ନବୀନଙ୍କୁ ପାଗଳ କରି ରଖାଯାଇଥିଲା। ମେଡିସିନ୍ ଦେଇ ପାଣ୍ଡିଆନ୍ ପୁରା କବଜା କରି ରଖିଥିଲେ। ମେଡିସିନ୍ ପ୍ରଭାବରେ ନବୀନ କିଛି ଜାଣିପାରୁନଥିଲେ। ଅନେକ ବିଚଳିତ କଲା ଭଳି ହରକତ୍ କରୁଥିଲେ ତ କେତେବେଳେ ହାତ ଗୋଡ଼ ଥରୁଥିଲା। କାଗଜ ଖଣ୍ଡେ ଧରି ପଢ଼ିପାରୁନଥିଲେ। ଫ୍ଲାଇଂ କିସ୍ ଦେଉଥିଲେ, ଆଖି ମାରୁଥିଲେ। କିନ୍ତୁ ଏବେ ନବୀନ କେମିତି ପୁରା ଫିଟ୍ ହୋଇଗଲେ। ସମସ୍ତଙ୍କ ସହ ସୁନ୍ଦର ଭାବେ ମିଶୁଛନ୍ତି। କଥା ବି ହେଉଛନ୍ତି। ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି ଭଲ ହୋଇଛି। ନଚେତ୍ ଆହୁରି ଅବସ୍ଥା ବିଗାଡ଼ି ଦେଇଥାଆନ୍ତେ ପାଣ୍ଡିଆନ୍। ଏଭଳି ସଙ୍ଗୀନ ଆରୋପ ଲଦିଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା। ପାଣ୍ଡିଆନଙ୍କୁ ନେଇ ପଦ୍ମଙ୍କ ଏଭଳି ଆରୋପକୁ ନେଇ ଚିହିଁକି ଉଠିଛି ବିଜେଡି। କଂଗ୍ରେସରୁ ବିଜେପିକୁ ଆମଦାନୀ ନେତା ପଦ୍ମଲୋଚନଙ୍କ ଅସ୍ତିତ୍ୱକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ମନ୍ତ୍ରୀ ହେବା ଆଶାରେ ଏମିତି ଗପୁଛନ୍ତି। ବୟସ ହେଲେ ହାତ ଥରିବ। ପାଣ୍ଡିଆନ୍ ନବୀନଙ୍କୁ ଔଷଧ ଦେବା କଥା କେବେ ଦେଖିଲେ ପଦ୍ମଲୋଚନ। ନବୀନ ପଟ୍ଟନାୟକ କଅଣ ଛୋଟ ଘରର ଲୋକ ଯେ, ତାଙ୍କ ସ୍ୱାସ୍ଥ୍ୟପରୀକ୍ଷା ପାଇଁ କମିଟି ବସିବ। ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କ୍ଷମତାକୁ ଆସିବା ଆଗରୁ ବିଜେପି କହୁଥିଲା, କ୍ଷମତାକୁ ଆସିଲେ ସରକାର କମିଟି କରିବେ। ପ୍ରଧାନମନ୍ତ୍ରୀ ବି ନିର୍ବାଚନ ପ୍ରଚାର ବେଳେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପଛରେ ବଡ଼ ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲେ। ନବୀନ କହିଥିଲେ, ବିଜେପି ତୁଛା ଗୁଜବ କରୁଛି। ସେ ପୁରା ଫିଟ୍ ଓ ଫାଇନ୍ ବୋଲି କହିଥିଲେ। କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି। ଅମିତ ଶାହା, ହିମନ୍ତ ବିଶ୍ୱଶର୍ମା ବି ନବୀନଙ୍କ ସ୍ୱାସ୍ଥ୍ୟ ଓ ପାଣ୍ଡିଆନଙ୍କ ଷଡ଼ଯନ୍ତ୍ରକୁ ଆକ୍ଷେପ କରିଥିଲେ। କ୍ଷମତାକୁ ଆସିବା ପରେ ବିଜେପି ସରକାର କମିଟି ତ ଏଯାଏଁ କଲେନି। କିନ୍ତୁ ନବୀନଙ୍କ ଫିଟନେସକୁ ନେଇ ରାଜନୀତିକ ବୟାନବାଜି ଭିତରେ କେଉଁଠି ନା କେଉଁଠି ନବୀନ- ପାଣ୍ଡିଆନ ଯୋଡ଼ିକୁ ଟାର୍ଗେଟ ସହ ଚର୍ଚ୍ଚା ଭିତରେ ରଖିବାକୁ ଚାହୁଁଛି କି ବିଜେପି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା।


Naxatra News is now on Whatsapp
Join and get latest news update delivered to you via whatsapp
Join Now