ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପ୍ରକଳ୍ପଗୁଡ଼ିକର ଉଚ୍ଚସ୍ତରୀୟ ସମୀକ୍ଷା

ରାଜ୍ୟର ସହରାଞ୍ଚଳଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (MSBY) ଅଧୀନ ପ୍ରକଳ୍ପଗୁଡ଼ିକର ଆଜି ଗୃହନିର୍ମାଣ ଓ ନଗର ନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି।ଖାରବେଳ ଭବନରେ ଅନୁଷ୍ଠିତ ଉକ୍ତ ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ , ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ପୌର ସଂସ୍ଥା (ULBs) ଭିଡିଓ କନଫରେନ୍ସିଂ ମାଧ୍ୟମରେ ସଭାରେ ଅଂଶଗ୍ରହଣ କରିଥିଲେ।

ସମୀକ୍ଷାରୁ ପ୍ରକାଶ ଯେ ଚଳିତ ଆର୍ଥିକ ବର୍ଷ ପାଇଁ MSBY ପାଇଁ ₹୧,୨୦୦ କୋଟିର ବ୍ୟବସ୍ଥା କରାଯାଇଥିବାବେଳେ ଏପର୍ଯ୍ୟନ୍ତ ୬,୭୦୦ଟି ପ୍ରକଳ୍ପ ଅନୁମୋଦିତ ହୋଇଛି ଏବଂ ₹୭୯୬ କୋଟି ଅର୍ଥ ମଞ୍ଜୁର କରାଯାଇଛି। ମନ୍ତ୍ରୀ ଡ଼. ମହାପାତ୍ର ସମସ୍ତ ପୌରସଂସ୍ଥାକୁ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ତ୍ୱରାନ୍ୱିତ ହେବା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଳମ୍ବ ପ୍ରତି ଶୂନ୍ୟ ସହିଷ୍ଣୁତା ରହିବ ବୋଲି ସେ ସ୍ପଷ୍ଟ କରିଥିଲେ। ସେହିପରି ପ୍ରକଳ୍ପର ଗୁଣବତ୍ତାରେ କୌଣସି ପ୍ରକାର ସାଲିସ୍ ଗ୍ରହଣୀୟ ନୁହଁ ବୋଲି ସେ ଜୋର ଦେଇ କହିଥିଲେ, କାରଣ ଏହି ଯୋଜନା ସହରବାସୀଙ୍କ ଆକାଙ୍କ୍ଷା ପୂରଣ ଓ ସହରୀ ଢାଞ୍ଚାର ରୂପାନ୍ତର ପାଇଁ ଉଦ୍ଦିଷ୍ଟ।

ମନ୍ତ୍ରୀ କହିଥିଲେ ଯେ ULBs ମାନଙ୍କ ଦ୍ୱାରା ପ୍ରସ୍ତାବିତ ସମସ୍ତ ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ ସହ ଆବଶ୍ୟକ ଅର୍ଥ ସହାୟତା ମିଳିଛି। ତେଣୁ ଅନୁମୋଦନ ପର୍ଯ୍ୟାୟରୁ ସିଧାସଳଖ ତଳସ୍ତରରେ କାର୍ଯ୍ୟ ଆରମ୍ଭ କରିବାକୁ ସେ ପୌର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। MSBY ଅଧୀନରେ ମାନକ , ଡିଜାଇନ, ପ୍ରାଯୁକ୍ତିକ ମାନଦଣ୍ଡ ଓ ଉନ୍ନତ ନିର୍ମାଣ ଗୁଣବତ୍ତା ପାଳନ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।

ପ୍ରମୁଖ ସଚିବ ଶ୍ରୀମତୀ ପାଢ଼ୀ ଅଗ୍ରିମ ପରିକଳ୍ପନା, ଟିମ୍‌ୱର୍କ ଓ ବିଭାଗୀୟ ସମନ୍ୱୟ ଉପରେ ଜୋର ଦେଇ କହିଥିଲେ ଯେ, ଏହା ମାଧ୍ୟମରେ ସହରାଞ୍ଚଳ ଦୃଶ୍ୟମାନ ଉନ୍ନତି ସମ୍ଭବ ହେବ। ସେ ULBମାନଙ୍କୁ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ମଞ୍ଜୁରିପ୍ରାପ୍ତ ଅର୍ଥର ସମ୍ପୂର୍ଣ୍ଣ ସଦୁପଯୋଗ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ।

ରାଜ୍ୟ ସରକାର ସୁଚିନ୍ତିତ, ସମୟବଦ୍ଧ ଓ ଗୁଣବତ୍ତା ଭିତ୍ତିକ ସହରୀ ବିକାଶ ପ୍ରତି ନିଜ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ଏବଂ MSBY ଅଧୀନ ପ୍ରକଳ୍ପଗୁଡ଼ିକ ରାଜ୍ୟର ସମସ୍ତ ସହରବାସୀଙ୍କୁ ସ୍ପଷ୍ଟ ଓ ସ୍ଥାୟୀ ଲାଭ ପ୍ରଦାନ କରିବ ବୋଲି ଆଶା ପ୍ରକାଶ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *