ରାଜ୍ୟରେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ପାଇଁ ଓଡ଼ିଶାର ବିକାଶ ହୋଇପାରୁନାହିଁ : ଧର୍ମେନ୍ଦ୍ର ପ୍ରଧାନ

Spread the love

କଳାହାଣ୍ଡି/ଭୁବନେଶ୍ୱର : ରାଜ୍ୟରେ ଦୀର୍ଘ ୨୩ ବର୍ଷର ଦୁର୍ନୀତିଗ୍ରସ୍ତ, ସମ୍ବେଦନହୀନ, ସ୍ଥାଣୁ ସରକାର କାରଣରୁ ମାଆ ମାଣିକେଶ୍ୱରୀ ଓ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ପବିତ୍ର ଭୂମି କଳାହାଣ୍ଡି ସମେତ ଓଡ଼ିଶାରେ ବିକାଶ ହୋଇପାରୁନାହିଁ । ପ୍ରଧାନମନ୍ତ୍ରୀ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ଅର୍ଥର ବ୍ୟାପକ ବାଟମାରଣା ହେଉଛି ବୋଲି ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଲାଲବାହାଦୁର ଷ୍ଟାଡିୟମରେ ଦଳ ପକ୍ଷରୁ ଅନୁଷ୍ଠିତ ‘ଗରିବ କଲ୍ୟାଣ ମହାସମାବେଶ’ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୋଦି ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣର ପୂର୍ତି ଅବସରରେ ଆୟୋଜିତ ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ସବକା ସାଥ୍-ସବକା ବିକାଶ-ସବକା ବିଶ୍ୱାସ-ସବକା ପ୍ରୟାସରେ କାମ କରୁଥିବା ସରକାର । ସେହି ମନ୍ତ୍ରକୁ ଆଧାର କରି ମୋଦିଜୀଙ୍କ ୯ ବର୍ଷରେ ଗରିବ କଲ୍ୟାଣର ପ୍ରୟୋଗଶାଳା ହୋଇଛି ଓଡ଼ିଶା । ମୋଦି ସରକାରରେ ଆକାଂକ୍ଷୀ ଜିଲ୍ଲା କଳାହାଣ୍ଡିରେ ଗରିବ କଲ୍ୟାଣର ନୂଆ ପରିଭାଷା ତିଆରି ହୋଇଛି । ମାତ୍ର ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଯୋଗୁଁ କଳାହାଣ୍ଡି ଭଳି ପଛୁଆ ଅଧ୍ୟୁଷିତ ଜିଲ୍ଲାରେ ଗରିବଙ୍କର ଅନେକ ସମସ୍ୟା ରହିଛି । ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କା ବୃଦ୍ଧି ହେବା ପରେ ମଧ୍ୟ ଚାଷୀମାନେ ନିଜ ସାମଗ୍ରୀର ନିର୍ଦ୍ଧାରିତ ମୂଲ୍ୟ ପାଉନାହାନ୍ତି । ମୋଦି ଟଙ୍କା ପଠାଇଲେ ମଧ୍ୟ ଧାନ କିଣା ହୋଇପାରୁନାହିଁ । ଜିଲ୍ଲାର ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ପହଞ୍ଚିନାହିଁ । ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଏହାର ରାଜନୈତିକ ଅପରିପକ୍ୱତାର ଚରମ ନିଦର୍ଶନ । ଏହାକୁ ଆଗାମୀ ଦିନରେ କଳାହାଣ୍ଡିର ସ୍ୱାଭିମାନୀ ଜନସାଧାରଣମାନେ ବିଚାର କରିବେ ବୋଲି କେନ୍ଦ୍ରମନ୍ତ୍ରୀ ।

ମୋଦିଜୀ ୯ ବର୍ଷରେ ଚାଉଳ, ଘର, ପାଇଖାନା, ଉଜ୍ଜ୍ୱଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର ୩ ଲକ୍ଷ ୯୭ ହଜାର ୯୦୦ ଟି ପରିବାରକୁ ସର୍ବମୋଟ ୧୦ ହଜାର ୨୮୦ କୋଟି ଟଙ୍କା ଦେଇଛନ୍ତି । ଏହି ହିସାବରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପରିବାର ପିଛା ମୋଦି ସରକାର ପ୍ରାୟ ୨ ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି । ଏହାର ହିସାବ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କଳାହାଣ୍ଡି ଜିଲ୍ଲାର ୧୩ ଲକ୍ଷ ୪୯ ହଜାର ହିତାଧିକାରୀଙ୍କୁ ଜଣଙ୍କ ପିଛା ମାସିକ ୫ କେଜି ଚାଉଳ ହିସାବରେ ୨,୯୧୪ କୋଟି ଟଙ୍କା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ୧,୬୩୮ କୋଟି ଟଙ୍କା ମୂଲ୍ୟର ୧ ଲକ୍ଷ ୩୬ ହଜାର ୪୬୮ ଘର ଦିଆଯାଇଛି । ସହରାଞ୍ଚଳ ପାଇଁ ୧୬୦ କୋଟି ଟଙ୍କା ମୂଲ୍ୟର ୬ ହଜାର ୧୮୮ ଘର ଯୋଗଦାଇ ଦିଆଯାଇଛି । ସ୍ୱଚ୍ଛ ଭାରତ ଯୋଜନାରେ ୩ ଲକ୍ଷ ୩୨ ହଜାର ୯୨୮ ଶୌଚାଳୟ ପାଇଁ ୩୯୯ କୋଟି ଟଙ୍କା ଦିଆଯାଇଛି । ୨ ଲକ୍ଷ ୪୨ ହଜାର ୨୨୬ ହିତାଧିକାରୀଙ୍କୁ ୩୮.୭୫ କୋଟି ଟଙ୍କା ଉଜ୍ଜ୍ୱଳା ଗ୍ୟାସ ପ୍ରଦାନ କରାଯାଇଛି । କଳାହାଣ୍ଡିର ୭ ଲକ୍ଷ ୯ ହଜାର ୪୮୧ ଜଣଙ୍କୁ ୨୫୦୭ କୋଟି ଟଙ୍କା ମୁଦ୍ରା ଋଣ ବାବଦକୁ ସହାୟତା ଦିଆଯାଇଛି । ମନରେଗାରେ ୫ କୋଟି ଦିନର କାମ ଦିଆଯାଇଥିବା ବେଳେ ୧,୫୧୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଏତଦ୍ ବ୍ୟତିତ ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆରେ ୧୦୩ ଜଣ ଯୁବକଙ୍କୁ ୨୧ କୋଟି ୪୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । ସ୍ୱନିଧି ଯୋଜନାରେ ୩୮୮ ଜଣ ଉଠା ଦୋକାନୀଙ୍କୁ ୨.୧ କୋଟି ଟଙ୍କାର ଋଣ ଦିଆଯାଇଛି । ୧ ଲକ୍ଷ ୯୮ ହଜାର ୫୦୭ ଟି ଏନଆରଏଲଏମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୫୪ କୋଟିର ଋଣ ଦେବାର ବ୍ୟବସ୍ଥା କରାଯାଇଛି । ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ବାବଦକୁ ୮୨ ହଜାର ୨୨୭ ଜଣ ହିତାଧିକାରୀଙ୍କୁ ୭୧୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ୧୮ ଲକ୍ଷ ୩୮ ହଜାର ୬୯୨ ଜଣ ହିତାଧିକାରୀଙ୍କୁ ୨୩ କୋଟି ଟଙ୍କା ମୂଲ୍ୟର ଏଲଇଡି ବଲ୍ୱ ପ୍ରଦାନ କରାଯାଇଛି । ଏହା ପରେ କିନ୍ତୁ ଓଡ଼ିଶାରେ ଏକ ଅପରାଗ ଓ ଦୁର୍ନୀତିଗ୍ରସ୍ତ ସରକାର ପାଇଁ କଳାହାଣ୍ଡିର ବିକାଶ ହେଇପାରୁନାହିଁ ।

ଅପରପକ୍ଷରେ ଆଜି ପ୍ରଧାନମନ୍ତ୍ରୀ ବିଶ୍ୱରେ ଏକ ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି । ବିଶ୍ୱର ଦୁଇ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ପ୍ରଧାନମନ୍ତ୍ରୀ ଓ ଆମେରିକାର ରାଷ୍ଟ୍ରପତି ଉଭୟ ଦେଶର ସମ୍ପର୍କକୁ ମଜଭୂତ୍ କରୁଛନ୍ତି । ଏହି ସମ୍ପର୍କ ଦ୍ୱାରା ବିଶ୍ୱରେ ୧୪୦ କୋଟି ଭାରତୀୟଙ୍କ ମାନ ସମ୍ମାନ ପ୍ରତିଷ୍ଠା ହୋଇଛି । ମୋଦି ସରକାରରେ ଖଣି ରାଜସ୍ୱ ବଢିଛି । ଓଡ଼ିଶା ପ୍ରତି କେନ୍ଦ୍ରୀୟ ଦାୟିତ୍ୱ ବଢିଛି ।

ଆଜି ଆମ ଗହଣରେ ମାନନୀୟ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କଳାହାଣ୍ଡିର ପବିତ୍ର ସଂସ୍କୃତି ସମ୍ପନ୍ନ ଓ କଳାର ଭୂମିରେ ମୋଦିଜୀଙ୍କ ୯ ବର୍ଷ ଶାସନର ରିପୋର୍ଟ କାର୍ଡ ଦେଇଛନ୍ତି । ଆଜି ତାଙ୍କର ପ୍ରେରଣାଦାୟୀ ଅଭିଭାଷଣ ଦଳର କାର୍ଯ୍ୟକର୍ତ୍ତାଙ୍କୁ ନୂଆ ଉତ୍ସାହ ଦେବା ସହ ସେମାନଙ୍କର ମନୋବଳ ବଢ଼ାଇବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ଅବସରରେ ଶ୍ରୀ ପ୍ରଧାନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀ ମନ୍ଦିରରେ ଦର୍ଶନ କରିଥିଲେ । ଏହାସହ ସମ୍ବଲପୁରର ଏମସିଏଲ ଗେଷ୍ଟ ହାଉସରେ ଶ୍ରୀ ପ୍ରଧାନ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *