RAIN

  • ନଅ’ ଯାଏଁ ନିସ୍ତାର ନାହିଁ

    ଭୁବନେଶ୍ବର: ୯ ତାରିଖ ଯାଏ ବର୍ଷାରୁ ନିସ୍ତାର ନାହିଁ।  ଦକ୍ଷିଣ ଓ ଉପକୂଳ ଜିଲ୍ଲାରେ ଛେଚିବ। ଦଶହରାକୁ ଯେମିତି ବର୍ଷା ପାଣିଚିଆ କରିଥିଲା, ଗଜଲକ୍ଷ୍ମୀ ପୂଜାକୁ ବି ସେମିତି ଭିଜାଇବ। ବର୍ଷା ସହ ବିଜୁଳି ଓ ବଜ୍ରପାତର ଆଶଙ୍କା ବି ରହିଛି। ଏଭଳି ସ୍ଥଳେ ଆଜି ଭସାଣୀ ବେଳେ ବି ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଲାଗି ପୁରୀରେ ଭସାଣି ଆଉ ଲଗାଣ ବର୍ଷା ଲାଗି ଜନଜୀବନ ବି ଅସ୍ତବ୍ୟସ୍ତ ହୋଇଗଲାଣି ଯେମିତି।

    ଲାଗିଛି ଯେ ଛାଡ଼ୁନି। କଳାହାଣ୍ଡିଆ ମେଘ ଦିନ ତମାମ ଆକାଶରେ ଘୁରି ବୁଲୁଛି। ପ୍ରବଳ ବର୍ଷା ଲାଗି ଜନଜୀବନ ବି ବେହାଲ୍ ହୋଇଗଲାଣି। ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ଆକଳନ କହୁଛି, ଅନ୍ତତଃ କୁମାରପୂର୍ଣ୍ଣମୀ ଯାଏ ନିସ୍ତାର ନାହିଁ। ଦକ୍ଷିଣ ଓ ଉତ୍ତର, ଉପକୂଳ ଜିଲ୍ଲାରେ ଲାଗିରହିବ ବର୍ଷା। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ରାୟଗଡ଼ା, ଅନୁଗୁଳ, କୋରାପୁଟ ଓ ମାଲକାନଗିରିକୁ ୭ ତାରିଖ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

    ସେପଟେ ଲଗାଣ ବର୍ଷା ହେତୁ ପୁରୀରେ ଆଜି ହେବାକୁ ଥିବା ଗୋଷାଣୀ ଭସାଣି ଉତ୍ସବକୁ ସ୍ଥଗିତ ରଖିଛି ପ୍ରଶାସନ। ରାଜଧାନୀରେ ଲଗାଣ ବର୍ଷା ଲାଗି ଲୋକଙ୍କ ଦୁର୍ଦଶା କହିଲେ ନ ସରେ। ଦଶହରା ଛୁଟି ପରେ ଅଫିସକୁ ଯିବା ଓ କର୍ମକ୍ଷେତ୍ରରୁ ଫେରିଲା ବେଳେ ବମିଖାଲରେ ଆଣ୍ଠୁଏ ପାଣିରେ ଲୋକଙ୍କୁ ଯିବାଆସିବା କରିବାକୁ ପଡ଼ିଥିଲା। ଦଶହରାକୁ ବର୍ଷା ପାଣିଚିଆ କରିଦେଇଥିଲା ବେଳେ ଲକ୍ଷ୍ମୀପୂଜା ବେଳକୁ ଶୁଖିଲା ପାଗ ରହିବ ବୋଲି ଆଶା ଥିଲା। ହେଲେ ପାଣିପାଗର ଆକଳନ ଦେଖି ଲୋକଙ୍କ ମନ ମରିଗଲାଣି କହିଲେ ଚଳେ।

    ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେଲାଣି। ୯ ତାରିଖ ଯାଏ ଲଗାଣ ବର୍ଷା ଜାରି ରହିବ। ୧୦ ତାରିଖରୁ ବର୍ଷା କମିବ।

    ପ୍ରଦୀପ ନାୟକଙ୍କ ରିପୋର୍ଟ

  • ଫସର ଫାଟିବ ପାର୍ବଣ

    ଭୁବନେଶ୍ବର: ପାର୍ବଣରେ ବର୍ଷା । ଆଗାମୀ ୩ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶା ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ପୁଣି ୧ ତାରିଖରେ ବଙ୍ଗୋପସାଗରକୁ ପ୍ରବେଶ କରିବ ଆଉ ଏକ ଘୁର୍ଣ୍ଣିବଳୟ ଫଳରେ ୨ ଓ ୩ ତାରିଖରେ ରାଜ୍ୟରେ ବଢିବ ବର୍ଷା ।

    ପ୍ରଶାନ୍ତ ମହାସାଗରରେ ଥିବା ବାତ୍ୟାର ଅବଶିଷ୍ଟାଂଶ ୧ତାରିଖ ବେଳକୁ ପୂର୍ବକେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳକୁ ପ୍ରବେଶ କରିବ ।  ୧ ତାରିଖ ବେଳକୁ ସୃଷ୍ଟି ହେବ ଆଉ ଏକ ଘୁର୍ଣ୍ଣିବଳୟ । ଫଳରେ ୨ ତାରିଖ ୩ ତାରିଖ ରେ ରାଜ୍ୟରେ ବଢିବ ବର୍ଷା । ପୂର୍ବରୁ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଉତ୍ତର ପଶ୍ଚିମ ଓ ପଶ୍ଚିମକେନ୍ଦ୍ରୀୟ ଅଞ୍ଚଳରେ ସକ୍ରିୟ ରହିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ୨୭ ତାରିଖରେ ଉପକୂଳ ସମେତ ୨୦ ଜିଲ୍ଲାରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ଆକଳନ କରାଯାଇଛି । ସେହିପରି ୨୮ ତାରିଖରେ ମୟୁରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ଗଞ୍ଜାମ ରେ ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ଓ ୨୯ ତାରିଖରେ ଗଜପତି, ମାଲକାନଗିରି, କୋରାପୁଟ ରେ ବିଜୁଳି ଘଡଘଡି ସହିତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗକେନ୍ଦ୍ର ।

    ସେପଟେ ଦୁଇ ବର୍ଷର କଟକଣା ଏଥର ପୂଜାକୁ ବେଶ ଧୁମଧାମରେ ପାଳିବାକୁ ମନସ୍ତ କରିଥିବା ଲୋକ ପାଗର ମିଜାଜ୍ ଦେଖି ପ୍ରମାଦ ଗଣିଲେଣି। ଏଥର ପୂଜା ଫିକା ପଡ଼ିଯିବନି ତ ବୋଲି ଭାଳେଣି ପଡ଼ିଲାଣି ସମସ୍ତଙ୍କ ମନରେ। ଅଚାନକ ପାଗ ଶୁଖିଲା ଆଉ ତା ପର ମୂହୂର୍ତ୍ତରେ ପ୍ରବଳ ବର୍ଷା ଲାଗି ଲୋକଙ୍କ ଭିତରେ ପୂଜାକୁ ନେଇ ଥିବା ସରସତା ମଉଳିବାରେ ଲାଗିଲାଣି।ତଥାପି ପୂଜାକୁ ସମସ୍ତେ ଜାକଜମକରେ ପାଳିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

    ରାଜ୍ୟରେ ଜୁନ ୧ରୁ ୨୭ ସେପ୍ଟେମ୍ବର ସୁଦ୍ଧା ୧୧୭୭.୭ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ୧୧୩୫.୧ମିମି ତୁଳନାରେ ୪% ଅଧିକ । ଅନ୍ୟପଟେ ଗଜପତି, କୋରାପୁଟ ଓ ବୌଦ୍ଧରେ ସ୍ୱାଭାବିକ ବର୍ଷା ଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

    ସିମ୍ପୁଲ ନାୟକଙ୍କ ରିପୋର୍ଟ

  • ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଜାରି ରହିବ ବର୍ଷା

    ଭୁବନେଶ୍ବର: ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଥିବା ବେଳେ କିନ୍ତୁ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ବଙ୍ଗୋପସାଗରରେ ଗତ କିଛି ସପ୍ତାହ ହେଲା ସିରିଜ ଲଘୁଚାପ ସୃଷ୍ଟି ହେଉଥିବାରୁ ବର୍ଷା ଜାରି ରହିଥିବା ବେଳେ ପୁଣି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବା ନେଇ ଆଶଙ୍କା ଦେଖା ଦେଇଛି।  

    ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ  ସେପ୍ଟେମ୍ବର ୨୫ ବେଳକୁ ଉତ୍ତର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଟ୍ରଫ୍ ଲାଇନ ସୃଷ୍ଟି ସମ୍ଭାବନା ରହିଛି । ସେପ୍ଟେମ୍ବର ୨୬ରେ ଏହା ଏକ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୨୭ ବେଳକୁ ଏହା ଆହୁରି ଚିହ୍ନିତ ହୋଇ ଲଘୁଚାପରେ ପରିଣତ ହୋଇପାରେ ।

    ତେଣୁ ଏହାର ପ୍ରଭାବରେ ସେପ୍ଟେମ୍ବର ୨୮ରେ ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ସ୍ଥାନରେ ବର୍ଷା ହେବାର ଅନୁମାନ କରାଯାଉଛି।  ଏହା ପରେ ପୁଣି ୨୯ ତାରିଖ ବେଳକୁ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ଏସିଆ ଅତିକ୍ରମ କରି ବଙ୍ଗୋପସାଗରରେ ପ୍ରବେଶ କରିବ।

  • କିଛି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

    ଭୁବନେଶ୍ବର:  ଉପକୂଳ ଓଡିଶାରେ ଜାରି ରହିଛି ଘୂର୍ଣ୍ଣିବଳୟ ପ୍ରଭାବ । ଆସନ୍ତାକାଲି ସୃଷ୍ଟି ହୋଇପାରେ ଲଘୁଚାପ । ଆଜିଠୁ ବର୍ଷାର ପ୍ରଭାବ ବଢିବା ନେଇ ଅନୁମାନ । ୨୧ ଯାଏଁ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।୭୨ ଘଣ୍ଟା ଯାଏଁ କିଛି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି।

    ଆଜି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। କଳାହାଣ୍ଡି, କନ୍ଧମାଳ, ଗଂଜାମ ଓ ପୁରୀ ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ବର ଆଂଚଳିକ  ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି ।ସେପଟେ ଆଜିଠାରୁ ପର୍ଯ୍ୟାୟକ୍ରମେ ଖୋଲିବ ହୀରାକୁଦର ୪ଟି  ଗେଟ୍ ।

  • ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହେବ ଅବପାତ

    ଭୁବନେଶ୍ବର: ଦକ୍ଷିଣ ଛତିଶଗଡ ଉପରେ ଅବପାତ। ବର୍ତ୍ତମାନ ଏହା ଭବାନୀପାଟଣାଠାରୁ ପଶ୍ଚିମ -ଉତ୍ତର-ପଶ୍ଚିମ ଦିଗରେ ୧୯୫କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଧୀରେ ଧୀରେ ଉତ୍ତର  ଦିଗରେ ଗତି କରିବା ସହ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହେବାର ସମ୍ଭାବନା ରହିଛି ।

    ଆଜି ବି କିଛି ଜିଲ୍ଲାରେ ବ୍ୟାପକ ବର୍ଷା ରହିବ।   ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଫଳରେ ୧୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି ।

    ଆଜି ବି କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।  ୧୬ରୁ ୨୨ ମଧ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।  ପୁଣି  ମୌସୁମୀ ସକ୍ରିୟ ହେବା ସହ ବର୍ଷା ହେବ । ସେପଟେ ଲଗାଣ ବର୍ଷା ପାଇଁ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି l

  • ଅବପାତର ରୂପ ନେଲା ଲଘୁଚାପ

    ଭୁବନେଶ୍ୱର: ଅବପାତର ରୂପ ନେଇଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ। ଦକ୍ଷିଣ ଓଡ଼ିଶା ଏବଂ ପାଶ୍ୱବର୍ତୀ ଅଞ୍ଚଳରେ ସ୍ପଟ ଚିହ୍ନିତ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଅବପାତ ଏବେ ଉତ୍ତରପଶ୍ଚିମ ଗୋପାଳପୁରଠାରୁ ୨୦ କିଲୋମିଟର ଦୂରରେ ରହିଛି। ଏହାରି ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ। ଏନେଇ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୧୨ ଓ ୧୩ ତାରିଖରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । ଅନ୍ୟପଟେ ଆସନ୍ତା ୧୬ ତାରିଖରୁ ୨୦ ତାରିଖ ଭିତରେ ଆଉ ଏକ ଲଘୁଚାପ ଆସିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସମସ୍ତ ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛ।

