୪ ବର୍ଷ ହେବ ବୃଦ୍ଧାଙ୍କ  ରାସନ ଚାଉଳ ହଡପ ଅଭିଯୋଗ

Spread the love

କାମାକ୍ଷାନଗର: ଶଯ୍ୟାସାୟୀ ବୃଦ୍ଧାଙ୍କ ରାସନ ଚାଉଳ ହଡପ ଅଭିଯୋଗ ହେଉଛି। ଦୀର୍ଘ ୪ ବର୍ଷ ହେବ ମିଳୁନାହଁ ରାସନ ଚାଉଳ। ବୃଦ୍ଧାଙ୍କ ଫିଙ୍ଗର ମ୍ୟାଚ ନକରିବା କହି ଚାଉଳ ହଡପ କରୁଛି ସଂପୃକ୍ତ ଡିଲର।

ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ଗ୍ରାମରୁ। ଗ୍ରାମର ବୃଦ୍ଧା ରେଖା ବେହେରା, ବୟସ ପାଖା ପାଖି  ୮୫ ବର୍ଷ। ଏବେ ସେ ସମ୍ପୁର୍ଣ୍ଣ ଶଯ୍ୟାସାୟୀ। ରେଖା ବେହେରା ୦୨/୧୦/୨୦୧୫ ମସିହା ଠାରୁ ରାସନ କାର୍ଡ ନଂ:୦୯୦୫୧୩୧୦୦୫୦ ରେ ମାସିକ ୫ କେଜି ଚାଉଳ ସ୍ବର୍ଣ୍ଣଲକ୍ଷ୍ମୀ WSHG ଠାରୁ ପାଇ ଆସୁଥିଲେ। କିନ୍ତୁ ଡିସେମ୍ବର ୨୦୧୮ ଠାରୁ ବୃଦ୍ଧା ରେଖା ବେହେରାଙ୍କ ଫିଙ୍ଗର ଆଉ ବାୟୋମେଟ୍ରିକ ମ୍ୟାଚ ନକରିବାରୁ ସଂପୃକ୍ତ ଡିଲର ଆଉ ଚାଉଳ ଦେଲାନାହିଁ। ସେବେଠାରୁ ପରିବାର ଲୋକେ ଯେତେ କହିଲେ ମଧ୍ୟ ଦିନପରେ ଦିନ ଗଡେଇ ଚାଲିଲେ ଡିଲର। ଦିର୍ଘ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଆଉ ଡିଲର ଚାଉଳ ଦେଉନାହାଁନ୍ତି।

ବୃଦ୍ଧା ଜଣକ  ଚଲାବୁଲା ନକରିପାରି ଏବେ ସମ୍ପୁର୍ଣ୍ଣ ଶଯ୍ୟାସାୟୀ। ପୁଅ ବୋହୂଙ୍କୁ ମିଳୁଥିବା ରାସନ ଚାଉଳରେ ଚଳୁଛନ୍ତି। କିନ୍ତୁ ