ ୩ ବାଣିଜ୍ଯ ପ୍ରଥମ ବର୍ଷର ଛାତ୍ରୀ ଓ ହଷ୍ଟେଲରେ ରହି ପାଠ ପଢନ୍ତି । ସେ ଯୁକ୍ତ୨ରେ ୫୮ ପ୍ରତିଶତ ମାର୍କ ରଖି ପାସ କରିଥିଲେ । କଲେଜର ଖରାଛୁଟି ହେବାପରେ ନିଜ ଗାଁ ପଡେଇଗୁଡାକୁ ଆସିଥିଲେ । ତାଙ୍କ ଘରର ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ପାଠପଢା ଖର୍ଚ୍ଚ ତୁଲାଇବାକୁ ସମିତା ପଡୋଶୀ ସହପାଠୀ କରମାଙ୍କ ସହ ମାଲକାନଗିରି ସହରକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଇଥିଲେ । ସହରରେ ଏକ ଠିକା କମ୍ପାନୀର କ୍ୟାମ୍ପରେ ରହି ଦୁହେଁ ମଜୁରିଆ ଭାବେ କାମ କରି ଆସୁଥଲେ ।

ଏହି ସମୟରେ ଜିଲ୍ଲା ଟପ୍ପର କରମା ମୁଦୁଲିଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ତାଙ୍କୁ ସରକାରୀ ସହାୟତା ବି ମିଳିଥିଲା । ଏଣେ ଠିକା କମ୍ପାନୀର କ୍ୟାମ୍ପ ଓ କାମ ଚାଲୁଥିବା ଜାଗାକୁ ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଯିବାର ଦେଖି ଠିକାଦାର କରମାଙ୍କ ସହପାଠି ସମିତାଙ୍କୁ କାମରୁ ବାହାର କରିଦେଇଥିଲେ । ତେଣୁ ମଜୁରି ଲାଗି ପାଠପଢା ଖର୍ଚ୍ଚ ବହନ କରିବାକୁ ଚେଷ୍ଟା କରୁଥିବା ସମିତା ଏବେ ହତାଶ ହୋଇପଡିଛନ୍ତି । ସେ ଭବିଷ୍ୟତରେ ଜଣେ ଭଲ ଶିକ୍ଷୟିତ୍ରୀ ହେବାର ଲକ୍ଷ୍ୟ ରଖିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ କରମା ମୁଦୁଲିଙ୍କୁ ଯେଉଁଭଳି ସହାୟତା କରିଛି ତାଙ୍କୁ ବି ସେମିତି ସାହାଯ୍ୟ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଏହି ବଣ୍ଡା ଛାତ୍ରୀ। ବଣ୍ଡାଘାଟିରେ ଦୁଇଟି ପଞ୍ଚାୟତର ୩୨ଟି ଗାଁରେ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ବ ବଣ୍ଡା ଜନଜାତିର ଲୋକେ ବସବାସ କରନ୍ତି । ବଣ୍ଡା ଉନ୍ନୟନ ସଂସ୍ଥା ଦ୍ଵାରା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା କୁହାଯାଉଥିବା ବେଳେ ପ୍ରକୃତରେ ଏହା ଖର୍ଚ୍ଚ ହେଉଛି କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *