ଓଡ଼ିଶା

ହକି ବିଶ୍ୱକପରେ ପଶିଲା ରାଜନୀତି

() ଜାନୁଆରୀ ୧୩ ତାରିଖରେ ଆରମ୍ଭ ହେବ ହକି ମହାକୁମ୍ଭ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆରମ୍ଭ ହୋଇଯାଇଛି ରାଜନୀତି । ହକି ନାଁରେ ଦଳୀୟ କାର୍ଯ୍ୟକ୍ରମ ସରକାର ପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧି । ଏପଟେ ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ ।

 ସରକାର ହକି ନୁହେଁ ନିଜର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ଆଣିଲେ ବିରୋଧି । ୨୨ରେ ସର୍ବଦଳୀୟ ବୈଠକ ଡ଼ାକିଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୩ ତାରିଖରେ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବ ପୁରୁଷ ହକି ବିଶ୍ୱକପ ୨୦୨୩ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏତିକି ବେଳେ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି । ରାଜ୍ୟ ସରକାର ଏହାକୁ ଦଳୀୟ କାର୍ଯ୍ୟକ୍ରମ ପରି ପ୍ରଚାର କରୁଥିବା କହିଛି କଂଗ୍ରେସ । ପ୍ରମୁଖ ଛକ ଗୁଡିକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ ହୋଡ଼ିଙ୍ଗକୁ ନାପସନ୍ଦ କରିଛି ଦଳ । ଏପଟେ ବିଜେପି ମଧ୍ୟ ହକି ବିଶ୍ୱକପ ରାଜ୍ୟରେ ଆୟୋଜିତ ହେବା ଗର୍ବର କଥା କହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟଧିକ ପ୍ରଚାରକୁ ନେଇ ଆପତ୍ତି ଉଠାଇଛି ।ଏହାସହ ସାଧାରଣ ଲୋକଙ୍କୁ ଟିକେଟ ନମିଳିବାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଦଳ ।

ସେପଟେ ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ସର୍ବଦଳୀୟ ବୈଠକ । ଯେଉଁଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ରହିବେ । ବିଶ୍ୱକପ ଆୟୋଜନ ସମ୍ୱନ୍ଧରେ ହେବ ଅଲୋଚନା । ଏହାସହ  ବିଶ୍ୱକପ ଆୟୋଜନ ପାଇଁ ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ ସରକାର । ଏପଟେ ଟିକେଟ ବିବାଦକୁ ନେଇ ସାଧାରଣ ଲୋକଙ୍କ ଠାରୁ ବିରୋଧି ଅସନ୍ତୋଷ ଯାହିର କରୁଥିବା ବେଳେ କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଅଧିକାଂଶ ଟିକେଟ ଅନଲାଇନରେ ବିକ୍ରି ହୋଇଛି । ଫଳରେ କାଉଣ୍ଟରରେ ଅଳ୍ପ ଟିକେଟ ଉପଲବ୍ଧ ହୋଇଥିଲା । ରାଜ୍ୟବାସୀ ହକି ଖେଳ ପ୍ରତି ଆକୃଷ୍ଟ ହେବା ଶୁଭଙ୍କର ବୋଲି କହିଛନ୍ତି ।

ତେବେ ହକି ବିଶ୍ୱକପରେ ୪୪ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଏଥିରେ ୧୬ଟି ଦେଶ ଭାଗ ନେବେ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରାଜନୀତି ପାରାମିଟର ମଧ୍ୟ ବଢିବାରେ ଲାଗିଛି । ଏବେ ସମସ୍ତଙ୍କ ନଜର ସର୍ବଦଳୀୟ ବୈଠକରେ କଣ ସବୁ ଆଲୋଚନା ହେଉଛି । ଏହାସହ ଶ୍ରେୟ ରାଜନୀତି ଥମୁଛି ନା ବଢୁଛି ।

ନବ କିଶୋର ସାହୁ

Leave a Reply

Your email address will not be published.

Back to top button