ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ

Spread the love

ପୁରୀ : ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ ପରେ ଶ୍ରୀଜୀଉମାନେ ଜ୍ଵରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି । ଆଜି ଅଣସର ପିଣ୍ଡିରେ ଚତୁର୍ଦ୍ଧାମୂର୍ତିଙ୍କ ପଞ୍ଚମ ଦିନ । ଜ୍ଵରରୁ ଉପଶମ ପାଇଁ ଦଇତାପତି ସେବକ ମାନେ ଶ୍ରୀଜୀଉଙ୍କ ଗୁପ୍ତ ସେବା ଜାରୀ ରଖିଛନ୍ତି । ଅଣସର ପିଣ୍ଡିରେ ପଞ୍ଚମ ଦିବସରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହୋଇଛି । ଜ୍ଵରଗ୍ରସ୍ତ ଠାକୁର ମାନଙ୍କ ଦେହରୁ ମଜରା ଛଡାଇବାକୁ ଏହି ଉପଚାର କରାଯାଇଛି । ଶ୍ରୀଅଙ୍ଗକୁ ସୁସ୍ଥ କରିବାକୁ ଏହି ଫୁଲୁରୀ ତେଲ ମାଲିସ୍ କରାଯାଇଛି । ଶ୍ରୀକ୍ଷେତ୍ରରେ ଥିବା ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ତେଲ ଯୋଗାଇ ଦିଆଯାଇଥିଲା । ମଧ୍ୟାହ୍ନ ଧୂପ ବଢିବା ପରେ ପରମ୍ପରା ମୁତାବକ ଶ୍ରୀମନ୍ଦିର ପକ୍ଷରୁ ବଡ ଓଡ଼ିଆ ମଠକୁ ଫୁଲୁରୀ ତେଲ ବିଜେ ପାଇଁ ଖବର ଯାଇଥିଲା । ଏହାପରେ ତିନୋଟି ସେରିକିଆ ମାଟି ଘଡ଼ିରେ ଫୁଲୁରୀ ତେଲକୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା । ଦେଉଳ କରଣଙ୍କ ନେତୃତ୍ଵରେ ଏହାକୁ ଅଣସର ଗୃହକୁ ଅଣାଯିବା ପରେ ଦଇତାପତି ସେବକ ମାନେ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ୍ କରିଥିଲେ । ଶ୍ରୀଅଙ୍ଗରେ ଫୁଲରୀ ତେଲ ଲାଗି ପରେ ଏଣିକି ଧିରେ ଧିରେ ସୁସ୍ଥ ହେବେ ମହାପ୍ରଭୁ । ଆସନ୍ତା ୧୯ ତାରିଖରେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତି ।

ଗତକାଲି ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଫିଟା ନୀତି ସମ୍ପନ୍ନ ହୋଇଥିଲା । ଅଣସର ସମୟରେ ଶ୍ରୀଜୀଉମାନେ ଶ୍ଵେତ ବସ୍ତ୍ର ପରିଧାନ କରିବାର ବିଧି ରହିଛି । ଏହି ୧୫ ଦିନ ତୁଳସୀ ଲାଗି ହେବା ପରିବର୍ତେ ମହାପ୍ରଭୁଙ୍କୁ କେବଳ ଧଳାଫୁଲ ଲାଗି ହୋଇଥାଏ । ପଣା ଏବଂ ଚକଟା ଭୋଗ ଲାଗି ହୋଇଥାଏ।

ଏହି ସମୟରେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ପଟ୍ଟି ଦିଅଁ ପୂଜା ପାଉଛନ୍ତି । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ଵରୀ ପଟ୍ଟି ଦିଅଁ ସ୍ଥାପନା ହେବା ସହ ପୂଜିତ ହେଉଛନ୍ତି । ନୀତି ଓ ପରମ୍ପରା ଅନୁଯାୟୀ ପଟ୍ଟି ଦିଅଁଙ୍କ ପୂଜାର୍ଚ୍ଚନା ଚାଲିଛି ।

ଜୟ ବିଜୟ ଦ୍ଵାର ନିକଟରେ ଖଟ ଉପରେ ମଦନମୋହନ ରାମକୃଷ୍ଣ, ଶ୍ରୀଦେବୀ ଭୂଦେବୀ, ମାଧବ ଓ ଶ୍ରୀ ନୃସିଂହ ପଟ୍ଟିଦିଅଁଙ୍କ ସହ ପୂଜା ପାଉଛନ୍ତି । ଯାହାକି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳାଖେଳାର ଅନ୍ୟ ଏକ ନିଦର୍ଶନ । ଅନ୍ୟପକ୍ଷରେ ଏହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଛି ।

Leave a Reply

Your email address will not be published. Required fields are marked *