ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀଙ୍କ କକ୍ଷତ୍ୟାଗ

Spread the love

() ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ହଟ୍ଟଗୋଳ। କକ୍ଷତ୍ୟାଗ। ଧାରଣା। କିଛି ଏମିତି ବିରଳ ଦୃଶ୍ୟର ସାକ୍ଷୀ ଆଜି ସାଜିଲା ଓଡ଼ିଶା ବିଧାନସଭା। ଅବଶ୍ୟ ଅଭିଭାଷଣ ସାରିଥିଲେ ରାଜ୍ୟପାଳ। କିନ୍ତୁ ଅଭିଭାଷଣ ପୂର୍ବରୁ ଓ ଅଭିଭାଷଣ ସମୟରେ ବିରୋଧୀ ଯେଭଳି ହଙ୍ଗାମା କଲେ, ତାହା ଥିଲା ବିରଳ। ରାଜ୍ୟପାଳଙ୍କ ମୁହଁରେ ସରକାର ନିଜର ଗୋଲାପୀ ଚିତ୍ର ଆଙ୍କୁଥିଲା ବେଳେ ବାସ୍ତବତା ଭିନ୍ନ ବୋଲି ବିରୋଧୀ କହିଛନ୍ତି। ଆଉ ବିରୋଧୀଙ୍କ ଏଭଳି ଆଚରଣକୁ ନେଇ ସମାଲୋଚନା କରିଛି ଶାସକ ଦଳ।

ଷୋଡ଼ଷ ବିଧାନସଭା ଦ୍ୱାଦଶ ଅଧିବେଶନର ପ୍ରଥମ ଦିନ। ବିଧାନସଭାରେ ପହଞ୍ଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଗାର୍ଡ ଅଫ ଅନର ଦିଆଯିବା ପରେ ଗୃହକୁ ପାଛୋଟି ନେଇଥିଲେ ବାଚସ୍ପତି। ଆଉ ରାଜ୍ୟପାଳ ନିଜ ଅଭିଭାଷଣ ପଢ଼ିବାକୁ ପ୍ରସ୍ତୁତ ହେଉଥିଲେ। ଠିକ୍ ଏହି ସମୟରେ ନବ ଦାସ ହତ୍ୟା ମାମଲାରେ ସରକାରଙ୍କଠୁ ସ୍ପଷ୍ଟୀକରଣ ଲୋଡିଥିଲେ ନରସିଂହ ମିଶ୍ର। ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। କିନ୍ତୁ କୌଣସି ଉତ୍ତର ମିଳିନଥିଲା। ଆଉ ଏହାର ପ୍ରତିବାଦ କରି ଆଗ କଂଗ୍ରେସ ଓ ପଛେ ପଛେ ବିଜେପି ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ଆରମ୍ଭ କରିଥିଲେ। ଉଭୟ ଦଳ କକ୍ଷ ତ୍ୟାଗ କରିଥିଲେ। ରାଜ୍ୟପାଳ ନିଜ ଅଭିଭାଷଣରେ ସରକାରଙ୍କ ଜନହିତରେ ଅନେକ କାର୍ଯ୍ୟକ୍ରମ ଓ ଉପଲବ୍ଧିକୁ ସ୍ଥାନ ଦେଇଥିଲେ।

ତେବେ ରାଜ୍ୟପାଳ ଅଭିଭାଷଣ ପଢ଼ୁଥିଲା ବେଳେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟପାଳଙ୍କୁ ଆକ୍ଷେପ କରି କଟୁକ୍ତି ପ୍ରକାଶ କରିଥିଲେ। ରାଜ୍ୟପାଳ ବିଜେପିର ଏଜେଣ୍ଟ ସାଜିବା ସହ ରାଜ୍ୟ ସରକାରଙ୍କ ବି ଦଲାଲ୍ ବୋଲି କହିବାକୁ ପଛାଇନଥିଲେ ବାହିନୀପତି। ଅଭିଭାଷଣରେ ଆଇନଶୃଙ୍ଖଳା କଥା ଉଲ୍ଲେଖ ନାହିଁ। ଗୋପାଳ ଦାସଙ୍କୁ ପାଗଳ ସଜାଇ ପୁରା ଘଟଣାକୁ ଘୋଡ଼ାଇବାକୁ ଚକ୍ରାନ୍ତ ଚାଲିଛି। ସେପଟେ ନବଙ୍କ ଝିଅ ଦିପାଳୀ ବାପାଙ୍କ ମୃତ୍ୟୁକୁ ରାଜନୀତିକରଣ କରାନଯାଉ କହିବା ପରେ ଏହାର ଜବାବ ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ।

କେହି ଏହାର ରାଜନୀତିକରଣ କରୁନାହାନ୍ତି। ଯଦି ପ୍ରକୃତ ହତ୍ୟାକାରୀରୁ ପଦାକୁ ଆଣିବାକୁ ପରିବାର ଚାହୁଁନାହାନ୍ତି, ତା ହେଲେ କିଛି କହିବାର ନାହିଁ। ସାଧାରଣ ଲୋକେ ବି ନବ ହତ୍ୟା ଗୁମର କଥା ଜାଣିବାକୁ ଚାହୁଁଛନ୍ତି। କ୍ରାଇମବ୍ରାଞ୍ଚର ତଦନ୍ତ କେବଳ ଗୋପାଳଙ୍କ ଚାରିପଟେ ଘୁରିବୁଲୁଛି। ଏହା କୌଣସି ଦଳୀୟ କଥା ନୁହେଁ କି ପାରିବାରିକ ବ୍ୟାପାର ନୁହେଁ। ସେପଟେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଦୁଇ ବିରୋଧୀ ଦଳର କାର୍ଯ୍ୟକଳାପକୁ ଦୁର୍ଭାଗ୍ୟଜନକ ବୋଲି କହିଛି ଶାସକ ଦଳ। ଜଷ୍ଟିସ ଜେପି ଦାସଙ୍କ ତତ୍ତ୍ୱବଧାନରେ ତଦନ୍ତ ଚାଲିଛି। ଆଇନ ବ୍ୟବସ୍ଥା ଉପରେ ଯାହାର ଭରସା ନଥାଏ, ସେମାନେ ଏଭଳି ଆଚରଣ କରନ୍ତି।

ନବ ଦାସ ହତ୍ୟାକାଣ୍ଡକୁ ନେଇ ହୁଲସ୍ତୁଲ ବିଧାନସଭା। ନବଙ୍କ ହତ୍ୟା ଗୁମର ପେଡ଼ି ଏଯାଏ ଖୋଲିଲାନି। ନା କ୍ରାଇମବ୍ରାଞ୍ଚ ମୁହଁ ଖୋଲୁଛି ନା ଡିଜିପି ମୁହଁ ଖୋଲୁଛନ୍ତି। ନା ସରକାରୀ ଦଳ କିଛି କହୁଛି। କୌଣସି ସ୍ପଷ୍ଟତା ଆସିନଥିଲା ବେଳେ ଅଚାନକ ଦୀପାଳୀଙ୍କ ଏଣ୍ଟ୍ରି କାହା ସ୍ୱାର୍ଥରେ ବୋଲି ବିରୋଧୀ ଅଙ୍ଗୁଳି ଉଠାଇଲେଣି। ତଦନ୍ତ ଚାଲିଛି। ରହସ୍ୟ ଫିଟିବ। ଏ କଥା ସରକାର କହୁଥିଲା ବେଳେ ବିରୋଧୀଙ୍କ ଧୈର୍ଯ୍ୟଚ୍ୟୁତି ହେଲାଣି।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *