ଭୁବନେଶ୍ବରରେ ଜାଗା କିଣିବା ନୁହେଁ ସହଜ

Spread the love

ଭୁବନେଶ୍ୱର: ଭୁବନେଶ୍ବରରେ ଜମି ଓ ଜାଗା କିଣିବାକୁ ସମସ୍ତେ ଆଗଭର। କିଛି କିଣିପାରନ୍ତି ଓ ଅନେକ ଠକିଯିବା ଭୟରେ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଯେଉଁମାନେ  କିଣନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ବିଡିଏରୁ ଘର କରିବା ଆଗରୁ ପ୍ଲାନ ମଞ୍ଜୁରୀ ଆଣନ୍ତିନି। ସେଥିଲାଗି ତ ନିଜେ ହଇରାଣ ହୁଅନ୍ତି। ଆଉ ରାଜଧାନୀ ବିକାଶରେ ବି ବାଧା ସାଜନ୍ତି। ଚଳିତ ଲଗାଣ ବର୍ଷା ଓ ବନ୍ୟା ଭୁବନେଶ୍ୱର ତଳି ଅଞ୍ଚଳବାସୀଙ୍କୁ ଯେତିକି ଦୁର୍ଦ୍ଦଶା ଦେଲା, ତାଠୁ ବଳିଗଲା ଆପାର୍ଟମେଣ୍ଟରେ ରହୁଥିବା ବାସିନ୍ଦାଙ୍କ ଦୁର୍ଦ୍ଦଶା।

