ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ବିଧାନସଭା ଅଚଳ

Spread the love

() ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ଆଜି ବିଧାନସଭା ଅଚଳ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି ବୋଲି ନାରାବାଜି କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ। ଗୃହ ବାହାରେ ବିଜେପି ଯୁବମୋର୍ଚ୍ଚା ବିକ୍ଷୋଭ ପ୍ରଦର୍ଶନ କରିଛି। ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, କୌଣସି ବି ପ୍ରଶ୍ନପତ୍ର ଲିକ୍ ହୋଇନି। ମୁଦ୍ରଣଜନିତ ତୃଟି ଥିଲା। ମାର୍କିଂ ସମୟରେ ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟି ଦିଆଯିବ।

ମାଟ୍ରିକ ପରୀକ୍ଷାର ଶେଷ ଦିନ। ଆଉ ଶେଷ ଦିନରେ ବି ପ୍ରଶ୍ନପତ୍ର ଲିକ୍! ପୁରୀ ଜିଲ୍ଲାରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ଆଣି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା। ସୁବର୍ଣ୍ଣପୁରରେ ବି ଅନୁରୂପ ପ୍ରଶ୍ୱପତ୍ର ଭାଇରାଲ ହୋଇଥିବା କଥା ପଦାକୁ ଆସିଛି। ପିଲାଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି। ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ନାରାରେ କମ୍ପିଥିଲା ଗୃହ। ଉଭୟ ବିଜେପି ଓ କଂଗ୍ରେସ ସଭ୍ୟଙ୍କ ମିଳିତ ସ୍ୱରରେ ପ୍ରଶ୍ନୋତ୍ତର କାଳ ଚଳାଇବା ସମ୍ଭବ ହୋଇପାରିଲାନି। ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇବେ ବୋଲି ବାଚସ୍ପତି ଯେତେ ବୁଝାଇଲେ ବି ବୁଝିନଥିଲେ ବିରୋଧୀ। ଫଳରେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି। ଏକକାଳୀନ ୪ଟା ଯାଏ ଗୃହ ମୁଲତବୀ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିରୋଧୀ। ଶୂନ୍ୟକାଳ ନ ଚାଲୁ ବୋଲି ଶାସକ ଦଳ ଚାହୁଁନି। ଯାହାକି ବିରୋଧୀ ଦଳର ଅଧିକାର।

ସେପଟେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ଲିକ୍ ନେଇ ସାମାନ୍ୟତମ ସତ୍ୟତା ନାହିଁ। ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି, ସେ ସମ୍ପର୍କିତ ତଥ୍ୟ ତାଙ୍କ ପାଖରେ ନାହିଁ। ପୁରୀ ଜିଲ୍ଲାପାଳ, ବୋର୍ଡ ସଭାପତିଙ୍କ ସମେତ ପୁରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ସେ କଥା ହୋଇଛନ୍ତି। କୌଣସି ପ୍ରଶ୍ୱପତ୍ର ଲିକ୍ ହୋଇନି। ପୂର୍ବରୁ ଯେଉଁ ଲିକ୍ କଥା ଉଠିଥିଲା, ତାହା ଥିଲା ମୁଦ୍ରଣଜନିତ ତୃଟି। ମୂଲ୍ୟାୟନ ବେଳେ ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟି ଦିଆଯିବ। ପ୍ରଶ୍ନକାଳକୁ ଜାଣିଶୁଣି ଅଚଳ କରୁଛନ୍ତି ବିରୋଧୀ। ବୋର୍ଡ ସଭାପତି ବି କହିଛନ୍ତି ପ୍ରଶ୍ନପତ୍ର ଲିକ୍ ହୋଇନି। ସୁରୁଖୁରୁରେ ପରୀକ୍ଷା ସରିଛି। ଏପ୍ରିଲ ୩ରୁ ମୂଲ୍ୟାୟନ ଆରମ୍ଭ ହେବ।

ମାଟ୍ରିକ ପ୍ରଶ୍ନପତ୍ର ବିଭ୍ରାଟ ଓ ତୃଟିକୁ ନେଇ ଆଜି ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ସମୟ ବାଏଁ ବାଏଁ ଉଡ଼ିଗଲା।

ଅକ୍ଷୟ, ନବକିଶୋର ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *