ଭୁବନେଶ୍ବର: ଓଡ଼ିଶାରେ ଏଣ୍ଟ୍ରି କଲା ୫-ଜି। ହେଲେ ପ୍ରବେଶ ପଥରୁ ହିଁ ରାଜନୀତି ଜୋରଦାର ହୋଇଛି। ଘୋଷଣାର ବହୁ ଆଗରୁ ୫-ଜି ସେବା ଶୁଭାରମ୍ଭ କରିଥିବାରୁ ସବୁତକ କ୍ରେଡିଟ୍ ପ୍ରଧାନମନ୍ତ୍ରୀଙ୍କ ବୋଲି ଦୁଇ କେନ୍ଦ୍ରମନ୍ତ୍ରୀ ଶୁଭାରମ୍ଭ ମଞ୍ଚରେ କହିଛନ୍ତି। ତା ସହ ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ କାମ ବ୍ୟଗ୍ର ହେବ ବୋଲି କହିଛନ୍ତି। କିନ୍ତୁ ଏହାକୁ ଦିନରେ ଲଣ୍ଠନ ବୋଲି ଅଭିହିତ କରିଛି ବିଜେଡି। ଆଉ କଂଗ୍ରେସ କହିଛି, ଏଥିରେ ରାଜନୀତି ଶୋଭା ପାଏନା।
ଓଡ଼ିଶାରେ ଏଣ୍ଟ୍ରି କଲା ୫-ଜି। ଆଉ ଏହି ଏଣ୍ଟ୍ରିରେ ବିଜେପି ସବୁତକ କ୍ରେଡିଟ୍ ଗୋଟାଇବାକୁ ପ୍ରୟାସ କରିଥିଲା ଯେମିତି। ୫-ଜି ସେବାର ଶୁଭାରମ୍ଭ ବେଳେ ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ କେମିତି ମୋଦିଙ୍କ ଲାଗି ଏହି ସେବା ସଅଳ ଉପଲବ୍ଧ ହେବା ସମ୍ଭବ ହେଲା ବୋଲି ଅବତାରଣା କରିଥିଲେ। ପ୍ରଧାନ ସାର୍ ଙ୍କ ଜରିଆରେ ଓଡ଼ିଶାରେ ୫-ଜି ସେବା ଶୁଭାରମ୍ଭରୁ ନେଇ କିଭଳି ଅଧିକରୁ ଅଧିକ ବିଛିନ୍ନାଞ୍ଚଳ ଗାଁ ମୋବାଇଲ ସଂଯୋଗ ପାଇବ, ସେ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସୁଫଳ ଓଡ଼ିଶା ପାଉଛି ଓ ପାଇବାକୁ ଯାଉଛିବୋଲି ଅଭିହିତ କରିଥିଲେ ଅଶ୍ୱିନୀ। ଆଉ ଧର୍ମେନ୍ଦ୍ର ବି କହିଥିଲେ ମୋଦି ଅଛନ୍ତି ବୋଲି ସବୁ ସମ୍ଭବ। ରାଜ୍ୟ ସରକାର ସହଯୋଗ କଲେ କାମ ଆହୁରି ଅଧିକ ବ୍ୟଗ୍ର ହେବ।
ହେଲେ ଏହାକୁ ଦିନରେ ଲଣ୍ଠନ ଦେଖାଇବା ଭଳି ବୋଲି କଟାକ୍ଷ କରିଛି ବିଜେଡି। ପ୍ରଚାର ସର୍ବସ୍ୱ ରାଜନୀତି। ୨-ଜି, ୩-ଜି ଯେଉଁଠି ପହଞ୍ଚିପାରୁନି। ଗାଁ ଗହଳିରେ କେମିତି ୫-ଜି ପହଞ୍ଚିବ ବୋଲି ପ୍ରଶ୍ନ କରିଛି। ଏବେ ବି ୬ହଜାରରୁ ଅଧିକ ଗାଁରେ ଇଣ୍ଟରନେଟ୍ ସୁବିଧା ନାହିଁ। ଖୋଦ୍ ସଂସଦ ପାଖରେ ବି ୫-ଜି ସେବା କାମ କରୁନି। ଆଦିବାସୀ ଓ ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ଆଗ ମୋବାଇଲ ସଂଯୋଗୀକରଣ ସୁଦୃଢ଼ କରନ୍ତୁ କେନ୍ଦ୍ର ସରକାର। ଭାରତ-ନେଟ୍ କାମ କେବେ ସରିବ, ଠିକଣା ନାହିଁ। ଆଉ ବିଜେଡିର ଏଭଳି ଆରୋପର ଜବାବ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ସରକାର ଯଦି ଚେଇଁ ଶୋଇଥିବେ, ତାଙ୍କୁ ଉଠାଇବ କିଏ।
ତେବେ କଂଗ୍ରେସ ଏହାକୁ ନେଇ ଭିନ୍ନ ମତ ରଖିଛି। ୫-ଜି ସେବାକୁ ସ୍ୱାଗତ କରିଛି। କିନ୍ତୁ ଏହାକୁ ନେଇ ହେଉଥିବା ରାଜନୀତିକୁ ପସନ୍ଦ କରିନି କଂଗ୍ରେସ। ଅନେକ ଗାଁରେ ଟାଓ୍ୱାର ନଥିଲା ବେଳେ ସହଯୋଗ ବଳରେ କାମ ଆଦାୟ ନ କରି କେହି ଶସ୍ତା ରାଜନୀତିରେ ମାତନ୍ତୁନି ବୋଲି କହିଛି।
୫-ଜି ସେବା ଏଣ୍ଟ୍ରିରୁ ହିଁ ପଲିଟିକ୍ସ। ଏଭଳି ସେବାକୁ ସ୍ୱାଗତ କରୁଛନ୍ତି ସଭିଏଁ ଯଦିଓ। ଯେମିତି ଶ୍ରେୟ ନେବାକୁ ବିଲକୁଲ ପଛଘୁଞ୍ଚା ଦେଉନି ବିଜେପି, ଠିକ୍ ସେମିତି ଦେବାକୁ ବି ରାଜି ନୁହେଁ ବିଜେଡି। ଆଉ କ୍ଷମତାରେ ନଥିବା କଂଗ୍ରେସ ପାଖରେ କେବଳ ୫-ଜି ସେବାକୁ ନେଇ ସ୍ୱାଗତ ସହ ପରାମର୍ଶ ଦେବା ଛଡ଼ା ଚାରା ନାହିଁ।
ନବକିଶୋର ସାହୁଙ୍କ ସହ ପ୍ରଦୀପ ନାୟକ
Naxatra News is now on Whatsapp
Join and get latest news update delivered to you via whatsapp
Join Now