ଓଡ଼ିଶାଜାତୀୟରାଜନୀତି

ବାସ୍ତବରେ ନବୀନ ରୋଲ ମଡେଲ!

() ବିଶ୍ୱକପ୍ ହକି ଲାଗି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ.ରଙ୍ଗାସ୍ୱାମୀଙ୍କୁ ବି ନିମନ୍ତ୍ରଣ ହୋଇଛି। ତେବେ ରଙ୍ଗାସ୍ୱାମୀ ଯେଉଁ ଗେଟଅପରେ ଥିଲେ, ତାକୁ ନେଇ ସବୁଠି ଚର୍ଚ୍ଚା। ରାଜ୍ୟର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯାହାକୁ ନିମନ୍ତ୍ରଣ କଲେ, ସେ ମୁଖ୍ୟମନ୍ତ୍ରୀ ଏତେ ସରଳ କେମିତି। ବେଶପୋଷାକ, ପରିପାଟିକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ କାହିଁକି ଏମିତି ଚର୍ଚ୍ଚା, ଆସନ୍ତୁ ଦେଖିବା ଏହି ରିପୋର୍ଟରେ। ଆଉ ରଙ୍ଗାସ୍ୱାମୀଙ୍କ ସହ ନବୀନ ଏ ସବୁ ଦିଗରୁ ତୁଳନୀୟ କି। ଏମିତି ଏକ ଚର୍ଚ୍ଚା ଜୋର ଧରିଛି ସୋସିଆଲ ମିଡ଼ିଆରେ।

ଏନ.ରଙ୍ଗାସ୍ୱାମୀ। ପୁରା ନାଁ ନାତେସାନ କ୍ରିଷ୍ଣମୂର୍ତ୍ତି ରଙ୍ଗାସ୍ୱାମୀ। ପୁଡୁଚେରୀର ମୁଖ୍ୟମନ୍ତ୍ରୀ। ବୟସ ୭୨। ହେଲେ ଓଡ଼ିଶାରେ କାହିଁକି କେଜାଣି ଏହି ମୁଖ୍ୟମନ୍ତ୍ରୀଙ୍କୁ ନେଇ ଗଲା ତିନି ଦିନ ହେଲା ବେଶ୍ ଚର୍ଚ୍ଚା। ଆଉ ଏହାର ଉତ୍ତର ହେଉଛି ଏହି ଫଟୋ ଓ ଭିଡ଼ିଓ। ବିଶ୍ୱକପ୍ ହକି ପାଇଁ ଓଡ଼ିଶାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଅବସରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯାଇଥିଲେ ପୁଡୁଚେରୀ। ହେଲେ ମୁଖ୍ୟମନ୍ତ୍ରୀ ଖାଲି ଦେହରେ, ଲୁଙ୍ଗି ପିନ୍ଧି ଆସିଥିଲେ ନିମନ୍ତ୍ରଣ କାର୍ଡ ନେବାକୁ। ନିମନ୍ତ୍ରଣ କାର୍ଡ ଦେଖିବା ସମୟରେ ଅତିଥି ଅତନୁଙ୍କୁ ତାଙ୍କର କର୍ମଚାରୀ ଷ୍ଟିଲ୍ ଥାଳି ଉପରେ ଚା କପ୍‌ ରଖି ଦେବାକୁ ଆସିଥିଲେ। ତାଙ୍କ ବାସଭବନର ଆସବାବପତ୍ର ବି ସେମିତି ଆଖିଦୃଶିଆ ନଥିଲା। ପୁଡ୍ଡୁଚେରୀର ୪ ଥରର ମୁଖ୍ୟମନ୍ତ୍ରୀ ରଙ୍ଗାସ୍ୱାମୀ। ପୂର୍ବରୁ କଂଗ୍ରେସରେ ଥିଲେ। ୨୦୧୧ରେ ନିଜ ଦଳ ଗଢ଼ି ଏନଡିଏରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ରଙ୍ଗାସ୍ୱାମୀ ସାଧାରଣ ଜୀବନଯାପନ କରନ୍ତି। ଅଫିସ ଗଲେ ବି କୌଣସି ପ୍ରୋଟୋକଲରେ ଯାଆନ୍ତିନି। ଆଶ୍ଚର୍ଯ୍ୟର କଥା ମଟର ସାଇକେଲରେ ଅଫିସ ଯିବା ଆସିବା କରନ୍ତି। ଯିଏ ଆସିଲେ ନିର୍ବିଘ୍ନରେ ଦେଖା କରିପାରନ୍ତି।

