ଭୁବନେଶ୍ୱର ଓ ଜଟଣୀ ସବ-ରେଜିଷ୍ଟ୍ରାର ସରକାରଙ୍କ ସୁନା ପୁଅ କି?

ଖଣ୍ଡଗିରି ସବରେଜିଷ୍ଟ୍ରାରଙ୍କୁ ନିଲମ୍ୱିତ କରିଛନ୍ତି ସରକାର। ପାର୍ଟ-ପ୍ଲଟ କେଳେଙ୍କାରୀ ଲାଗି ଖଣ୍ଡଗିରି ସବ-ରେଜିଷ୍ଟ୍ରାର ବିଶ୍ୱଜିତ ପ୍ରଧାନ ନିଲମ୍ୱନ ଦଣ୍ଡ ଭୋଗୁଛନ୍ତି। ପାର୍ଟ-ପ୍ଲଟ କିଣାବିକା କଟକଣା ବେଳେ ସବ-ରେଜିଷ୍ଟ୍ରାର ଅଫିସ୍ ର କନିଷ୍ଠ କିରାଣୀ ଦେବଯାନୀ କର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଆକ୍ସନର ଖଣ୍ଡା ଝୁଲୁଥିଲା ସବ-ରେଜିଷ୍ଟ୍ରାରଙ୍କ ଉପରେ। କାରଣ ଭିଜିଲାନ୍ସ ଖୋଳତାଡ଼ ବେଳେ ଅଫିସ ଆଲମିରାରେ ଥିବା ଲକ୍ଷ ଲକ୍ଷ ଟଙ୍କା କାହା ଉଦେଶ୍ୟରେ ଥିଲା କହି ଅଙ୍ଗୁଳି ଉଠିଥିଲା। ବଡ଼ ଅଧିକାରୀଙ୍କ ପକେଟକୁ ତଳିଆ କର୍ମଚାରୀଙ୍କ ଜରିଆରେ ଲାଞ୍ଚ ଟଙ୍କା ଯାଉଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଦେବଯାନୀ ଧରା ପଡ଼ିବା ସମୟରେ ଛୁଟିରେ ଥିଲେ ବିଶ୍ୱଜିତ୍। ତେବେ ବିବାହ କରି ଫେରିବା ପରେ ବିଶ୍ୱଜିତଙ୍କ ଉପରେ ଆକ୍ସନ ନେଲେ ସରକାର। ଗଲା ଅଗଷ୍ଟ ମାସରେ କଟକ ଜିଲ୍ଲା ଜଗତପୁରର ସବରେଜିଷ୍ଟ୍ରାର ଆର୍ଯ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟ ଓ ପିପିଲି ସବରେଜିଷ୍ଟ୍ରାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ନବକିଶୋର ପାତ୍ରଙ୍କୁ ନିଲମ୍ୱିତ କରାଯାଇଥିଲା। ଜମି ବିକ୍ରିରେ ବେଆଇନ କାରବାର ତଥା ଅନିୟମିତତା ଅଭିଯୋଗରେ ଏହି ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଆକ୍ସନ ହୋଇଥିଲା। କଥା ପଡ଼ିଛି। ରାଜସ୍ୱ ବିଭାଗର ସୂଚନା ଅନୁସାରେ କିଣାବିକା କଟକଣା ବେଳେ ରାଜକୋଷକୁ କ୍ଷତି ପହଞ୍ଚାଇ, ନିଜ ପକେଟ ଗରମ କରି ବେଆଇନ ଭାବେ ପାର୍ଟ-ପ୍ଲଟ ପଞ୍ଜୀକରଣ କରିଥିବା ସବ-ରେଜିଷ୍ଟ୍ରାରଙ୍କ ତଥ୍ୟ ମଗାଯାଇଥିଲା। ଖୋଦ୍ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହାକୁ ଅନୁଧ୍ୟାନ କରିଥିଲେ। ଯଦି ପାର୍ଟ-ପ୍ଲଟ୍ ପଞ୍ଜୀକରଣ କରିବା କଥା, ସମସ୍ତଙ୍କର ହେବାର ଥିଲା। ଯିଏ ହାତଗୁଞ୍ଜା ଦେଲା, ତାହାର ହେଉଥିଲା। ଆଉ ଯିଏ ନ ଦେଲା, ତାହାର ପଡ଼ି ରହୁଥିଲା। ଏମିତି କାହିଁକି ଫରକ୍ ବୋଲି ବାରିପାରି ମନ୍ତ୍ରୀ ପୂଜାରୀ ସମସ୍ତ ସବରେଜିଷ୍ଟ୍ରାରଙ୍କ ଚିଠା ମଗାଇଥିଲେ। ତଥ୍ୟ ଅନୁସାରେ, ଜଟଣୀ ସବରେଜିଷ୍ଟ୍ରାର ଅଫିସରେ ସର୍ବାଧିକ ପାର୍ଟ-ପ୍ଲଟ ପଞ୍ଜୀକରଣ ହୋଇଥିଲା। ତା ପଛକୁ ଥିଲା ଭୁବନେଶ୍ୱର ସବ-ରେଜିଷ୍ଟ୍ରାର ଅଫିସ। ଯଦି ଖଣ୍ଡଗିରି ସବ-ରେଜିଷ୍ଟ୍ରାରଙ୍କ ଉପରେ ଆକ୍ସନ ନେଲେ ସରକାର। ତା ହେଲେ ଜଟଣୀ ଓ ଭୁବନେଶ୍ୱର ସବ-ରେଜିଷ୍ଟ୍ରାର କେମିତି ସୁନା ପିଲା ହୋଇଗଲେ ବୋଲି ସବୁଠି ଚର୍ଚ୍ଚା। ନା ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅଫିସରେ ମହିଳା କିରାଣୀ ଭିଜିଲାନ୍ସ ହାତରେ ଧରାପଡ଼ିବାରୁ ସବ-ରେଜିଷ୍ଟ୍ରାରଙ୍କୁ ନିଲମ୍ୱିତ କରି ବାହାବା ଗୋଟାଇବାକୁ ଚାହୁଁଥିଲେ ସରକାର। ଆଉ ଯିଏ ଅଧିକ ଖାଇଛି। ଯେଉଁ ଅଫିସରେ ଅଧିକ ପାର୍ଟ-ପ୍ଲଟ ପଞ୍ଜୀକରଣ ହୋଇଛି, ସେମାନଙ୍କୁ କାହିଁକି ଦଣ୍ଡିତ କରିବାକୁ ସରକାରଙ୍କ ହାତ ଯାଉନି ବୋଲି ପ୍ରଶ୍ନ ଉଠୁଛି। ବିଡିଏ ଅଧୀନରେ ୫୫୬ ରାଜସ୍ୱ ଗାଁ ରହିଛି। ଭୁବନେଶ୍ୱର, ଖଣ୍ଡଗିରି ଓ ଖୋର୍ଦ୍ଧାକୁ ଛାଡ଼ିଦେଲେ କେବଳ ଜଟଣୀ ସବ-ରେଜିଷ୍ଟ୍ରାର ଅଫିସ ଅଧୀନରେ ବିଡିଏର ୧୨୧ ମୌଜା ରହିଛି। ସରକାରୀ ଖୋଳତାଡ଼ ଆଗରୁ ଓଡ଼ିଶା ବିକାଶ ଅଭିଯାନ ଜଟଣୀ ଓ ଭୁବନେଶ୍ୱର ସବ-ରେଜିଷ୍ଟ୍ରାର ଅଫିସରେ ପାର୍ଟ-ପ୍ଲଟ କେଳେଙ୍କାରୀର ପ୍ରମାଣସ୍ୱରୂପ ୧୦ଟି ଦଲିଲ୍ ନେଇ ରାଜସ୍ୱ ମନ୍ତ୍ରୀଙ୍କୁ ଦେଇଥିଲା। ରାଜସ୍ୱ ମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଦେଇ ଅନୁଧ୍ୟାନ ସହ କୌଣସିମତେ ରାଜସ୍ୱ କ୍ଷତି ହେବନି କି ବେଆଇନ ଅଧିକାରୀଙ୍କୁ ପ୍ରଶ୍ରୟ ଦିଆଯିବନି ବୋଲି ସ୍ପଷ୍ଟତା ରଖିଥିଲେ। ତା ସହ କହିଥିଲେ ବି, ଲୋକଙ୍କ ଜରୁରୀ ଆବଶ୍ୟକତା ସମୟରେ ଜମିର ଆଂଶିକ କିଣାବିକା କଟକଣାକୁ ହଟାଇବାକୁ ସରକାର ତ୍ୱରିତ ପଦକ୍ଷେପ ନେବେ। ତେବେ ହାତଗଣତି ଅଧିକାରୀଙ୍କ ଉପରେ ଆକ୍ସନ ନେଇ ସୀମିତ ରହିଗଲେ କି ସରକାର। ଏପ୍ରିଲରୁ ପାର୍ଟ-ପ୍ଲଟ କିଣାବିକା କଟକଣା ହଟିବ ବୋଲି କଥା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ। କିନ୍ତୁ ଯେପର୍ଯ୍ୟନ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ହଟାଇନାହାନ୍ତି। ସେ ପର୍ଯ୍ୟନ୍ତ ଲୋକଙ୍କ ଆସ୍ଥା ସବ-ରେଜିଷ୍ଟ୍ରାର ଅଫିସ ଓ ସରକାରଙ୍କ ପ୍ରତି କେମିତି ବଢିବ, ତାକୁ ନେଇ ସବୁଠି ଚର୍ଚ୍ଚା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *