ବନ୍ୟା ପରିସ୍ଥିତିରେ ବେହାଲ ଓଡ଼ିଶା। ଯୁଆଡେ ଦେଖିଲେ ଖାଲି ପାଣି ଆଉ ପାଣି। ଦୁର୍ଦ୍ଦଶାର ଚିତ୍ର ଗାଁରୁ ସହର ଯାଏଁ ଲମ୍ୱିଛି। ପାଣି ଘେରରେ ଲକ୍ଷାଧିକ ଲୋକ ଓ ଜୀବଜନ୍ତୁ ରହିଛନ୍ତି। ଅନେକ ସ୍ଥାନରେ ଘାଇ ହେବାରୁ ନଦୀକୂଳିଆ ଅଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ। ଚାଷଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି। ଚୂଲି ଚାଳ ଭାଷୁଛି, ଗୋରୁ ଗାଇ ଖାଦ୍ୟ ବିନା ହନ୍ତସନ୍ତ। କେଉଁଠି ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥା ତ କେଉଁଠି ଧିରେ ଧିରେ ସ୍ୱାଭାବିକ ହେଉଛି ପରିସ୍ଥିତି। ଏସବୁ ମଧ୍ୟରେ ଉଦବେଗର ଅନ୍ୟତମ କାରଣ ହୋଇଛି ସହରୀ ବନ୍ୟା । ଯାହା ପ୍ରାକୃତିକ ନୁହେଁ ମନୁଷ୍ୟକୃତ ବୋଲି ଜଳ ଜଳ ଦିଶୁଛି। ରାଜଧାନୀ ଉପକଣ୍ଠର ବସତି ହେଉ ବା ବନ୍ୟା ପ୍ରଭାବିତ ଜିଲ୍ଲାର ସହରାଞ୍ଚଳ। ସବୁଠି ଦୁର୍ଦ୍ଦଶା। ଚକଚକିଆ ଘର, କିନ୍ତୁ ଘର ଭିତରେ ଛାତିଏ ପାଣି। ଘରେ ୪ ଚକିଆ ଗାଡ଼ି, ଯାହା ପାଣିରେ ବୁଡିଛି। ବିଜୁଳି ସଂଯୋଗ କଟାଯାଇଛି। ପିଇବା ପାଣିର ସମସ୍ୟା। ହାତରେ ପଇସା ଥାଇ ବି ଘରୁ ଗୋଡ଼ କାଢି ଆବଶ୍ୟକୀୟ ସାମଗ୍ରୀ ଆଣିବା ସମ୍ଭବ ହେଉନି। ସହରର ଅଧା ସ୍ଥାନ ଶୁଖିଲା ଆଉ ଅଧାରେ ପାଣି ଶୁଖୁନି । ଉଦ୍ଧାରକାରୀ ଦଳ ଆସି ଛୋଟ ଶିଶୁ, ରୋଗୀଣା ଲୋକଙ୍କୁ ସେ ଅଞ୍ଚଳରୁ ବାହାରକୁ କାଢୁଛନ୍ତି। ପରିସ୍ଥିତି ଏମିତି ଯେ ସହରର ଘର ଛାଡ଼ି ଅନ୍ୟତ୍ର ଯାଉଛନ୍ତି ଲୋକ। ଆଗକୁ ଆହୁରି ବର୍ଷା ହେବା ପାଣିପାଗ ବିଭାଗ ଜଣାଇବା ବେଳକୁ ଛାତିରେ ଛନକା ପଶୁଛି। ଦୁର୍ଦ୍ଦଶା ସମୟ ସହ ବଢିବା ଥୟ।
ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ବନ୍ୟା ସହ ପରିଚିତ କିନ୍ତୁ ସହର ଲୋକଙ୍କର ଏ ପରିଚୟ ଯାହା ଦେଖା ଯାଉଛି ଆଗକୁ ଆହୁରି ଘନିଷ୍ଠ ହେବ। ସହରରେ ସ୍ୱପ୍ନର ଘର ତିଆରି ହେଲା କିନ୍ତୁ ସେଠି ବର୍ଷା ମାସ ତକ ରହିବା ନା ଅନ୍ୟତ୍ର ବ୍ୟବସ୍ଥା କରିବା ସେ ଚିନ୍ତାରେ ସହରବାସୀ। ଘାଇ, ଘଳିଆ ସହ ପଛୁଆ ପାଣି ପଶିବାର ଦୁର୍ଦ୍ଦଶା ଆଗରୁ ହୀରାକୁଦ ନିକଟବର୍ତ୍ତୀ ଜିଲ୍ଲାର ସହରବାସୀ ଭୋଗିଛନ୍ତି। ବର୍ଷାରେ ମୁନ୍ଦାଏ ପାଣିରେ କେମିତି କଟକ ବୁଡ଼େ ସେ ଚର୍ଚ୍ଚା ହୋଇଛି । ନଦୀ ପଠା ଭିତରକୁ ମାଡ଼ି ଯାଇ କେମିତି ଘରବାଡି ହେଉଛି। ବଡ ବଡ କୋଠା ଛିଡ଼ା କରାଯାଉଛି ସେ ସବୁ ଅଳ୍ପ ବହୁତେ ଆଲୋଚନା ବିଭିନ୍ନ ସମୟରେ ହୋଇଛି। କିନ୍ତୁ କାହା ଅନୁମତିରେ ସେ ଘର ନିର୍ମାଣ ହେଲା। କାହିଁକି ଖାଲ ଢିପ ବାଛବିଚାର ନହୋଇ ପୋଖରୀ, ଗଡ଼ିଆ, ପୁଷ୍କରିଣୀ ପୋତି ଲୋକ ରହିଲେ ଏବେ ସମସ୍ତେ ସମସ୍ତଙ୍କୁ ପଚରାଉଚରା କରୁଛନ୍ତି। କିନ୍ତୁ ଉତ୍ତର ଦେବା ବେଳେ ନା ଘର କରି ରହିବା ଲୋକ ନା ଘର ପାଇଁ ଅନୁମତି ଦେବା ଲୋକ ବାସ୍ତବରେ ଉତ୍ତରଦାୟୀ ହେବାକୁ କେହି ଚାହୁଁ ନାହାଁନ୍ତି।
ଉପଯୁକ୍ତ ଯୋଜନା ସହ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ସହର ଗଢି ଉଠିବା ଆବଶ୍ୟକ। ଜନସଂଖ୍ୟା ବଢୁଛି ବିଭିନ୍ନ ସହରରେ ରୋଜଗାରର ଆବଶ୍ୟକତା ଦେଖି ନିର୍ଦ୍ଧିଷ୍ଟ ସ୍ଥାନ ମାନଙ୍କରେ ଜନସାନ୍ଧ୍ରତା ବୃଦ୍ଧି ପାଉଛି। ତେଣୁ ଲୋକଙ୍କ ବସତି ପାଇଁ ସହରର କାୟା ବଢିବ। କିନ୍ତୁ ସେ ସହରକୁ ରହିବା ଯୋଗ୍ୟ କରିବା, ସହରବାସିନ୍ଦାଙ୍କୁ ସୁସ୍ଥ ପରିବେଶ ଯୋଗାଇବାକୁ ହେଲେ ସହର କେବଳ କଂକ୍ରିଟରେ ଗଢା ହେବ ନାହିଁ। ସେଠି ସବୁଜ ଆସ୍ତରଣ ରହିବ, ଜଳ ଉତ୍ସ ରହିବ, ସହରରେ ଆବଶ୍ୟକୀୟ ଡ୍ରେନେଜ୍ ଓ ସ୍ୱେରେଜ ବ୍ୟବସ୍ଥା ରହିବା ଜରୁରୀ। କିନ୍ତୁ ଏସବୁର