କିଏ ହାତେଇବ ଅତାବିରା?

ବରଗଡ଼: ଅତାବିରାରେ ଜୋରଦାର ନିର୍ବାଚନୀ ପ୍ରଚାର । ଆସନ୍ତା ଏପ୍ରିଲ ତିନି ତାରିଖରେ ଅନୁଷ୍ଠିତ ହେବ ବରଗଡ଼ ଜିଲ୍ଲାର ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ଭୋଟ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜୁ ଜନତା ଦଳ ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀ ଗଣ ପ୍ରଚାର ଚଳାଇ ଥିବା ବେଳେ ସ୍ଥାନୀୟ ନେତା, କର୍ମୀଙ୍କୁ ନେଇ ନିଜର ଭୋଟ ପ୍ରଚାର ଚଳାଇଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ।

ଆସନ୍ତା ଏପ୍ରିଲ ତିନି ତାରିଖରେ ଏଠାରେ ଏନଏସି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ପାଇଁ ୱାର୍ଡରୁ ୱାର୍ଡ, ଘରକୁ ଘର ବୁଲି ଚାଲିଛି ନିର୍ବାଚନୀ ପ୍ରଚାର କରୁଛନ୍ତି ତିନି ରାଜନୈତିକ ଦଳର ପ୍ରାର୍ଥୀ ଓ ନେତା ମନ୍ତ୍ରୀ। । ଦଳୀୟ ସ୍ଲୋଗାନରେ ଫାଟି ପଡୁଛି ସମଗ୍ର ଅଞ୍ଚଳ । ଏପରି ଉଷ୍ଣତା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ଅତାବିରା ଠାରେ । ୧୨ ଗୋଟି ୱାର୍ଡ଼ ଏବଂ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଏଣୁ ହାତରେ ଖୁବ କମ ସମୟ ଥିବାରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କଲେଣି ବିଜେଡି, ବିଜେପି ଏବଂ କଂଗ୍ରେସ । ବିଜୁ ଜନତା ଦଳ ପକ୍ଷରୁ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରଚାର ମଙ୍ଗ ଧରିଥିବା ବେଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ରୀତା ସାହୁ ପ୍ରମୁଖ ଯୋଗ ଦେଇ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଏ ଅଞ୍ଚଳରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟ ଯୋଗୁଁ ବିଜେଡି ଏଠାରେ ପୁଣି ରିପିଟ କରିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ନାୟକ ।

ଅନ୍ୟପଟେ ଏନଏସି ଗଡ଼କୁ ଥରେ ହାତେଇଥିବା କଂଗ୍ରେସ ଦଳ ପୁଣିଥରେ  ହାତେଇବା ପାଇଁ ଆଶା କରୁଛି । ପ୍ରଚାରରେ ବଡ଼ ନେତା ସାମିଲ ହୋଇ ନଥିଲେ ମଧ୍ୟ ସ୍ଥାନୀୟ ନେତାଗଣ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର ଚଳାଇଛନ୍ତି । ଏଥିପାଇଁ ବିଜେଡି ଦଳ ପକ୍ଷରୁ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ଅସ୍ତ୍ର କରି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ସେହିପରି ପ୍ରଥମଥର କରି ଗଡ଼ ହାତେଇବା ପାଇଁ ଆଶା ବାନ୍ଧିଛି ବିଜେପି । ସବୁ ଯୋଜନାରେ ଦୁର୍ନୀତି, ବିକାଶ ଅଭାବକୁ ମୁଦ୍ଦା କରି ନିଜର ଭୋଟ ପ୍ରଚାର ଚଳାଇଛି  । ଗତ ସାଧାରଣ ନିର୍ବାଚନରେ ନିଜର ଭୋଟ ପ୍ରତିଶତ ବୃଦ୍ଧି ଘଟିଥିବା ଆଶା ନେଇ ଗଡ଼ ହାସଲର ଆଶା କରୁଛି ବିଜେପି ।

ପୂର୍ବରୁ ଥରେ କଂଗ୍ରେସ ଏବଂ ଥରେ ବିଜେଡି ହାତକୁ ଯାଇଥିବା ଅତାବିରା ଗଡ଼ ଏଥର କିଏ ହାସଲ କରୁଛି ତାହା ଜନତାଙ୍କ ଉପରେ ରହିଛି ।

ଧ୍ରୃବ କର୍ମୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *