ଦରଦାମ ନିୟନ୍ତ୍ରଣରେ ସରକାର ଫେଲ୍। ଆଳୁ, ପିଆଜ, ତେଲ, ଡାଲିରୁ ନେଇ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀର ଦର ହୁହୁ ହୋଇ ବଢ଼ୁଛି। ମହଙ୍ଗା ମାଡ଼ରେ ରାଜ୍ୟବାସୀ ଅତିଷ୍ଠ ହୋଇଗଲେଣି। ଖାଇବା ତେଲରୁ ନେଇ ଜୋତା ପଲିସି, ଜାଲରୁ ପାଲ, ଅଟାରୁ ଡାଟା, ବାଲି, ସିମେଣ୍ଟ, ଛଡ଼, ରନ୍ଧନ ଗ୍ୟାସ୍ ସବୁଠି ଦର ମହଙ୍ଗା। କେବଳ ବ୍ୟାଙ୍କରେ ଟଙ୍କା ରଖିଲେ ସୁଧ, ନିବେଶରେ ରିଟର୍ଣ୍ଣ ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିଛି। କେନ୍ଦ୍ର ସରକାର କର୍ପୋରେଟ ଜଗତର ସ୍ୱାର୍ଥରେ। ଜିଏସଟି ଲଦି ଅଣ୍ଟା ଭାଙ୍ଗିଦେଲେଣି। ଆଉ ଓଡ଼ିଶା ସରକାର ଭାଟ୍ ହ୍ରାସ କରିବାର ନାଁ ଧରୁନାହାନ୍ତି। ମୁନାଫାଖୋରଙ୍କ ସହ ସରକାରଙ୍କ ମଧୁଚନ୍ଦ୍ରିକାରୁ ଏହା ପ୍ରତିଫଳନ। ଖୁଚୁରା ବ୍ୟବସାୟୀଙ୍କ ଉପରେ ଆକ୍ସନ ନେଇ ଝିଣ୍ଟିକା ମାରି ବଣି ପୋଷୁଛନ୍ତି ସରକାର। ଡବଲ ଇଞ୍ଜିନ ସରକାରର ଡବଲ ମିଛ ଧରାପଡ଼ିଯାଇଛି ବୋଲି କହିଛି ବିଜେଡି। ଦରଦାମ ବୃଦ୍ଧି ପ୍ରତିବାଦରେ ଅନେକ ଥର ବିଜେଡି ଆନ୍ଦୋଳନ କଲାଣି। କିନ୍ତୁ ସରକାର ମୁକବଧୀର ସାଜିଛନ୍ତି।କଂଗ୍ରେସ କହିଛି, ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଭାଟ୍ ହ୍ରାସ କରିବାର ଅଧିକାର ଅଛି। ଭାଟ୍ କମାଇଦେଲେ ହୁଏତ ଦରଦାମ ନିୟନ୍ତ୍ରଣରେ ଆସିବ। ତେଲ ଲୁଣ ସଂସାରରେ ମହଙ୍ଗା ମାଡ଼ ହୋଇଛି। ଜିଲ୍ଲା ସ୍ତରରେ ଦର ନିୟନ୍ତ୍ରଣରେ ଥିବା ପ୍ରଶାସନିକ ଅଧିକାରୀ ଅସାଧୁ ବେପାରୀଙ୍କ ସହ ମିଶିଛନ୍ତି। କେନ୍ଦ୍ର ଜିଏସଟି କମାଉ ଓ ରାଜ୍ୟ ଭାଟ୍ କମାଇବାକୁ ଦାବି କରିଛି କଂଗ୍ରେସ। ମୁଲତବୀ ଆଲୋଚନାରେ ଦରଦାମ ବୃଦ୍ଧିରେ ହନ୍ତସନ୍ତ ଜନତା ଓ ଦର ନିୟନ୍ତ୍ରଣରେ ସରକାରଙ୍କ ବିଫଳତାକୁ ନେଇ ଏମିତି ଢଙ୍ଗରେ ଘେରିଥିଲେ ବିରୋଧୀ।
ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଦରଦାମ ନିୟନ୍ତ୍ରଣ ଲାଗି ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। କଳାବଜାରୀଙ୍କ ଉପରେ ନଜର ରଖାଯିବା ସହ ଆକ୍ସନ ହେଉଛି। ଅସାଧୁ ବେପାରୀଙ୍କ ସହ ସଲାସୁତୁରାରେ ଥିବା ଅଧିକାରୀଙ୍କୁ ବି ଛଡ଼ାଯାଉନି। ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ହେବ। ଶାସକ ଦଳ କହିଛି, ଦରଦାମକୁ ନେଇ ଗୃହକୁ ଭ୍ରମିତ କରୁଛନ୍ତି ବିରୋଧୀ। ନବୀନ ସରକାର ଅମଳରେ ଦରଦାମ ନିୟନ୍ତ୍ରଣ ଲାଗି କିଛି ହେଉନଥିଲା। କଂଗ୍ରେସ ସରକାର ଅମଳରେ ଦରଦାମ ବୃଦ୍ଧିକୁ ନେଇ ଫିଲ୍ମ ହେଉଥିଲା।
ଦରଦାମର ତାତି ବିଧାନସଭାକୁ ବେଶ୍ ସରଗରମ କରିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now