ଓଡ଼ିଶା

ନବୀନଙ୍କ ମନ୍ତ୍ରିମଣ୍ଡଳର ହେଲା ସଂପ୍ରସାରଣ, 3 ନୂଆ ମନ୍ତ୍ରୀ ହେଲେ ସାମିଲ         

ଭୁବନେଶ୍ବର : ବହୁ ପ୍ରତୀକ୍ଷିତ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ଆଜି ସଂପ୍ରସାରଣ ହୋଇଛି । ସୋମବାର ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି |

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତିନିଜଣ ମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମନ୍ତ୍ରୀ, ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ |

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରାଯିବା ଓ ପରେ ଗତ ୧୨ ତାରିଖରେ ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ତିନୋଟି ସ୍ଥାନ ଖାଲି ହୋଇଥିଲା ।

ଗତ 12 ତାରିଖ ଦିନ ବିକ୍ରମ କେଶରୀ ଆରୁଖ ମଧ୍ୟ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ସେତେବଳେ ତାଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ପୁଣି ଥରେ ନିଆ ଯିବ ବୋଲି ଅନୁମାନ କରାଯାଉଥିଲା ।

ଆଜି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ତିନି ଜଣ ପୂର୍ବରୁ ନବୀନ ପଟ୍ଟନାୟକ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ବିକ୍ରମ କେଶରୀ ଆରୁଖ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଲଗାତର ୬ ଥର ବିଜୟୀ ହୋଇ ଆସୁଛନ୍ତି । ସେ ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ। ଗତ ବର୍ଷ ଜୁନ୍ ମାସରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। ସେତେବେଳେ ଏବେ ପୁଣି ଥରେ ତାଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ।

ସେହିପରି ଝାରଖଣ୍ଡ ମୁକ୍ତି ମୋର୍ଚାରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ସୁଦାମ ମାରାଣ୍ଡି 2014 ଓ 2019 ମସିହାରେ ବିଜେଡି ଟିକେଟରେ ମୟୁରଭଂଜ ଜିଲ୍ଲାର ବାଙ୍ଗିରିପୋଶୀ ଆସନରୁ ବିଜୟୀ ହୋଇଛନ୍ତି । ଏହା ପୂର୍ବରୁ ସେ ନବୀନ ସରକାରରେ ରାଜସ୍ୱ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ସାରିଛନ୍ତି । ରାଉରକେଲାରୁ ବିଧାୟକ ସାରଦା ନାୟକ ମଧ୍ୟ ପୂର୍ବରୁ ନବୀନ ସରକାରରେ ମନ୍ତ୍ରୀ ରହି ସାରିଛନ୍ତି ।

Leave a Reply

Your email address will not be published.

Back to top button