ରସାବଳିକୁ ମିଳିପାରେ ଜିଆଇ ଟ୍ୟାଗ୍

Spread the love

କେନ୍ଦ୍ରାପଡା:  କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ମିଳିପାରେ ଜିଆଇ ଟ୍ୟାଗ୍ ମାନ୍ୟତା । ଆସନ୍ତା ଡିସେମ୍ବର ମାସରେ ଚେନ୍ନାଇଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ସ୍ଥାନୀୟ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେସନ(ଜିଆଇ) ରେଜେଷ୍ଟ୍ରି ସମ୍ମିଳନୀରେ ସ୍ୱୀକୃତି ମିଳିବା ନେଇ ଆଶା ସଞ୍ଚାର ହୋଇଛି । ଜିଆଇ ଟ୍ୟାଗ୍ ପାଇଁ କେନ୍ଦ୍ରାପଡ଼ାର ରସାବଳି ସମେତ ଓଡ଼ିଶାରୁ ଥିବା ଅନ୍ୟ ୫ଟି ଦାବି ଉପରେ ସମ୍ମିଳନୀରେ ଆଲୋଚନା ହେବ ବୋଲି ଜଣାପଡିଛି।

ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜିଉ। ବଳଦେବଜିଉଙ୍କ ପ୍ରିୟ ନୈବେଦ୍ୟ ରସାବଳି ଜିଆଇ ଟ୍ୟାଗ୍ ଦୌଡ଼ରେ ଆଗରେ ରହିଛି ବୋଲି କୁହାଯାଉଛି । ପୁରୀର ରସଗୋଲା ପରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ ଲାଗି ଗତ ୨ ବର୍ଷ ହେବ ଆନ୍ଦୋଳନ କରାଯାଇ ରସାବଳିକୁ ତା’ର ହକ୍ ପ୍ରଦାନ ପାଇଁ ବୁଦ୍ଧିଜୀବୀ, ରସାବଳି ପ୍ରସ୍ତୁତି ସହ ସମ୍ପୃକ୍ତ ବ୍ୟବସାୟୀ, ଶ୍ରଦ୍ଧାଳୁ ଓ ସାଧାରଣ ଜନତା ଏକଜୁଟ୍ ହୋଇଥିଲେ । ପ୍ରାରମ୍ଭିକ ସ୍ତରରେ ଦାବି ଉପସ୍ଥାପନକୁ ଶାଣିତ କରିବାକୁ ମିଷ୍ଟାନ୍ନ ନିର୍ମାତା ସଂଘ ମଧ୍ୟ ଗଢ଼ା ହୋଇଥିଲା। ରସାବଳିକୁ କିଭଳି ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବ ସଂଘର କର୍ମକର୍ତ୍ତା ଓ ସ୍ଥାନୀୟ ବୁଦ୍ଧିଜୀବୀ ନିରବଚ୍ଛିନ୍ନ ଭାବେ ଉଦ୍ୟମ ଜାରି ରଖିଛନ୍ତି । କେନ୍ଦ୍ରାପଡ଼ା ରସାବଳିର ରାଜ୍ୟ ତଥାର ଦେଶ ବିଦେଶରେ ଖୁବ୍ ଆଦର ରହିଛି। ମେଳା ହେଉ ଅବା ଅନ୍ୟ କୌଣସି ଉତ୍ସବ ରସାବଳି ଷ୍ଟଲରେ ଭିଡ଼ ଦେଖିବାକୁ ମିଳେ।

ପ୍ରାୟ ୧୭୫୦ ମସିହାରେ ପ୍ରଥମେ ମରହଟ୍ଟାଙ୍କ ଦ୍ବାରା ରସାବଳି ଭୋଗ ଶ୍ରୀବଳଦେବଜିଉଙ୍କ ମନ୍ଦିରରେ ଲାଗି ହେଉଥିଲା। ଏହା ବିଧବଦ୍ଧ ଭାବେ ଠାକୁରଙ୍କର ନିତ୍ୟାନି ଖଞ୍ଜାରେ ନ ଥିଲା। ମରହଟ୍ଟା ମହନ୍ତ ସପୀ ଦାସଙ୍କ ସମୟରେ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏହା ପ୍ରତ୍ୟେକ ଦିନ ଶ୍ରୀଜିଉଙ୍କୁ ଉଠାଣି (ସନ୍ଧ୍ୟାଆଳତି ପୂର୍ବରୁ)ସମୟରେ ଲାଗି ହୋଇଆସୁଛି । ପୂର୍ବେ ଏହା କେବଳ ଶ୍ରୀଜିଉଙ୍କ ଭୋଗରେ ସୀମିତ ଥିଲା । ପରେ ଏହାକୁ ଅମଣିଆ ଭୋଗ ଦୋକାନରେ ବିକ୍ରି କରାଗଲା । ଏବେ ଏହା ଧିରେ ଧିରେ ଅନେକ ସ୍ଥାନରେ ସୁସ୍ୱାଦୁ ମିଷ୍ଟାନ୍ନ ଭାବେ ଉପଲବ୍ଧ ହୋଇଥିଲା । ଏହି ସୁସ୍ବାଦୁ ମିଷ୍ଟାନ୍ନ ମୁଖ୍ୟତଃ ଛେନା, ଅଟା, ଗୁଆଘିଅ, ଗାଈକ୍ଷୀର, ଚିନି, ଅଳେଇଚ ଓ ଗୁଜୁରାତି ଦ୍ୱାରା ପ୍ରସ୍ତୁତ ହୁଏ। ଯାହା ଅନ୍ୟତ୍ର କେଉଁଠାରେ ଦେଖିବାକୁ ମିଳେ ନାହିଁ ।

କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା  ମିଳିବା ଆଶାରେ  କେନ୍ଦ୍ରାପଡ଼ାବାସୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି।

କେନ୍ଦ୍ରାପଡ଼ାରୁ ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *