ଝଲସୁଛି ସ୍ନାନବେଦି, ଭକ୍ତଙ୍କୁ ଦର୍ଶନ ଦେବେ ଦୀନବନ୍ଧୁ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମାର୍କେଟ ଛକରୁ ବ୍ୟାରିକେଡ଼

Spread the love

ପୁରୀ : ଭକ୍ତପ୍ରିୟ ଭଗବାନ ଗୀଷ୍ମ ତାତିରୁ ରକ୍ଷା ପାଇଁ ଭଗବାନ ମଧ୍ୟ ସ୍ନାନ କରିବେ । ଏଥିପାଇଁ ସ୍ନାନବେଦି ସଜେଇ ହୋଇଛି । ପାରମ୍ପରିକ ଚିତ୍ରକରମାନେ ସ୍ନାନ ମଣ୍ଡପକୁ ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରିଛନ୍ତି । ଆସନ୍ତା କାଲି ରବିବାର ପଡ଼ୁଥିବାରୁ ହଜାର ହଜାର ଭକ୍ତ ସ୍ନାନ ବେଦିରେ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ ପାଇଁ ଛୁଟି ଆସିବେ ଶ୍ରୀକ୍ଷେତ୍ରକୁ । ସ୍ନାନବେଦି ଉପରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରି ଭକ୍ତ ଧନ୍ୟ ହେବ । ଭକ୍ତର ଗୁହାରି ଅନୁସାରେ ମହାପ୍ରଭୁଙ୍କ ହାତୀବେଶ ଅନୁଷ୍ଠିତ ହେଉଛି । ଶୁକ୍ରବାର ପୂର୍ବାହ୍ନରୁ ଦଇତାପତିମାନେ ସେମାନଙ୍କ ସେବା ଆରମ୍ଭ କରିଛନ୍ତି । ସେନାପଟା ଲାଗି ଓ ଚାରମାଳ ବନ୍ଧାଯାଇଛି । ସୁନା କୁଅରୁ ୧୦୮ ଜଳପୁର୍ଣ୍ଣ କୁମ୍ଭ ଅଧିବାସ ଗୃହରେ ମନ୍ତ୍ର ଉଚ୍ଚାରଣ ସହ ରଖାଯାଇଛି । ୧୦୮ ଜଳପୂର୍ଣ୍ଣ କୁମ୍ଭ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ୩୫ଟି, ଶ୍ରୀବଳଭଦ୍ରଙ୍କ ୩୩,ମା ସୁଭଦ୍ରାଙ୍କ ୨୨ ଓ ଶ୍ରୀସୁଦର୍ଶନଙ୍କ ପାଇଁ ୧୮ଟି ଜଳପୂର୍ଣ୍ଣ କୁମ୍ଭର ଜଳରେ ସ୍ନାନ କରିବେ । ଦଇତାପତି, ଗରାବଡ଼ୁ ସେବାୟତ ଓ ବିଧି ମୁତାବକ ନିୟୋଜିତ ସେବାୟତମାନେ ଏହି ଜଳ ଲାଗି କାର୍ଯ୍ୟ ସମାପନ କରିବେ । ମାର୍କେଟ ଛକରୁ ୩ ଥାକିଆ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସିସିଟିଭି ୨୪ ଘଂଟିଆ ନଜର ରଖିବ ଭକ୍ତଙ୍କ ଉପରେ । କେନ୍ଦ୍ରାଚଂଳ ଆଇଜି ଆଶିଷ କୁମାର ସିଂହଙ୍କ ନେତୃତ୍ଵରେ ୭୪ ପ୍ଲାଟୁନ ପୋଲିସ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି । ଦଇତାପତି ସେବକମାନେ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବେ । ରବିବାର ଭୋର ୪ଟାରୁ ପହଣ୍ଡି କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରାକ୍ ବ୍ୟବସ୍ଥା କରାଯାଇଛି । କୋଠ ସୁଆଁସିଆ ସେବକମାନେ ରତ୍ନ ସିଂହାସନ ଉପରୁ ଚାରମାଳ ବାନ୍ଧିବା କାର୍ଯ୍ୟ ଶେଷ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କେ.ବିଶାଲ ସିଂହ ସମସ୍ତ କାର୍ଯ୍ୟକୁ ତଦାରଖ କରୁଛନ୍ତି । ଆଜି ରାତିରୁ ସ୍ନାନ ବେଦିରେ ଆଲୋକମାଳା ଓ ଫୁଲରେ ସଜା ଯାଉଛି । ସ୍ନାନ ବେଦି ଉପର ଚାନ୍ଦୁଆ ବେଶ ଆକର୍ଷଣୀୟ ହୋଇଛି । ଭକ୍ତପ୍ରିୟ ଭଗବାନ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ଠାରୁ ବଡଦାଣ୍ଡରେ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ମେଡ଼ିକାଲ ଛକରୁ ମରଚିକୋଟ ଛକ ପର୍ଯ୍ୟନ୍ତ ଦୁଇ ପାର୍ଶ୍ଵରୁ ଉଠାଦୋକାନି ମାନଙ୍କୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ମହାପ୍ରଭୁଙ୍କୁ ସ୍ନାନ ବେଦିରେ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଭକ୍ତଙ୍କ ଓ ସାଧୁସନ୍ଥଙ୍କ ସମେତ ସ୍ନାନବେଦି ଅପେକ୍ଷା କରିଛି ଚତୁର୍ଦ୍ଧାମୂର୍ତିଙ୍କୁ ।

Leave a Reply

Your email address will not be published. Required fields are marked *