ଆସନ୍ତା 30 ତାରିଖ ଅର୍ଥାତ ଶୁକ୍ରବାର ଅନୁଷ୍ଠିତ ହେବ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ବଳଭଦ୍ର ମହାପ୍ରଭୁ ପହଣ୍ଡି ସମୟରେ ଚାରମାଳ ଉପରେ ପଡିବା ଘଟଣାରେ ହୋଇଥିବା ତଦନ୍ତ ରିପୋର୍ଟ ଉପସ୍ଥାପନ ହେବାସହ ୨୦୨୪-୨୫ ବର୍ଷର ଆର୍ଥିକ ଶ୍ରୀମନ୍ଦିର ବଜେଟ୍ ମଧ୍ୟ ଆଗତ ହେବ।
ସେପଟେ ସବୁ ଦିଗକୁ ବିଚାର କରି ପହଣ୍ଡି ସମୟରେ ହୋଇଥିବା ବିଭ୍ରାଟ ଉପରେ ପଦକ୍ଷେପ ନେବାକୁ ମହାପ୍ରଭୁଙ୍କ ବାଡଗ୍ରାହୀ ପ୍ରତିକ୍ରିୟା ରଖିଥିବା ବେଳ ଶ୍ରୀମନ୍ଦିର ବଜେଟରେ ସେବକଙ୍କ କଲ୍ୟାଣପାଣ୍ଠି ସହ ଆଦର୍ଶ ଗୁରୁକୂଳ,, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ଆନୁସଙ୍ଗିକ ବ୍ୟବସ୍ଥା ବ୍ୟୟବରାଦ ଉପରେ ଆଲୋଚନା ହେବ ।
ପରିଚାଳନା କମିଟି ବୈଠକ ପୂର୍ବରୁ ଆସନ୍ତାକାଲି ଶ୍ରୀମନ୍ଦିର ଫାଇନାନ୍ସ ସବକମିଟି ବୈଠକ ଅନୁଷ୍ଠିତ ହେବାପରେ ଶୁକ୍ରବାର ଦିନ ୨୦୨୪-୨୫ ବର୍ଷ ପାଇଁ ଆର୍ଥିକ ବଜେଟ୍ ଆଗତ ହେବ।
ଗତ ପରିଚାଳନା କମିଟି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ 271କୋଟି7ଲକ୍ଷ ଟଙ୍କାର ବଜେଟ୍ ପାରିତ ହୋଇଛି। ଖର୍ଚ୍ଚ ଅଟକଳ ରହିଥିଲା ୨୬୧ କୋଟି ୧୬ ଲକ୍ଷ ଟଙ୍କା। ୟୁନିଫର୍ମ ପଲିସିରେ ଶ୍ରୀମନ୍ଦିର ଜମିଜମା ବିକ୍ରି କରି ଆୟବୃଦ୍ଧି ସହ ରାଜ୍ୟରେ ଥିବା ୨୦୦ରୁ ଅଧିକ ପଥରଖଣି,ଅନଲାଇନ ବ୍ୟବସ୍ଥାରେ ଫୋନ୍ ପେ ଓ ପେଟିଏମ୍ ସହ ଅନୁବନ୍ଧିତ କରାଯାଇ କ୍ୟୁଆର କୋର୍ଡ ସ୍କାନର ବ୍ଯବସ୍ଥା କରାଯିବ ବୋଲି ଗତ ବୈଠକରେ ନିଷ୍ପତ୍ତି ହୋଇଥିଲା ।
ସେହିପରି ଅଧିକ ହୁଣ୍ଡି ସ୍ଥାପନ କରାଯାଇ ଶ୍ରୀମନ୍ଦିର ଆୟବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ ବୋଲି ମତ ପ୍ରକାଶ ପାଇଥିଲା। ସେପଟେ ୨୦୨୩-୨୪ ଆଗତ ହୋଇଥିବା ବଜେଟରେ ସେବାୟତଙ୍କ ପରିବାରର ସଦସ୍ୟଙ୍କ ପାଇଁ 5 କୋଟି ଟଙ୍କାର ସ୍ୱାସ୍ଥ୍ୟବୀମା,ସେବକ ଆବାସ ଯୋଜନାରେ ୩.୫୦କୋଟି,,ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ପାଇଁ ୫ କୋଟି,କର୍ପସ ଫଣ୍ଡରେ 50 କୋଟି ଟଙ୍କା ଜମା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ବିଭିନ୍ନ ଜିଲ୍ଲାରେ ଥିବା ଖଣିରୁ ୩୦ କୋଟି,ହୁଣ୍ଡି ଓ ଡୋନେସନ୍ ବାବଦରେ ୩୬ କୋଟି,କର୍ପସ ଫଣ୍ଡ ସୁଧରୁ ୬୦ କୋଟି ଟଙ୍କା ଓ ଜମି ଅଧିଗ୍ରହଣ ଓ ଜମି ବିକ୍ରିବଟା ବାବଦରେ 50 କୋଟି ଟଙ୍କା ଆୟ କରାଯାଇଥିଲା। ତେବେ ଆସନ୍ତାକାଲି ଫାଇନାନ୍ସ ସବକମିଟି ବୈଠକରେ ବଜେଟକୁ ନେଇ ତର୍ଜମା ହେବାପରେ ପରିଚାଳନା କମିଟି ବୈଠକରେ ଅନୁମୋଦିତ ହେବବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now