ଭୋଜିଖାଇ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଅସୁସ୍ଥ

ଯାଜପୁର: ଯାଜପୁର ଦାନଗଦି ବ୍ଲକ ଶରତ ରାଉତ ଉଚ୍ଚ ବିଦ୍ୟାପୀଠରେ ଭୋଜିଖାଇ ଶିକ୍ଷକ ଛାତ୍ରଛାତ୍ରୀ ଅସୁସ୍ଥ ହେବା ଘଟଣା। ଏବେ ବି ଜଣେ ଶିକ୍ଷକଙ୍କ ସମେତ 30ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ କଟକ ଏସସିବି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଯାଜପୁର ରୋଡ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ଏବଂ ପିଲାଙ୍କ ସ୍ବାସ୍ଥାବସ୍ଥା ସ୍ବାଭାବିକ ହେଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ସେପଟେ ବାଲେଶ୍ବର ଖେଳ ସମୟରେ ବଡଖୁରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଗୁରୁତର ହୋଇଛନ୍ତି।
ଯାଜପୁର ଦାନଗଦି ବ୍ଲକ ଖପୁରିଆପଦା ପଂଚାୟତ ଶରତ ରାଉତ ଉଚ୍ଚ ବିଦ୍ୟାପୀଠରେ ସରସ୍ୱତୀ ପୂଜା ଭୋଜି ଖାଇ ଅସୁସ୍ଥ ହୋଇପଡିଥିବା ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ସରସ୍ୱତୀ ପୂଜା ଦିନ ସ୍କୁଲରେ ହୋଇଥିବା ଭୋଜି ଖାଇ ଗତକାଲି ୧୪୦ଜଣ ଛାତ୍ରଛାତ୍ରୀ ଏବଂ ଦୁଇ ଜଣ ଶିକ୍ଷକ ଜ୍ୱର, ଝାଡା ଏବଂ ବାନ୍ତିରେ ଆକ୍ରାନ୍ତ ହୋଇ ପ୍ରଥମେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯାଜପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ ହୋଇ ଚିକିତ୍ସିତ ହେଉଛନ୍ତି । ସେଠାରୁ ଆଉ ଜଣେ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ ହୋଇଥିଲେ। ଯାଜପୁର ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଚିକିତ୍ସା ଜାରି ରହିଥିବା ଜଣାପଡିଛି । ବିଧାୟକ, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ଜନପ୍ରତିନିଧି ଓ ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀ ମେଡିକାଲରେ ପହଞ୍ଚି ଡାକ୍ତରଙ୍କ ଠାରୁ ପରାମର୍ଶ ନେଇଥିଲେ ।
ସେପଟେ ବାଲେଶ୍ବର ସୋର ପୌରପାଳିକା ବଡଖୁରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଗୁରୁତର ହୋଇଛନ୍ତି। ଶନିବାର ସକାଳେ ବିଦ୍ୟାଳୟରେ ଖେଳ ପ୍ରତିଯୋଗିତା ପାଇଁ ପୂର୍ବ ପ୍ରସ୍ତୁତି ଚାଲିଥିବା ସମୟରେ ହଠାତ ୩୦ ରୁ ଉର୍ଦ୍ଧ୍ବ ଛାତ୍ରୀଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଅଚେତ ହୋଇପଡିଥିଲେ । ବିଦ୍ୟାଳୟ ର ଶିକ୍ଷକ ଓ ସ୍ଥାନୀୟ ଲୋକ ଛାତ୍ରୀମାନଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ । କିଛି ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି ।
ସେପଟେ ଯାଜପୁରରେ ଘରକୁ ସୁସ୍ଥହୋଇ ଫେରିଥିବା କିଛି ଛାତ୍ରଛାତ୍ରୀ ପୁଣି ଅସୁସ୍ଥ ହୋଇ ମେଡିକାଲକୁ ଆସିଥିବା ସୂଚନା ମିଳିଛି । ସେମାନଙ୍କର ଚିକିତ୍ସା ମଧ୍ୟ ଜାରି ରହିଛି । ତେବେ ଏହି ଦୁଇଟି ବିଦ୍ୟାଳୟର ଘଟଣାର ତଦନ୍ତ କରାଯାଇ ଏହାର ପ୍ରକୃତ କାରଣ ଉନ୍ମୋଚନ କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।
ଯାଜପୁରରୁ ହିମାଂଶୁ କୁମାର ପାଢ଼ୀଙ୍କ ସହ ସୋରରୁ ସୁବାସ ମହାନ୍ତିଙ୍କ ରିପୋର୍ଟ