ଅଭାବ କେବଳ ରାଜଧାନୀ ଭୁବନେଶ୍ୱରକୁ ଉଦାହରଣ ଆକାରରେ ନେଲେ ବୁଝିହେବ। ଏଠି କେତେବେଳେ ନ୍ୟାସନାଲ ହାଇୱେ, କେବେ ଷ୍ଟେଟ ରୋଡ୍ ସହ ଡ୍ରେନେଜ୍ ସିଷ୍ଟମର ସମସ୍ୟାକୁ ଯୋଡ଼ାଯାଏ ତ ପୁଣି କେତେବେଳେ ଦୋଷ ଦିଆନିଆ ହୋଇ କଥା ଶେଷ କରାଯାଏ। ତେବେ ସମୟ ସହ ସମସ୍ୟା ବଢୁଛି ଏହାକୁ ସମସ୍ତେ ଆଖି ଆଗରେ ଦେଖୁଛନ୍ତି। ଯଦି ପାଣିପାଗ ପରିବର୍ତ୍ତନ ନୂଆ ନୂଆ ଆହ୍ୱାନ ଆଣୁଛି, ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଉନ୍ନତ ବ୍ୟବସ୍ଥା ହେବା ଆବଶ୍ୟକ।
ଅବଶ୍ୟ କେବଳ ଯେ ଆମ ରାଜ୍ୟର ସହର ବନ୍ୟାରେ ବୁଡ଼ୁଛି ତା ନୁହେଁ । ମୁମ୍ୱାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଅହମ୍ମଦାବାଦ ଆଦି ବଡ ସହରରେ କେମିତି ସହର ବଢିବା ବେଳେ ଗଢିବା ଯୋଜନା ଫେଲ ମାରିଛି ତାହା ବିଗତ ଦିନରେ ଧରା ପଡ଼ିଛି। ଏହି ସହରୀ ବନ୍ୟା ଶହ ଶହ ଲୋକଙ୍କ ଜୀବନ ନେଲାଣି। ତଥାପି ଆମେ ବୁଦ୍ଧି ଶିଖିନୁ। ଆଜି ଆମେ ସହରରେ ବନ୍ୟା ଦେଖୁଛୁ ଅର୍ଥାତ୍ କାଲି ନିଶ୍ଚୟଁ ମରୁଡ଼ି ଦେଖିବା ଯେଉଁଠି ଜଳର ଘୋର ଅଭାବ ରହିବ। ସହରକୁ ଆମେ ଏମିତି ନିର୍ମାଣ ସାମଗ୍ରୀରେ ଗଢିଛୁ ଯେଉଁଠି ବର୍ଷା ଜଳ ମାଟି ତଳକୁ ଶୋଷିବାର ଉପାୟ ନାହିଁ । ବଡ ବଡ ଫ୍ଲାଏ ଓଭର ତିଆର ବେଳେ ବନ୍ୟା ଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବଢାଇବାର ଉପାୟ କରୁନୁ। ଚେନାଏ ମାଟି ଜାଗା ନରଖି ଚାରିଆଡେ କଂକ୍ରିଟର ଗାଲିଚା ବିଛାଉଛୁ। ପରିବେଶ ଅନୁକୂଳ ସହର ନିର୍ମାଣ ଆଜି ଦିନର ଆବଶ୍ୟକତା ହୋଇଥିଲେ ମଧ୍ୟ ତାକୁ ଆମେ ଭୁଲିଯାଉଛୁ। ସବୁଠାରୁ ବିଡମ୍ୱନା ଯାହାକୁ ବେଆଇନ ଜବରଦଖଲ ଜମିରେ ଘର କରାଯାଇଛି କୁହାଯାଉଛି ସେ ମଧ୍ୟରୁ ଅନେକଙ୍କୁ ଆଇନସମ୍ମତ କରିବାର ଉପାୟ କରାଯାଏ ତାହା ପୁଣି ସରକାରୀ ଭାବେ। ସେଥିପାଇଁ ସହରୀ ବନ୍ୟା ମନୁଷ୍ୟକୃତ ବୋଲି କୁହାଯାଉଛି।
ସ୍ମାର୍ଟ ସିଟି କଥା ଢେର ଚର୍ଚ୍ଚା ହେଉଛି ହେଲେ ପରିବେଶ ଅନୁକୂଳ, ବିପର୍ଯ୍ୟୟ ପ୍ରତିରୋଧକାରୀ ସହର ନିର୍ମାଣ ପ୍ରାଥମିକତାରେ ନାହିଁ। ସହର ମାଷ୍ଟରପ୍ଲାନ୍ ର ମୂଳ ପ୍ରସଙ୍ଗ ଡ୍ରେନେଜ୍ ସିଷ୍ଟମ୍ ଯାହା ପରିମଳ ପାଇଁ ଏବଂ ବର୍ଷାଜଳ ନିଷ୍କାସନ ପାଇଁ ସହାୟକ ହୁଅନ୍ତା କିନ୍ତୁ ସେ ଦିଗକୁ ଗୁରୁତ୍ୱ ନାହିଁ। ‘ଲ୍ୟାଣ୍ଡ ରେଗୁଲେସନ୍ ରୁଲ୍’ ପ୍ରୀୟାପ୍ରିତିରେ ଚାଲିଲେ ଏ ସମସ୍ୟା ସୁଧୁରିବ ନାହିଁ। ‘ପ୍ରାକୃତିକ ଜଳ ଉତ୍ସର ପୁନଃଉଦ୍ଧାର ଆମ ସହର ପାଇଁ ଆବଶ୍ୟକ’ ତାହା କେବଳ ସ୍ଲୋଗାନ ହୋଇଛି। ତେଣୁ ଅଧପନ୍ତରିଆ ବିକାଶ ସହରକୁ ସ୍ମାର୍ଟ ନୁହେଁ ମାଧିଆ କରିଛି। ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ସହର ଗଢା ଯାଉନି କି ସହର ସମ୍ପ୍ରସାରିତ ହେଉନି। ଖାଲୁଆ ସ୍ଥାନରେ ଘର ଆଉ ତାଠାରୁ ଯଥେଷ୍ଟ ଉଚ୍ଚରେ ରାସ୍ତା ଭଳି ବିକଳ ପ୍ଲାନିଂ ସହ ଆମେ ସହର ବିକାଶ ଯୋଜନାକୁ ଆଗେଇ ନେଉଛୁ। ନଦୀ ଜଳର ଗତିପଥ ଅବରୋଧ ଏକ ଅଭ୍ୟାସ ହୋଇଛି। ଆଜି ସବୁଠି ସ୍ପଞ୍ଜ୍ ସିଟି କଥା କୁହାଯାଉଛି। ସହଜରେ ବୁଝିବାକୁ ହେଲେ, ଏମିତି ସହର ତିଆର ହେଉ ଯିଏ ବର୍ଷା ପାଣିକୁ ସ୍ପଞ୍ଜ୍ ଭଳି ଶୋଷି ନେବ, ଛାଣି ପାରିବ ଏବଂ ମାଟି ତଳର ଜଳ ଉତ୍ସରେ ମିଶିବ। କିନ୍ତୁ ଦୁର୍ଭାଗ୍ୟର କଥା ଆମେ ନିଜେ ଆମ ରାଜଧାନୀକୁ ସ୍ପଞ୍ଜ୍ ସିଟି ରୁ କଂକ୍ରିଟ୍ ସିଟିରେ ହାତେ ହାତେ ତିଆରି କରିଛୁ। ତେଣୁ ସହରରେ ବନ୍ୟା ହେବ ନିଶ୍ଚୟଁ ଆଉ ସହରୀ ଲୋକ ବର୍ଷା ଦିନେ ଏମିତି ହନ୍ତସନ୍ତ ହେବା ଥୟ।
- ସୁପ୍ରିୟା ଦାଶଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now