ଓଡ଼ିଶା

ସିଙ୍ଗାପୁର ଗସ୍ତ, ନୂତନ ଶିକ୍ଷା ନୀତିର ଜୀବନବ୍ୟାପୀ ଶିକ୍ଷା ଆହରଣକୁ ଅଧିକ ସହଜ କରିବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର , ୩୧ ମଇ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଙ୍ଗାପୁର ଗସ୍ତର ତୃତୀୟ ତଥା ଶେଷ ଦିନରେ ସିଙ୍ଗାପୁରର ଶିକ୍ଷାମନ୍ତ୍ରୀ ଚାନ ଚୁନ୍ ସିଙ୍ଗଙ୍କ ସହ ଫଳପ୍ରଦ ସାକ୍ଷାତ ଆଲୋଚନା ହୋଇଛି । ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗ ଆହୁରି ଦୃଢ ହେବ ବୋଲି ଶ୍ରୀ ପ୍ରଧାନ ଦୃଢ ଆଶା ବ୍ୟକ୍ତ କରିଛନ୍ତି ।

ଭାରତରେ ବିଦ୍ୟାଳୟ ଶିକ୍ଷା ସ୍ତରରୁ ସିଙ୍ଗାପୁରର ସହାୟତା ଓ ସହଯୋଗ ମାଧ୍ୟମରେ କିପରି ଆମ ଦେଶର ଧନ୍ଦାମୂଳକ ଶିକ୍ଷା ସହ ଦକ୍ଷତା ବିକାଶକୁ ଆହୁରି ଦୃଢ କରାଯାଇ ପାରିବ ସେଥିପାଇଁ ଶ୍ରୀ ପ୍ରଧାନ ବିଶେଷ ଗୁରୁତ୍ୱାରୋପ କରିଛନ୍ତି ।

ଉଭୟ ଦେଶ ମଧ୍ୟରେ ଥିବା ପରସ୍ପର ସହଯୋଗକୁ କିପରି ଢାଞ୍ଚାଗତ ରୂପ ଦିଆଯାଇ ପାରିବ ସେଥିପାଇଁ ଦୁଇ ଦେଶର ଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି । ବିଶେଷ ଭାବରେ ଭାରତରେ ଶିକ୍ଷକ ମାନଙ୍କର କାର୍ଯ୍ୟଦକ୍ଷତା, ଭବିଷ୍ୟତର ନୂଆ ନୂଆ ରୋଜଗାର ସୁଯୋଗ ସମେତ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ପାଇଁ ଉଭୟ ଦେଶ ମଧ୍ୟରେ ଢାଞ୍ଚାଗତ ସହଯୋଗ ବୃଦ୍ଧି ନେଇ ବିଶେଷ ଆଲୋଚନା ହୋଇଛି ।

ତାଙ୍କର ତିନିଦିନିଆ ଗସ୍ତ ସମୟରେ ସିଙ୍ଗାପୁରର ଜୀବନବ୍ୟାପୀ ଶିକ୍ଷାଗ୍ରହଣର ଆଗ୍ରହର ପୃଷ୍ଠଭୂମି ତାଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଭାରତର ନୂତନ ଶିକ୍ଷାନୀତିରେ ନିରନ୍ତର ଶିକ୍ଷା ଏବଂ ଜୀବନ ବ୍ୟାପୀ ଶିଖିବାର ମୂଳନୀତି ସହ ସିଙ୍ଗାପୁରର ବ୍ୟବସ୍ଥାରୁ ନେଇଥିବା ଅନୁଭବ ଓ ଅନୁଭୂତି ଦେଶର ସ୍କିଲ-ଇକୋସିଷ୍ଟମକୁ ମଜଭୂତ କରିବା ସହ ଦେଶର ଯୁବଶକ୍ତିର ଉପଯୁକ୍ତ ଦକ୍ଷତା ବୃଦ୍ଧି ମାଧ୍ୟମରେ ଦେଶ ବିକାଶରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି । ବିଶ୍ୱ କଲ୍ୟାଣ ପାଇଁ ସିଙ୍ଗାପୁର ଓ ଭାରତ ମିଳିତ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଏହି ଗସ୍ତ କାଳରେ ଇନଷ୍ଟିଚ୍ୟୁଟ୍ ଅପ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ୍ ଏଜୁକେସନାଲ ସର୍ଭିସେସ (ଆଇଟିଇଇଏସ), ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ଡିଜାଇନ(ଏସୟୁଟିଡି) ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଥିଲେ । ଏହାସହ ସିଙ୍ଗାପୁର ସରକାରଙ୍କ ପ୍ରଶାସନିକ ନିୟନ୍ତ୍ରଣ ଦ୍ୱାରା ପରିଚାଳିତ ନୋଡାଲ ଏଜେନ୍ସି ସ୍କିଲ୍ ଫ୍ୟୁଚର ଅଫ୍ ସିଙ୍ଗାପୁର(ଏସଏସଜି) ସହ ବିଚାରବିମର୍ଶ କରିଥିଲେ । ଏହାବ୍ୟତିତ ଆଇଆଇଟି ଓ ଆଇଆଇଏମର ପୁରାତନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇ ୨୯ ରୁ ମଇ ୩୧ ତିନିଦିନିଆ ସିଙ୍ଗାପୁର ଗସ୍ତରେ ଅଛନ୍ତି । ଏହି ଗସ୍ତପ ପ୍ରଥମ ଓ ଦ୍ୱିତୀୟ ଦିନରେ ଶ୍ରୀ ପ୍ରଧାନ ସିଙ୍ଗାପୁର ସରକାରଙ୍କ ପ୍ରମୁଖ ମନ୍ତ୍ରୀ ତଥା ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲରେନ୍ସ ୱଙ୍ଗ, ବରିଷ୍ଠ ମନ୍ତ୍ରୀ ଥରମନ୍ ଶନମୁଗରତ୍ନମ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡା. ଭିଭିଆନ ବାଲକ୍ରୀଷ୍ଣନ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ କିମ୍ ୟୋଙ୍ଗଙ୍କ ସହ ଯୋଗଦେଇଥିଲେ ।

ଜୀବନବ୍ୟାପୀ ଶିକ୍ଷା ଗ୍ରହଣ ପାଇଁ ସୁଯୋଗ ସୃଷ୍ଟି କରିବା, ଭବିଷ୍ୟତ ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରିବା ତଥା ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ୟମରେ ରଣନୈତିକ ଭାଗିଦାରୀକୁ ଅଧିକ ଦୃଢୀଭୂତ କରିବା ଦିଗରେ ଆଲୋଚନା ହୋଇଥିଲା ଏହାସହ ଶ୍ରୀ ପ୍ରଧାନ ସ୍ପେକ୍ଟ୍ରା ସେକେଣ୍ଡାରୀ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲେ । ଏହି ଦିନ ଶ୍ରୀ ପ୍ରଧାନଙ୍କୁ ସିଙ୍ଗାପୁରରେ ରହୁଥିବା ପ୍ରବାସୀ ଭାରତୀୟ ଓ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

Leave a Reply

Your email address will not be published.

Back to top button