  • ଆସୁଛି ଆଉ ୨ ଲଘୁଚାପ

    ଭୁବନେଶ୍ୱର: ଆସୁଛି ଆଉ ୨ ଲଘୁଚାପ। ଆସନ୍ତା ୨ ରୁ ୮ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ଆସନ୍ତାକାଲିଠୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବରଗଡ, ସମ୍ୱଲପୁର, ଦେଓଗଡ, ଅନୁଗୋଳ, ସୁନ୍ଦରଗଡ ଆଦି ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ସେପ୍ଟେମ୍ୱର ୯ରୁ ୧୫ ତାରିଖ ମଧ୍ୟରେ ଆଉ ଏକ ଲଘୁଚାପ କ୍ସୃଷ୍ଟି ନେଇ ପୂର୍ବାନୁମାନ କରାଯାଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଇଛି। ଫଳରେ ୯ତାରିଖ ବର୍ଷାର ପରିମାଣ ବଢିପାରେ।

  • ସହରରେ ବନ୍ୟା: ନୟାନ୍ତ ସହରୀ

    ବନ୍ୟା ପରିସ୍ଥିତିରେ ବେହାଲ ଓଡ଼ିଶା। ଯୁଆଡେ ଦେଖିଲେ ଖାଲି ପାଣି ଆଉ ପାଣି। ଦୁର୍ଦ୍ଦଶାର ଚିତ୍ର ଗାଁରୁ ସହର ଯାଏଁ ଲମ୍ୱିଛି। ପାଣି ଘେରରେ ଲକ୍ଷାଧିକ ଲୋକ ଓ ଜୀବଜନ୍ତୁ ରହିଛନ୍ତି। ଅନେକ ସ୍ଥାନରେ ଘାଇ ହେବାରୁ ନଦୀକୂଳିଆ ଅଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ। ଚାଷଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି। ଚୂଲି ଚାଳ ଭାଷୁଛି, ଗୋରୁ ଗାଇ ଖାଦ୍ୟ ବିନା ହନ୍ତସନ୍ତ। କେଉଁଠି ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥା ତ କେଉଁଠି ଧିରେ ଧିରେ ସ୍ୱାଭାବିକ ହେଉଛି ପରିସ୍ଥିତି। ଏସବୁ ମଧ୍ୟରେ ଉଦବେଗର ଅନ୍ୟତମ କାରଣ ହୋଇଛି ସହରୀ ବନ୍ୟା । ଯାହା ପ୍ରାକୃତିକ ନୁହେଁ ମନୁଷ୍ୟକୃତ ବୋଲି ଜଳ ଜଳ ଦିଶୁଛି। ରାଜଧାନୀ ଉପକଣ୍ଠର ବସତି ହେଉ ବା ବନ୍ୟା ପ୍ରଭାବିତ ଜିଲ୍ଲାର ସହରାଞ୍ଚଳ। ସବୁଠି ଦୁର୍ଦ୍ଦଶା। ଚକଚକିଆ ଘର, କିନ୍ତୁ ଘର ଭିତରେ ଛାତିଏ ପାଣି। ଘରେ ୪ ଚକିଆ ଗାଡ଼ି, ଯାହା ପାଣିରେ ବୁଡିଛି। ବିଜୁଳି ସଂଯୋଗ କଟାଯାଇଛି। ପିଇବା ପାଣିର ସମସ୍ୟା। ହାତରେ ପଇସା ଥାଇ ବି ଘରୁ ଗୋଡ଼ କାଢି ଆବଶ୍ୟକୀୟ ସାମଗ୍ରୀ ଆଣିବା ସମ୍ଭବ ହେଉନି। ସହରର ଅଧା ସ୍ଥାନ ଶୁଖିଲା ଆଉ ଅଧାରେ ପାଣି ଶୁଖୁନି । ଉଦ୍ଧାରକାରୀ ଦଳ ଆସି ଛୋଟ ଶିଶୁ, ରୋଗୀଣା ଲୋକଙ୍କୁ ସେ ଅଞ୍ଚଳରୁ ବାହାରକୁ କାଢୁଛନ୍ତି। ପରିସ୍ଥିତି ଏମିତି ଯେ ସହରର ଘର ଛାଡ଼ି ଅନ୍ୟତ୍ର ଯାଉଛନ୍ତି ଲୋକ। ଆଗକୁ ଆହୁରି ବର୍ଷା ହେବା ପାଣିପାଗ ବିଭାଗ ଜଣାଇବା ବେଳକୁ ଛାତିରେ ଛନକା ପଶୁଛି। ଦୁର୍ଦ୍ଦଶା ସମୟ ସହ ବଢିବା ଥୟ।

    ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ବନ୍ୟା ସହ ପରିଚିତ କିନ୍ତୁ ସହର ଲୋକଙ୍କର ଏ ପରିଚୟ ଯାହା ଦେଖା ଯାଉଛି ଆଗକୁ ଆହୁରି ଘନିଷ୍ଠ ହେବ। ସହରରେ ସ୍ୱପ୍ନର ଘର ତିଆରି ହେଲା କିନ୍ତୁ ସେଠି ବର୍ଷା ମାସ ତକ ରହିବା ନା ଅନ୍ୟତ୍ର ବ୍ୟବସ୍ଥା କରିବା ସେ ଚିନ୍ତାରେ ସହରବାସୀ। ଘାଇ, ଘଳିଆ ସହ ପଛୁଆ ପାଣି ପଶିବାର ଦୁର୍ଦ୍ଦଶା ଆଗରୁ ହୀରାକୁଦ ନିକଟବର୍ତ୍ତୀ ଜିଲ୍ଲାର ସହରବାସୀ ଭୋଗିଛନ୍ତି। ବର୍ଷାରେ ମୁନ୍ଦାଏ ପାଣିରେ କେମିତି କଟକ ବୁଡ଼େ ସେ ଚର୍ଚ୍ଚା ହୋଇଛି । ନଦୀ ପଠା ଭିତରକୁ ମାଡ଼ି ଯାଇ କେମିତି ଘରବାଡି ହେଉଛି। ବଡ ବଡ କୋଠା ଛିଡ଼ା କରାଯାଉଛି ସେ ସବୁ ଅଳ୍ପ ବହୁତେ ଆଲୋଚନା ବିଭିନ୍ନ ସମୟରେ ହୋଇଛି। କିନ୍ତୁ କାହା ଅନୁମତିରେ ସେ ଘର ନିର୍ମାଣ ହେଲା। କାହିଁକି ଖାଲ ଢିପ ବାଛବିଚାର ନହୋଇ ପୋଖରୀ, ଗଡ଼ିଆ, ପୁଷ୍କରିଣୀ ପୋତି ଲୋକ ରହିଲେ ଏବେ ସମସ୍ତେ ସମସ୍ତଙ୍କୁ ପଚରାଉଚରା କରୁଛନ୍ତି। କିନ୍ତୁ ଉତ୍ତର ଦେବା ବେଳେ ନା ଘର କରି ରହିବା ଲୋକ ନା ଘର ପାଇଁ ଅନୁମତି ଦେବା ଲୋକ ବାସ୍ତବରେ ଉତ୍ତରଦାୟୀ ହେବାକୁ କେହି ଚାହୁଁ ନାହାଁନ୍ତି।

