ଓଡ଼ିଶା

ଛାତ୍ର କଂଗ୍ରେସ ପକ୍ଷରୁ ନ୍ୟୁଜ ପୋର୍ଟାଲ ବିରୋଧରେ ଏତଲା, ଓଡ଼ିଶା ଭାସ୍କର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର : ଗାନ୍ଧୀ ପରିବାର ବିରୁଦ୍ଧରେ ନିରାଧାର ସମ୍ବାଦ ପରିବେଷଣ କରିଥିବା ଓଡ଼ିଶା ଭାସ୍କର ନ୍ୟୁଜ ପୋର୍ଟାଲ ବିରୁଦ୍ଧରେ ବୁଧବାର ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ମଂଚେଶ୍ୱର ଥାନାରେ ଏତଲା ଦିଆଯାଇଛି । ଏହାସହ ମଂଚେଶ୍ୱର ଶିଳ୍ପାଂଚଳରେ ଅବସ୍ଥିତ ଓଡ଼ିଶା ଭାସ୍କର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ଏହି କାର୍ଯ୍ୟାଳୟକୁ ଘେରାଉ କରାଯାଇଥିବାବେଳେ ପୋଲିସ୍ ପହଂଚି  କର୍ମକର୍ତାମାନଙ୍କୁ ଜୋର ଜବରଦସ୍ତ କରି ଉଠାଇନେଇଥିଲେ । ଛାତ୍ର କଂଗ୍ରେସ ପକ୍ଷରୁ ଭାସ୍କର କାର୍ଯ୍ୟାଳୟ ଉପରକୁ କାଳି ମାଡ କରାଯାଇଥିଲା ।

ଛାତ୍ର କଂଗ୍ରେସ ଅଭିଯୋଗ କରିଛି ଯେ ଓଡ଼ିଶା ଭାସ୍କର ନ୍ୟୁଜ ପୋର୍ଟାଲ କଂଗ୍ରେସ ଦଳକୁ ବଦନାମ ଓ ଅପମାନିତ କରିବା ପାଇଁ ଚକ୍ରାନ୍ତ କରିଛି । ଏହି ପୋର୍ଟାଲ ଜାତିର ଜନକ ମହାତ୍ମାଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ସ୍ୱାଧିନତା ସଂଗ୍ରାମୀ ପଣ୍ଡିତ ଜବାହାରଲାଲ ନେହୁରୁ ତାଙ୍କର ସହଧର୍ମିଣୀ କମଳା ନେହୁରୁ ଓ ବିଶେଷ କରି ଲୌହ ମାନବୀ ଓ ନାରୀ ଶକ୍ତିର ପ୍ରେରଣାର ଉତ୍ସ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କର ଚରିତ୍ର ସଂହାର କରିଛି । ଏଥିରେ ଆମେ ଦୁଃଖିତ, ମର୍ମାହତ ଓ ଅପମାନିତ । ମୃତ୍ୟୁର ୪୦ ବର୍ଷ ପରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କର ଚରିତ୍ରକୁ ଯେପରି ଭାବରେ ଏହି ପୋର୍ଟାଲରେ ଚିତ୍ରଣ କରାଯାଇଛି, ତାହା ଅତ୍ୟନ୍ତ ମର୍ମାହତ କରିଛି । ଏ ସବୁ କାହାଣୀ ମନଗଢ଼ା ଏବଂ କଂଗ୍ରେସ ଦଳ ଓ ଏହାର ଆଦର୍ଶମୟ ନେତୃବର୍ଗ ତଥା ଏ ଦେଶକୁ ସ୍ୱାଧୀନତା ଦେଇଥିବା ମହାନ ନେତୃବର୍ଗଙ୍କୁ ଜାଣିଶୁଣି ଏଭଳି ଅପମାନିତ କରିବା ଏବଂ ତାଙ୍କ ନାମରେ କୁତ୍ସାରଟନା କରିବା ଅସହ୍ୟ ଅଟେ । ଏଭଳି ସମାଜ ବିରୋଧରେ କାର୍ଯ୍ୟକରୁଥିବା ଏବଂ ଦଙ୍ଗା ସୃଷ୍ଟି କରିବା ପାଇଁ ଉଦେଶ୍ୟ ରଖିଥିବା ନ୍ୟୁଜ୍ ପୋର୍ଟାଲ ଓଡ଼ିଶା ଭାସ୍କରଙ୍କୁ ବନ୍ଦ କରିବା ସହ ଏହାର ମାଲିକ, ସମ୍ପାଦକ ଓ ନ୍ୟୁଜ ପଢ଼ୁଥିବା ସାମ୍ବାଦିକଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ଏମାନଙ୍କ ବିରୋଧିରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛାତ୍ର କଂଗ୍ରେସ ଦାବୀ କରିଛି ।

Leave a Reply

Your email address will not be published.

Back to top button