ସେପଟେ ଏଭଳି ସରଳ ଜୀବନଯାପନର ଚିତ୍ର ଦୃଶ୍ୟପଟ୍ଟକୁ ଆସିବା ପରେ ସୋସିଆଲ ମିଡିଆରେ ଯେତିକି ବାହାବା। ସେତିକି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରଳ ଜୀବନଶୈଳୀ ସାଙ୍ଗକୁ ବାସ୍ତବରେ ସମସ୍ତଙ୍କ ଲାଗି ନବୀନ ନିବାସ ଏମିତି ଖୋଲା କି ବୋଲି ଆଉ ଏକ ପୁରୁଣା ଚର୍ଚ୍ଚା ସମାନ୍ତରାଳ ଜୋର ଧରିଛି। ଧଳା ପାଇଜାମା, କୋହ୍ଲାପୁରୀ ଚପଲ ପିନ୍ଧି ସରଳ ଜୀବନଶୈଳୀକୁ ନେଇ ନବୀନ ବେଶ୍ ଚର୍ଚ୍ଚିତ। ଏପରିକି ବିରୋଧୀ ବି ତାଙ୍କ ଜୀବନ ଶୈଳୀ ଅନନ୍ୟ ଓ ଆଦର୍ଶ ବୋଲି କହିବାକୁ ପଛାଇନଥାଆନ୍ତି। ରାଜନେତାଙ୍କ ଲାଗି ନବୀନ ଏକ ରୋଲ ମଡେଲ୍ ବୋଲି କୁହନ୍ତି।

ହେଲେ ମୋ ଦ୍ୱାର ସମସ୍ତଙ୍କ ଲାଗି ଖୋଲା ବୋଲି କହୁଥିବା ନବୀନ ନିବାସ କିନ୍ତୁ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବଳୟରେ। ବିନା ହେଲିକେପ୍ଚରରେ ଦୂରକୁ ଯିବା ମୁସ୍କିଲ। ସେଥିଲାଗି ତ ନବୀନ ନିବାସରୁ କଟକ ରେଭେନ୍ସା ୟୁନିଭରସିଟିକୁ ଚୋପରରେ ଯାଇଥିଲା ବେଳେ ବିରୋଧୀଙ୍କ କଡ଼ା ସମାଲୋଚନାର ଶୀକାର ହୋଇଥିଲେ। କିଭଳି ରାଜ୍ୟ ରାଜକୋଷରୁ ଅର୍ଥ ଅପବ୍ୟୟ ହେଉଛି କହି ବିରୋଧୀ ତୀର ମାରିଥିଲେ। ସେତେବେଳେ ଘଣ୍ଟାକୁ ଚୋପର ଭଡ଼ା ୬୦ହଜାରରୁ ୯୦ହଜାର ଲାଗୁଥିଲା।

ଗୋଟିଏ ପଟେ ନାତେସାନ। ଅନ୍ୟପଟେ ନବୀନ। ଉଭୟ ରାଜ୍ୟର ଶାସନ ମଙ୍ଗ ଧରିଛନ୍ତି ଦୀର୍ଘ ବର୍ଷରୁ। ଉଭୟଙ୍କ ଜୀବନ ଶୈଳୀ ବି ସରଳ। କିନ୍ତୁ ନାତେସାନ ଯେଭଳି ଲୋକଙ୍କୁ ଭେଟିବାକୁ ଆଗଭର। ସେମିତି ନବୀନ କି। ବୋଧହୁଏ ନୁହନ୍ତି। ଅବଶ୍ୟ ନବୀନ ନିବାସକୁ ସମୟେ ସମୟେ ଆସୁଥିବା ଦଳୀୟ କର୍ମୀଙ୍କ ସହ ଭେଟଘାଟ, ତା ପୁଣି ଫଟୋ ସେସନ ଲାଗି କୁଆଡ଼େ ଉଦ୍ଦିଷ୍ଟ ବୋଲି ସମାଲୋଚକ ଓ ନିନ୍ଦୁକ କୁହନ୍ତି। କିନ୍ତୁ ନବୀନ ବି ସ୍ପଷ୍ଟ କରିଛନ୍ତି, ଓଡ଼ିଶା ବିକାଶ ଲାଗି ନିରନ୍ତର ଓ ଅକ୍ଳାନ୍ତ ପରିଶ୍ରମରୁ ସେ ଜନତାର ଅକୁଣ୍ଠ ସମର୍ଥନ ପାଇଆସୁଛନ୍ତି। କଥା କମ୍ , କାମ ବେଶୀ ଫଣ୍ଡାରେ ବିଶ୍ୱାସ କରନ୍ତି ନବୀନ।

ସରଳ ଜୀବନଶୈଳୀ ଯେମିତି ଉଭୟ ନବୀନ ଓ ନାତେସାନଙ୍କ ହାତରେ କ୍ଷମତାର ଡୋରି ଧରାଇବାରେ ଜନତାଙ୍କ ଭରସା ବଢୁଛି। କିନ୍ତୁ ଜନତା-ସରକାର ଭିତରେ କିଏ ଦୂରତା ବଢାଇଛି ଆଉ କିଏ କମାଇଛି, ଜଳଜଳ କରି ଦିଶୁଛି।

ପ୍ରଦୀପ ନାୟକ

Leave a Reply

Your email address will not be published.

Back to top button