    ଉପଯୁକ୍ତ ଯୋଜନା ସହ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ସହର ଗଢି ଉଠିବା ଆବଶ୍ୟକ। ଜନସଂଖ୍ୟା ବଢୁଛି ବିଭିନ୍ନ ସହରରେ ରୋଜଗାରର ଆବଶ୍ୟକତା ଦେଖି ନିର୍ଦ୍ଧିଷ୍ଟ ସ୍ଥାନ ମାନଙ୍କରେ ଜନସାନ୍ଧ୍ରତା ବୃଦ୍ଧି ପାଉଛି। ତେଣୁ ଲୋକଙ୍କ ବସତି ପାଇଁ ସହରର କାୟା ବଢିବ। କିନ୍ତୁ ସେ ସହରକୁ ରହିବା ଯୋଗ୍ୟ କରିବା, ସହରବାସିନ୍ଦାଙ୍କୁ ସୁସ୍ଥ ପରିବେଶ ଯୋଗାଇବାକୁ ହେଲେ ସହର କେବଳ କଂକ୍ରିଟରେ ଗଢା ହେବ ନାହିଁ। ସେଠି ସବୁଜ ଆସ୍ତରଣ ରହିବ, ଜଳ ଉତ୍ସ ରହିବ, ସହରରେ ଆବଶ୍ୟକୀୟ ଡ୍ରେନେଜ୍ ଓ ସ୍ୱେରେଜ ବ୍ୟବସ୍ଥା ରହିବା ଜରୁରୀ। କିନ୍ତୁ ଏସବୁର ଅଭାବ କେବଳ ରାଜଧାନୀ ଭୁବନେଶ୍ୱରକୁ ଉଦାହରଣ ଆକାରରେ ନେଲେ ବୁଝିହେବ। ଏଠି କେତେବେଳେ ନ୍ୟାସନାଲ ହାଇୱେ, କେବେ ଷ୍ଟେଟ ରୋଡ୍ ସହ ଡ୍ରେନେଜ୍ ସିଷ୍ଟମର ସମସ୍ୟାକୁ ଯୋଡ଼ାଯାଏ ତ ପୁଣି କେତେବେଳେ ଦୋଷ ଦିଆନିଆ ହୋଇ କଥା ଶେଷ କରାଯାଏ। ତେବେ ସମୟ ସହ ସମସ୍ୟା ବଢୁଛି ଏହାକୁ ସମସ୍ତେ ଆଖି ଆଗରେ ଦେଖୁଛନ୍ତି। ଯଦି ପାଣିପାଗ ପରିବର୍ତ୍ତନ ନୂଆ ନୂଆ ଆହ୍ୱାନ ଆଣୁଛି, ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଉନ୍ନତ ବ୍ୟବସ୍ଥା ହେବା ଆବଶ୍ୟକ।

    ଅବଶ୍ୟ କେବଳ ଯେ ଆମ ରାଜ୍ୟର ସହର ବନ୍ୟାରେ ବୁଡ଼ୁଛି ତା ନୁହେଁ । ମୁମ୍ୱାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଅହମ୍ମଦାବାଦ ଆଦି ବଡ ସହରରେ କେମିତି ସହର ବଢିବା ବେଳେ ଗଢିବା ଯୋଜନା ଫେଲ ମାରିଛି ତାହା ବିଗତ ଦିନରେ ଧରା ପଡ଼ିଛି। ଏହି ସହରୀ ବନ୍ୟା ଶହ ଶହ ଲୋକଙ୍କ ଜୀବନ ନେଲାଣି। ତଥାପି ଆମେ ବୁଦ୍ଧି ଶିଖିନୁ। ଆଜି ଆମେ ସହରରେ ବନ୍ୟା ଦେଖୁଛୁ ଅର୍ଥାତ୍ କାଲି ନିଶ୍ଚୟଁ ମରୁଡ଼ି ଦେଖିବା ଯେଉଁଠି ଜଳର ଘୋର ଅଭାବ ରହିବ। ସହରକୁ ଆମେ ଏମିତି ନିର୍ମାଣ ସାମଗ୍ରୀରେ ଗଢିଛୁ ଯେଉଁଠି ବର୍ଷା ଜଳ ମାଟି ତଳକୁ ଶୋଷିବାର ଉପାୟ ନାହିଁ । ବଡ ବଡ ଫ୍ଲାଏ ଓଭର ତିଆର ବେଳେ ବନ୍ୟା ଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବଢାଇବାର ଉପାୟ କରୁନୁ। ଚେନାଏ ମାଟି ଜାଗା ନରଖି ଚାରିଆଡେ କଂକ୍ରିଟର ଗାଲିଚା ବିଛାଉଛୁ। ପରିବେଶ ଅନୁକୂଳ ସହର ନିର୍ମାଣ ଆଜି ଦିନର ଆବଶ୍ୟକତା ହୋଇଥିଲେ ମଧ୍ୟ ତାକୁ ଆମେ ଭୁଲିଯାଉଛୁ। ସବୁଠାରୁ ବିଡମ୍ୱନା ଯାହାକୁ ବେଆଇନ ଜବରଦଖଲ ଜମିରେ ଘର କରାଯାଇଛି କୁହାଯାଉଛି ସେ ମଧ୍ୟରୁ ଅନେକଙ୍କୁ ଆଇନସମ୍ମତ କରିବାର ଉପାୟ କରାଯାଏ ତାହା ପୁଣି ସରକାରୀ ଭାବେ। ସେଥିପାଇଁ ସହରୀ ବନ୍ୟା ମନୁଷ୍ୟକୃତ ବୋଲି କୁହାଯାଉଛି।

    ସ୍ମାର୍ଟ ସିଟି କଥା ଢେର ଚର୍ଚ୍ଚା ହେଉଛି ହେଲେ ପରିବେଶ ଅନୁକୂଳ, ବିପର୍ଯ୍ୟୟ ପ୍ରତିରୋଧକାରୀ ସହର ନିର୍ମାଣ ପ୍ରାଥମିକତାରେ ନାହିଁ। ସହର ମାଷ୍ଟରପ୍ଲାନ୍ ର ମୂଳ ପ୍ରସଙ୍ଗ ଡ୍ରେନେଜ୍ ସିଷ୍ଟମ୍ ଯାହା ପରିମଳ ପାଇଁ ଏବଂ ବର୍ଷାଜଳ ନିଷ୍କାସନ ପାଇଁ ସହାୟକ ହୁଅନ୍ତା କିନ୍ତୁ ସେ ଦିଗକୁ ଗୁରୁତ୍ୱ ନାହିଁ। ‘ଲ୍ୟାଣ୍ଡ ରେଗୁଲେସନ୍ ରୁଲ୍’ ପ୍ରୀୟାପ୍ରିତିରେ ଚାଲିଲେ ଏ ସମସ୍ୟା ସୁଧୁରିବ ନାହିଁ। ‘ପ୍ରାକୃତିକ ଜଳ ଉତ୍ସର ପୁନଃଉଦ୍ଧାର ଆମ ସହର ପାଇଁ ଆବଶ୍ୟକ’ ତାହା କେବଳ ସ୍ଲୋଗାନ ହୋଇଛି। ତେଣୁ ଅଧପନ୍ତରିଆ ବିକାଶ ସହରକୁ ସ୍ମାର୍ଟ ନୁହେଁ ମାଧିଆ କରିଛି। ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ସହର ଗଢା ଯାଉନି କି ସହର ସମ୍ପ୍ରସାରିତ ହେଉନି। ଖାଲୁଆ ସ୍ଥାନରେ ଘର ଆଉ ତାଠାରୁ ଯଥେଷ୍ଟ ଉଚ୍ଚରେ ରାସ୍ତା ଭଳି ବିକଳ ପ୍ଲାନିଂ ସହ ଆମେ ସହର ବିକାଶ ଯୋଜନାକୁ ଆଗେଇ ନେଉଛୁ। ନଦୀ ଜଳର ଗତିପଥ ଅବରୋଧ ଏକ ଅଭ୍ୟାସ ହୋଇଛି। ଆଜି ସବୁଠି ସ୍ପଞ୍ଜ୍ ସିଟି କଥା କୁହାଯାଉଛି। ସହଜରେ ବୁଝିବାକୁ ହେଲେ, ଏମିତି ସହର ତିଆର ହେଉ ଯିଏ ବର୍ଷା ପାଣିକୁ ସ୍ପଞ୍ଜ୍ ଭଳି ଶୋଷି ନେବ, ଛାଣି ପାରିବ ଏବଂ ମାଟି ତଳର ଜଳ ଉତ୍ସରେ ମିଶିବ। କିନ୍ତୁ ଦୁର୍ଭାଗ୍ୟର କଥା ଆମେ ନିଜେ ଆମ ରାଜଧାନୀକୁ ସ୍ପଞ୍ଜ୍ ସିଟି ରୁ କଂକ୍ରିଟ୍ ସିଟିରେ ହାତେ ହାତେ ତିଆରି କରିଛୁ। ତେଣୁ ସହରରେ ବନ୍ୟା ହେବ ନିଶ୍ଚୟଁ ଆଉ ସହରୀ ଲୋକ ବର୍ଷା ଦିନେ ଏମିତି ହନ୍ତସନ୍ତ ହେବା ଥୟ।

    • ସୁପ୍ରିୟା ଦାଶଙ୍କ ରିପୋର୍ଟ

  • ରାଜସ୍ଥାନରେ ଦୁଇ ଦିନ ସ୍କୁଲ ବନ୍ଦ

    ରାଜସ୍ଥାନ: ରାଜସ୍ଥାନରେ ଲାଗିରହିଛି ପ୍ରବଳ ବର୍ଷା। ପ୍ରବଳ ବର୍ଷା ଯୋଗୁଁ ଦୁଇ ଦିନ ପାଇଁ କୋଟା, ବୁନ୍ଦିରେ ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି। ବର୍ଷା ଏବଂ କୋଟା ବ୍ୟାରେଜରୁ ପାଣି ଛଡାଯିବା ପରେ ସମଗ୍ର ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା। ସେପଟେ କୋଟାରେ ପ୍ରାୟ ୩୫ଶହ ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟୀ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

  • ୧୨ ଜିଲାକୁ ଅରେଞ୍ଜ ୱାରିଂ, ୬କୁ ୟେଲୋ

    ଭୁବନେଶ୍ବର: ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହେବାପରେ ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରି ଦକ୍ଷିଣ ଝାଡ଼ଖଣ୍ଡ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଅଞ୍ଚଳରେ, ଝାରସୁଗୁଡା ଠାରୁ ପୂର୍ବ-ଉତ୍ତର ଦିଗରେ ୧୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ।

    ଏହା ଏବେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଦେଇ ଗତି କରିବା ସହ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ବର୍ଷା ସମ୍ଭାବନା ରହିଛି। ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ଝାରସୁଗୁଡ଼ା ସୁନ୍ଦରଗଡ଼, କେଉଁଝର, ଦେଓଗଡ଼,ସମ୍ବଲପୁର, ନୂଆପଡ଼ା,ବରଗଡ଼, ସୋନପୁର,ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ୱାରିଂ ଜାରି ହୋଇଥିବା  ବେଳେ ମୟୂରଭଞ୍ଜ, ଅନୁଗୁଳ, କୋରାପୁଟ, ଗଜପତି, ରାୟଗଡ଼ା,ନବରଙ୍ଗପୁର ଏହି ୬ଟି ଜିଲ୍ଲାକୁ ୟେଲୋ ୱାରିଂ ଜାରି ହୋଇଛି ।

    ତେବେ କାଲି ଠାରୁ ବର୍ଷା କମିବ। କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭବନା ରହିଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି।ଏହି ସମୟରେ ପବନର ବେଗ ୪୦ ରୁ ୫୦ ଏବଂ ସର୍ବାଧିକ ୬୦ କିମି ରହିବ। ଆଗାମୀ ୧୨ ଘଣ୍ଟା ପାଇଁ  ଉତ୍ତର ଓଡ଼ିଶାର ସୁନ୍ଦରଗଡ଼, କେଉଁଝର, ମୟୂଭଞ୍ଜରେ ୩୦ ରୁ ୪୦  କିମି ଏବଂ ସର୍ବାଧିକ ୫୦ ବେଗରେ ପବନ ବହିବାର ସମ୍ଭାବନା।ଗଭୀର ଅବପାତ ପ୍ରଭାବରେ ରାଜ୍ୟର  ଗତ ୨୪ ଘଣ୍ଟା ରେ ବାଲେଶ୍ୱର ର ଭୋଗରାଇ ରେ ସର୍ବାଧିକ ୨୨୬ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ ଆର ବିଶ୍ବାସ।

    *ସିମ୍ପୁଲ ନାୟକଙ୍କ ରିପୋର୍ଟ

Back to top button