୩୧ ଅଗଷ୍ଟ ୨୦୧୯। ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ହାତରୁ ଏହି ଦମ୍ପତ୍ତି ପାଇଥିଲେ ଘର ପ୍ଲାନ ମଞ୍ଜୁରୀ ପ୍ରମାଣପତ୍ର। ତା ପୁଣି ଆବେଦନର ୪୮ ଘଣ୍ଟା ଭିତରେ ମଞ୍ଜୁରୀ ଦେଇଥିଲା ବିଡିଏ। ଅନ୍ୟମାନେ ବି ଘର କରିବା ଆଗରୁ ଆଉ ବିଡିଏ କି ବିଏମସିକୁ ବାରମ୍ୱାର ଦୌଡ଼ିବେନି। ଆନୁସଙ୍ଗିକ କାଗଜପତ୍ର ଠିକ୍ ଥିଲେ ଆବେଦନର ୪୮ ଘଣ୍ଟା ଭିତରେ ହାତ ପାହାନ୍ତାରେ ପ୍ଲାନ ଅନୁମୋଦନ ପତ୍ର। ଏହାରି ଭିତରେ ୩ ବର୍ଷ ବିତିଗଲାଣି। ଦେଖିବାକୁ ଗଲେ ଏମିତି କେତେ ଲୋକ ଆଇନସମ୍ମତ ବିଡିଏର ଅନୁମତି ଲୋଡ଼ିଛନ୍ତି। କେତେ ପାଇଛନ୍ତି। ଯଦି ବାସ୍ତବତା ଦେଖିବା, ତେବେ ବିଡିଏରୁ ପ୍ଲାନ୍ ମଞ୍ଜୁରୀ ଆଣିବାକୁ ଲୋକେ ଏତେ ଆଗଭର ହେଉନାହାନ୍ତି। ଆଉ ତାହାର ମୂଳ କାରଣ ହେଲା, ଜାଗା ସିନା କିଣିଛନ୍ତି ଲୋକେ। କିନ୍ତୁ ତାହାର ଲେ-ଆଉଟ୍ ଆପ୍ରୁଭାଲ୍ ନାହିଁ। ବିଲଡର ବଡ଼ ବଡ଼ ଜମିକୁ ପାର୍ଟ-ପ୍ଲଟ୍ କରି ବିକିବା ଆଗରୁ ଅଧିକ ଟଙ୍କା ଖର୍ଚ୍ଚ କରି ବିଡିଏରୁ ଲେ-ଆଉଟ ଆପ୍ରୁଭାଲ ଆଣିବାକୁ ଉଚିତ ମଣୁନାହାନ୍ତି। ତା ସହ ବଡ଼ ପ୍ଲଟ ଭିତରେ ୩୦ ଫୁଟିଆ ରାସ୍ତା ଦେବା, ସେଟବ୍ୟାକ୍ ଛାଡ଼ିବା ଆଦି ସମ୍ଭବ ହେଉନି। ଏମିତି ହେଲେ ବିକିବେ କଅଣ ଓ ଲାଭ ପାଇବେ କଅଣ। ଏହି ମାନସିକତାରେ ବିଲଡର ପଡ଼ିଥିଲା ବେଳେ ଏଥିରେ ଖାପ୍ ନ ଖୁଆଇଲେ କ୍ରେତା ବି ଜମି କିଣିପାରିବନି। ସେଥିଲାଗି ବିଲଡର ହାତରେ କାଟୁଥିବା ନକ୍ସା ଆଧାରରେ ଜାଗା କିଣିବା ଛଡ଼ା କ୍ରେତାଙ୍କର ବି ଚାରା ନାହିଁ। ଆଉ ବିନା ପ୍ଲାନରେ ଘର କରୁଥିବାରୁ ନିଜେ ତ ଅଡ଼ୁଆରେ ପଡ଼ୁଛନ୍ତି। ତା ସହ ସହରରେ କୃତ୍ରିମ ବନ୍ୟା ଲାଗି ବି ଏମାନେ ହିଁ ଦାୟୀ। କାରଣ କିଏ ଡ୍ରେନେଜ୍ ସିଷ୍ଟମକୁ ପୋତି ପକାଇଲାଣି ତ କିଏ ଆଉ କାହାର ବାଉଣ୍ଡରୀକୁ ମାଡ଼ିବସିଲାଣି। ଆଇନଗତ ବିବାଦରେ ଫସୁଛନ୍ତି କ୍ରେତା। କିନ୍ତୁ ବିଲଡର ଛୁ। ଜମି ବିକିବା ପରେ ତା କାମ ସରିଗଲା। ଆଉ ରାଜଧାନୀରେ ଜାଗା, ଘର କିଣିବା ମୋହରେ ପଡ଼ିଥିବା ଲୋକଟି ହଇରାଣ ହରକତ ହେବା ଛଡ଼ା ଚାରା ନାହିଁ। ଚଳିତ ଲଗାଣବର୍ଷା ଓ ବନ୍ୟାରେ ସୁନ୍ଦରପଦାରେ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ଦୁର୍ଦ୍ଦଶା ବି କିଛି ଏମିତି ଚିତ୍ରକୁ ବୟାନ କରୁଥିଲା। ଜଟଣୀ-ସୁନ୍ଦରପଦା ରାସ୍ତାରେ ଛତୁ ଫୁଟିଲା ଭଳି ଆପାର୍ଟମେଣ୍ଟ। ଲୋକେ ରହୁଛନ୍ତି ସତ। କିନ୍ତୁ ସ୍ୱଳ୍ପ ବର୍ଷାରେ ବଢ଼ି ଅଞ୍ଚଳରେ ରହୁଥିବା ଭଳି ଦୁର୍ଦ୍ଦଶା ଭୋଗୁଛନ୍ତି। କାରଣ ବିନା ପ୍ଲାନରେ ଅଟ୍ଟାଳିକାରେ ରହିବାର ସ୍ୱପ୍ନରେ ଅନ୍ଧ କ୍ରେତାଙ୍କୁ ଭୂଆଁ ବୁଲାଇବାରେ ବିଲଡର ଯେତିକି ମାହିର୍। ଠିକ୍ ସେମିତି କାଗଜପତ୍ର, ନକ୍ସା ଓ ପ୍ଲାନ୍ ଅନୁମୋଦିତ ପ୍ରମାଣପତ୍ର ଠିକ୍ ଥିବା ଜାଗା ଦେଖିବାକୁ ଓ ପରଖିବାକୁ କ୍ରେତାଙ୍କର ବି ସମୟ ନାହିଁ। ସେଥିଲାଗି ତ ଭୁବନେଶ୍ୱର ଓ ଭୁବନେଶ୍ୱର ଉପଖଣ୍ଡରେ ଜାଗା କିଣିବାର ଲୋଭ ଓ ମୋହରେ ପଡ଼ିଥିବା ଲୋକ ହଇରାଣରେ ପଡ଼ିବା ସାର ହେଉଛି। ରିଅଲ ଇଷ୍ଟେଟ କାରବାରରେ ଜଡିତ କିଛି ଭଲ ଲୋକ ଏବେ ଫ୍ଲଡ୍ ଏରିଆ ଓ ରେଡ୍ ଜୋନରେ କିଣିଲେ କି ଅବସ୍ଥା ହେଉଛି, ତାହାର ଅବତାରଣା କରି ଲୋକଙ୍କୁ ସଚେତନ କରାଉଛନ୍ତି ସୋସିଆଲ ମିଡିଆରେ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *