କପା ବିକ୍ରି ପାଇଁ ନାହିଁ ବଜାର

() କୃଷି ଭିତ୍ତିକ ବୌଦ୍ଧ ଜିଲ୍ଲାରେ ଧାନ ପରେ କପା ହେଉଛି ଅର୍ଥକାରୀ ଫସଲ । ଗତ ଦଶ ବର୍ଷ ମଧ୍ୟରେ ଜିଲ୍ଲାରେ ଧୀରେ ଧୀରେ କପା ଚାଷର ମାତ୍ରା ବୃଦ୍ଧି ହେଉଥିବା ବେଳେ ଉତ୍ପାଦନ ମଧ୍ୟ ବେଶ ଭଲ ହେଉଛି। ହେଲେ ଉତ୍ପାଦିତ କପାର ବିକ୍ରି ପାଇଁ ଜିଲ୍ଲାରେ ନାହିଁ କପାମଣ୍ଡି । ଫଳରେ ବିକ୍ରି ପାଇଁ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି ଚାଷୀ ।

ବିଭିନ୍ନ ଅର୍ଥକାରୀ ଫସଲ ମଧ୍ୟରେ ଅନ୍ୟତମ ହେଉଛି କପା ଚାଷ । ପଶ୍ଚିମ ଓଡ଼ିଶାରେ କପା ଚାଷ ବହୁଳ ମାତ୍ରାରେ ହେଉଥିବା ବେଳେ, ବୌଦ୍ଧ ଜିଲ୍ଲାରେ ହେଉଥିବା କପାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ତେଣୁ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ବହୁଳ ଭାବରେ କପା ଚାଷ ହୁଏ । ବଘିଆପଡା ,ଶଗଡା, ଗୁଣ୍ଡୁଲିଆ, ଲୁଣିବାହାଲ, କଣ୍ଟାମାଳ ଆଦି ଅଞ୍ଚଳରେ ଏକର ଏକର ଜମିରେ ଚାଷୀମାନେ କପା ଚାଷ କରିଛନ୍ତି । ଏହା ଏକ ଲାଭ ଜନକ ଫସଲ ହୋଇଥିବାରୁ  ବିଗତ ୧୦ବର୍ଷ ମଧ୍ୟରେ ଅଞ୍ଚଳରେ ବଢ଼ିଛି କପା ଚାଷ । ଚଳିତ ବର୍ଷ ଭଲ ବର୍ଷା ପାଇଁ କପାଚାଷ ମଧ୍ୟ ଭଲ ହୋଇଥିବା ବେଳେ ଅମଳ ମଧ୍ୟ ଭଲ ହୋଇଛି ବୋଲି ଚାଷୀମାନେ କହିଛନ୍ତି ।

ସାଧାରଣ ଜୁନ, ଜୁଲାଇରୁ ଚାଷୀ କପା ଚାଷ ଆରମ୍ଭ କରିଥିବା ବେଳେ ଡିସେମ୍ବର ଜାନୁଆରୀ ମାସରେ ଅମଳ କରିଥାନ୍ତି । ଜିଲ୍ଲାରେ କପା ଚାଷ ବଢିଥିଲେ ବି ଅମଳ ପରେ ବିକ୍ରି ପାଇଁ ନାହିଁ ବଜାର ସୁବିଧା । ଫଳରେ ଉତ୍ପାଦିତ କପାକୁ ବିକ୍ରି ପାଇଁ ଚାଷୀମାନେ ବାଧ୍ୟହୋଇ ବର୍ଷ ଯାକର ପରିଶ୍ରମକୁ କମ ଦରରେ ଦଲାଲ ହାତକୁ ଟେକି ଦିଅନ୍ତି । ଆଉ ରାଜ୍ୟ ବାହାର ଦଲାଲ କପାକୁ ଶାଗମାଛ ଦରରେ କିଣି ନେଉଥିବା ଦେଖିବାକୁ ମିଳୁଛି । ଯଦି ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ କପା ଚାଷ ପାଇଁ ପ୍ରୋତ୍ସାହନ ରାଶି ସହ ବଜାର ଓ ମଣ୍ଡିର ବ୍ୟବସ୍ଥା କରାଗଲେ ଜିଲ୍ଲା କପାଚାଷ ର ହବ ହେବା ସହ ଚାଷୀମାନେ ଭଲ ଦୁଇ ପଇସା ଲାଭ ପାଆନ୍ତେ ବୋଲି ବୁଦ୍ଧିଜୀବୀ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *