କେନାଲ ପାଣି ଅଭାବରୁ ରବି ଚାଷ ପ୍ରଭାବିତ , ୧୦ ହଜାର ବଦଳରେ ମାତ୍ର ୧୭ ଶହ ହେକ୍ଟର ହେଉଛି ଚାଷ

Spread the love

ମାଲକାନଗିରି : ଗତ ତିନି ବର୍ଷ ଧରି ବର୍ଷ ରବି ଫସଲ ଅମଳ ବେଳେ କେନାଲ ପାଣି ଅଭାବରୁ ରବି ଫସଲ ଅମଳ ହୋଇପାରୁ ନଥିବା ବେଳେ ଚାଷୀଙ୍କ ଜୀବନ ଜିବିକାରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି । ରବି ଚାଷ ବେଳେ ପୂର୍ବରୁ ୧୦ ହଜାର ହେକ୍ଟର ଚାଷ ଜମିରେ ଫସଲ କରାଯାଉଥିବା ବେଳେ ବର୍ତ୍ତମାନ ଏହା ୧୭ ଶହ ହେକ୍ଟରକୁ ଖସି ଆସିଛି । ଯାହା ମାଲାକନଗିରି ଜିଲ୍ଲା ପଡିଆ କୃଷି ବିଭାଗ ଅନ୍ତର୍ଗତ ବିଭିନ୍ନ ପଂଚାୟତରେ ଚାଷୀକୂଳର ବାସ୍ତବ ଚିତ୍ରକୁ ଦର୍ଶାଉଛି । ସୂଚନା ମୁତାବକ ପଡିଆ ଗୋଷ୍ଠୀ କୃଷି କାର୍ଯ୍ୟାଳୟ ଅନ୍ତର୍ଗତ ୧୦ ଟି ପଂଚାୟତରେ ଖରିଫ ଋତୁରେ ପ୍ରାୟ ୧୭ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମିରେ ଚାଷ କରାଯାଉଥିବା ବେଳେ ରବି ରୁତୁରେ ପ୍ରାୟ ୧୦ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମିରେ ଚାଷ ହୋଇଥାଏ । ଗତ ତିନିବର୍ଷ ଧରି କେନାଲ ପାଣି ଅଭାବରୁ ରବି ଚାଷ ଜମି କ୍ଷେତ୍ର କମିଯାଇ ୧୭ ଶହ ହେକ୍ଟର କୁ ଖସି ଆସିଥିବା ଜଣାପଡ଼ିଛି । ଅନ୍ୟପଟେ ଚଳିତ ବର୍ଷ ରବି ରୁତୁରେ ପଡିଆ ଲ୍ୟାମ୍ପ ପକ୍ଷରୁ ଜଣେ ବି ଚାଷୀ ତାଲିକାଭୁକ୍ତ କରାଇନଥିବାରୁ ବାଦାମ କିଣାଯାଇ ପାରିନାହିଁ । ଯାହା ରବି ଋତୁ ରେ ଚାଷୀଙ୍କ ଅବସ୍ଥାକୁ ସ୍ପଷ୍ଟ କରୁଛି । ଯାହାଫଳରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତ୍ତିଶଗଡ଼ ରାଜ୍ୟରେ ଦାଦନ ଖଟି ଦାନା ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ ବ୍ୟୟରେ ବାଲିମେଳା ଜଳ ଭଣ୍ଡାର ଉପରେ ନିର୍ମିତ ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ୭୬ କିଲୋମିଟର ଲମ୍ବି ରହିଥିବା ବେଳେ ସବ୍ କେନାଲ ଗୁଡିକ ଶତାଧିକ କିଲୋମିଟର ଲମ୍ବି ପଡିଆ ଓ କାଲିମେଳା ବ୍ଳକର ପ୍ରାୟ ୨୪ ଟି ପଂଚାୟତର ହଜାର ହଜାର ଚାଷୀଙ୍କ ଚାଷଜମିରେ ଜଳ ସେଚନ କରାଯାଇଛି । ତେବେ ଉପଯୁକ୍ତ ସମୟରେ ଚାଷୀ ପାଣି ପାଇବାରୁ ବଂଚିତ ହୋଇ ରହିବା ସହ ପଡିଆ ବ୍ଲକର ଆଠଟି ପଂଚାୟତରେ ପାଣି ପହଂଚି ପାରୁ ନଥିବାରୁ ଚାଷୀ ଏବେ ଆନ୍ଧ୍ର ମୁହାଁ ହୋଇ ଦାଦନ ପାଲଟିଲେଣି । ପ୍ରତ୍ୟକ ବର୍ଷ ଜଳ କର ସଂଗ୍ରହ କରାଯାଉଥିଲେ ମଧ୍ୟ ଚାଷୀ ପାଣି ପାଇବାରୁ ବଂଚିତ ହେବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ସ୍ରୁଷ୍ଟି କରୁଥିବା ବେଳେ ଆଗାମୀ ଦିନରେ ଏହା ଏକ ବଡ ଧରଣର ଆନ୍ଦୋଳନର ବସା ବାନ୍ଧିବ ବୋଲି ସାଧାରଣରେ କୁହାଯାଉଛି । ଅନ୍ୟପଟେ କୋଟି କୋଟି ଟଙ୍କା ଖର୍ଚ କରାଯାଇ ପ୍ରତ୍ୟକ ବର୍ଷ କେନାଲ ନିର୍ମାଣ ଓ ମରାମତି କାର୍ଯ୍ୟ ଚାଲୁଥିଲେ ମଧ୍ୟ ସଠିକ ସମୟରେ ଚାଷ ଜମିରେ ପାଣି ପହଂଚି ନପାରିବା ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରି ସ୍ଥିତିରେ ପଡିଆ କୃଷି ବିଭାଗ ଅଧୀନସ୍ଥ ବିଭିନ୍ନ ପଂଚାୟତରେ ଥିବା ଚାଷ ଜମିରେ ତୁରନ୍ତ ଜଳ ସେଚନ ବ୍ୟବସ୍ଥା କରିବା ପାଇଁ ଚାଷୀକୂଳ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *