ବିଧାୟକ ବାଛିବେ ନୂଆପଡ଼ା ଭୋଟର..

ରାତି ପାହିଲେ ନୂଆପଡ଼ା ଭୋଟ୍। ଭୋଟ୍ ଦେବେ ନୂଆପଡ଼ାର ଅଢ଼େଇ ଲକ୍ଷ ଭୋଟର। ବୁଥ୍ ଅଭିମୁଖେ ବାହାରିସାରିଲେଣି ପୁଲିଂ ପାର୍ଟି। ସମ୍ୱେଦନଶୀଳ ୮ଟି ବୁଥକୁ ବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟରରେ ବାହାରିଥିଲେ ପୁଲିଂ ଅଧିକାରୀ ଓ କର୍ମଚାରୀ। ପୁଲିଂ ପାର୍ଟି ୨ଟି ସ୍ୱତନ୍ତ୍ର ହେଲିକେପ୍ଟରରେ ଗୋତମା ଏୟାରପୋର୍ଟରୁ ବାହାରିଥିଲେ। ଅପରାହ୍ନ ୫ଟା ଯାଏ ଭୋଟିଂ ପ୍ରକ୍ରିୟା ଜାରି ରହିବ। କିନ୍ତୁ ସମ୍ୱେଦନଶୀଳ ବୁଥରେ ୪ଟା ଯାଏଁ ଭୋଟଗ୍ରହଣ ହେବ। ସଶସ୍ତ୍ର ସୁରକ୍ଷା ବାହିନୀଙ୍କ କଡ଼ା ପ୍ରହରାରେ ଭୋଟ୍ ହେବ। ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ମାଓପ୍ରବଣ ୮ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି। ନୂଆପଡ଼ା ଜିଲ୍ଲାପାଳ ଗୋଟିଏ ଟ୍ରକ୍ ଲୋଡ୍‌ ଇଭିଏମ ଗଞ୍ଜାମରୁ ଆଣି ଲୁଚାଇଥିବାର ବିଜେଡି ଆରୋପକୁ ଖଣ୍ଡନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। କୌଣସି ଇଭିଏମ ବାହାରୁ ଆସିନି। ଗୋଟେ ଟ୍ରକ୍ ଇଭିଏମ୍ ଆଣିବା ସମ୍ଭବପର ନୁହେଁ। ନିର୍ବାଚନ କମିଶନ କଠୋର ଅଛନ୍ତି। ଇଭିଏମ୍ ବିରୁଦ୍ଧରେ କୌଣସି ଅଭିଯୋଗ କୋର୍ଟରେ ପ୍ରମାଣିତ ହୋଇନି। ସାଇଲେଣ୍ଟ ଆଓ୍ୱାରରେ ଟଙ୍କା ବଣ୍ଟାର ବି କୌଣସି ଅଭିଯୋଗ ସିଇଓଙ୍କ ପାଖକୁ ଆସିନି। ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ସୁରୁଖୁରୁରେ ସାରିବାକୁ ପ୍ରତିବଦ୍ଧ ନିର୍ବାଚନ କମିଶନ ବୋଲି କହିଛନ୍ତି ସିଇଓ ଆର.ଏସ.ଗୋପାଳନ। ଏହାକୁ ନେଇ ବିଜେଡି କହିଛି, ନୂଆପଡ଼ାରେ ଇଭିଏମ୍ କମିଶନିଂ ପରେ ଆଉ ଗୋଟେ ଟ୍ରକ୍ କିଭଳି ଗଲା। ଜିଲ୍ଲାପାଳ, ଏସପି ଓ ହିମାଂଶୁ ଲାଲ୍ ସରକାରୀ ଦଳ ପାଇଁ କାମ କରୁଛନ୍ତି।୩୨ ବୁଥରେ ଗୁଣ୍ଡାଗର୍ଦ୍ଦି କରି ବିଜେପି ଭୋଟ ହାତେଇବାକୁ ଯୋଜନା କରୁଛି। ସିସିଟିଭିକୁ ଆଧାର ନ କରି ବିଜେଡି ଅଭିଯୋଗର ଆଶଙ୍କା ଦୂର କରନ୍ତୁ କମିଶନ। ନିର୍ବାଚନ ଅଧିକାରୀ ଅଭିଯୋଗକୁ ଗୁରୁତର ସହ ନେବା ଜରୁରୀ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଓ ସାଂସଦ ସୁଲତା ଦେଓ। ସେପଟେ ନୂଆପଡ଼ାରେ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ୍ କରିଛନ୍ତି ତୁଙ୍ଗ ନେତାଏ। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ଲାଗି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଲି, ରୋଡ୍ ସୋ ସାଙ୍ଗକୁ ସାଧାରଣ ସଭାରେ ସାମିଲ୍ ହୋଇ ୨ ଥର ପ୍ରଚାର କମାଣ୍ଡ ସମ୍ଭାଳିଥିଲେ। ନୂଆପଡ଼ାର ୮ ଜୋନକୁ ଜଗିଥିଲେ ୮ ମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପରେ ପୁରା ନୂଆପଡ଼ାର ଦାୟିତ୍ୱ ଦେଇଥିଲେ ଶୀର୍ଷ ନେତୃତ୍ୱ। ସେପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ନବୀନ ବି ଦୁଇ ଥର ସଭା ଓ ରୋଡ ସୋ କରିଛନ୍ତି। ୨୪ ନିର୍ବାଚନ ଭଳି ନୂଆପଡ଼ା ଉପନିର୍ବାଚନରେ ବବି, ଅରୁଣ, ସଞ୍ଜୟଙ୍କ ଭଳି ତୁଙ୍ଗ ନେତାଙ୍କ କାନ୍ଧରେ ନିର୍ବାଚନର ଭାର ଦେଇଥିଲେ ନବୀନ। ଦେବୀ, ପ୍ରସନ୍ନଙ୍କ ଭଳି ବରିଷ୍ଠଙ୍କ ଉପରେ ଥିଲା ପୁରା ପରିଚାଳନା ଦାୟିତ୍ୱ। ଘାସିରାମ ମାଝୀଙ୍କ ଲାଗି ଆରମ୍ଭରୁ ନୂଆପଡ଼ାରେ ଡେରା ପକାଇ ପିସିସି ସଭାପତି ଭକ୍ତ ଦାସ ପ୍ରଚାରର କମାଣ୍ଡ ଧରିଥିଲେ। ଭକ୍ତଙ୍କ ହାଇଭୋଲଟେଜ କ୍ୟାମ୍ପେନ ଆରମ୍ଭରୁ ପ୍ରଭାବଶାଳୀ ବିବେଚିତ ହୋଇଆସୁଥିଲା। ଘାସିରାମ ଯେହେତୁ ଗଲା ନିର୍ବାଚନରେ ୫୦ହଜାରରୁ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ,ଏଥର ଏକ ନମ୍ୱର ତଥା ବିଜୟୀ କରିବାକୁ ଅଣ୍ଟା ଭିଡ଼ିଛି ପୁରା କଂଗ୍ରେସ ଟିମ୍‌। ଏଭଳି ହାଇଭୋଲଟେଜ୍ ପ୍ରଚାର ପରେ କାହା ପ୍ରତି ଜନତାଙ୍କ ମୁଡ୍ ଢଳିବ, ତା ଉପରେ ରହିଛି ନଜର। କିନ୍ତୁ ୩ ପ୍ରମୁଖ ଦଳ ଶେଷ ମୂହୂର୍ତ୍ତ ଯାଏଁ ଜନତାଙ୍କ ଆସ୍ଥାଭାଜନ ହୋଇ ଜିତାପଟ୍ଟର ମୁକୁଟ କେମିତି ପିନ୍ଧିବେ, ସେ ନେଇ ସୋସିଆଲ ମିଡିଆ ଓ ଭିଡ଼ିଓ ସନ୍ଦେଶରେ ପ୍ରୟାସ ଜାରି ରଖିଛନ୍ତି। ତେବେ ପରସ୍ପର ବିରୁଦ୍ଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗର ପର୍ବ ଆଜି ବି ବଜାୟ ରହିଛି। ନୂଆପଡ଼ାରେ ବୁଥ୍ ପ୍ରସ୍ତୁତ। ଭୋଟର ବି ପ୍ରସ୍ତୁତ। ଦୀର୍ଘ ଦିନ ଧରି ପ୍ରଚାରରେ କମ୍ପୁଥିବା ନୂଆପଡ଼ା ମୈଦାନ ନୀରବି ଯାଇଛି ସତ। ହେଲେ ନୂଆପଡ଼ା ଭୋଟରଙ୍କ ମୁଡ୍ ଇଭିଏମରେ କଏଦ ହେବା ପରେ ୧୪ରେ ଜନତାର ଆସ୍ଥା କାହାକୁ ବିଜୟ ମୁକୁଟ ପିନ୍ଧାଇବ, ତାହା ସ୍ପଷ୍ଟ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *