କାନ୍ଥ ପଡି ବୃଦ୍ଧା ଗୁରୁତର

Spread the love

ଉମରକୋଟ: ଠକିଦେଲା ପୌର ପ୍ରଶାସନ। ଖରା ଯାଇ ବର୍ଷା ଆସିଲା। ତଥାପି ଘର ମିଳିଲାନି । ଶେଷରେ ଲଗାଣ ବର୍ଷାରେ ଭଙ୍ଗା କୁଡ଼ିଆର କାନ୍ଥ ପଡ଼ି ବୃଦ୍ଧା ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ  ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳର ୭ ନମ୍ବର ୱାର୍ଡ ଅନ୍ତର୍ଗତ କୁସୁମଗୁଡା ସାହିର ସାଇବତୀ ହରିଜନ। ନିଜର ଦିବ୍ୟାଙ୍ଗ ବଡ ଝିଅ ସହ ଭଙ୍ଗା କୁଡ଼ିଆରେ ରୁହନ୍ତି।  ସେ ରହୁଥିବା ଘର ଡିହ ଖଣ୍ଡିକର ପଟ୍ଟା ଆଜି ପର୍ଯ୍ୟନ୍ତ ମିଳି ନଥିବାରୁ ତାଙ୍କୁ ଆବାସ ଘର ମଧ୍ୟ ମିଳି ପାରିନି। ବୃଦ୍ଧା ଜଣକ ଏ ନେଇ ବାରମ୍ବାର ପୌର ପ୍ରଶାସନକୁ ଜଣାଇବା ପରେ ପୌର ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ପୌର ନିର୍ବାହୀ ଅଧିକାରୀ ସାଇବତୀଙ୍କ  ଘରକୁ ଯାଇ ତାଙ୍କୁ ଘର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

କିନ୍ତୁ, ରାଜ୍ୟ ସରକାରଙ୍କ ଜାଗା ମିଶନ ଆନୁକୂଲ୍ୟରେ ଘର ଡିହ ପଟ୍ଟା ପାଇବାକୁ ପୌର ପ୍ରଶାସନ ଏହାର ଫିସ ବାବଦକୁ ୧୮ ହଜାର ଟଙ୍କା ଜମା କରିବା ପାଇଁ କହିଥିଲେ । ତେବେ ପର ଘରେ ବାସନ ମାଜି ଘର ଚଳାଉଥିବା ସାଇବତୀଙ୍କ ପାଇଁ ଏହା ଥିଲା ସାତ ସପନ। ଟଙ୍କା ଜମା କରି ପାରିନଥିଲେ ସାଇବତୀ। ଫଳରେ ବାଧ୍ୟ ହୋଇ ନିଜର ଭାଗ୍ୟକୁ ଆଦରି ଭଙ୍ଗା କୁଡ଼ିଆରେ ପଡି ରହିଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଭଙ୍ଗା କୁଡ଼ିଆର କାନ୍ଥ ପଡ଼ି ସାଇବତୀଙ୍କ ଦେହରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତୀ କରିଥିବା ବେଳେ ଚିକିତ୍ସାଧୀନ ଅଛନ୍ତି ସାଇବତୀ।

ଆବାସ ଗୃହ ଯୋଗାଇବାକୁ ଦିଆଯାଇଥିବା ପ୍ରତିଶୃତି ସମ୍ପର୍କ ରେ ବୁଝିବା ପାଇଁ ଆମେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ପାଖରେ ପହଂଚିଥିଲୁ । ସେ କହିଛନ୍ତି ସାଇବତୀ ଙ୍କ ର ଆବାସ ଗୃହ ପାଇଁ ସମ୍ପୂର୍ଣ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ହୋଇଛି । କାଉନସିଲ ବୈଠକ ପରେ ଜିଲ୍ଲା ସହରାଞ୍ଚଳ ହାଉସିଂ ସୋସାଇଟି ଙ୍କୁ ପଠାଯିବ । ସେଠାରୁ ମଞ୍ଜୁର ହେବା ପରେ ସାଇବତୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦିଆଯିବ ।

ତେବେ  ଦେଖିବାକୁ ବାକି ରହିଲା ସାଇବତୀଙ୍କୁ କେବେ ଘର ମିଳୁଛି।

ସଞ୍ଜିତ କୁମାର ବିଶ୍ଵାସଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *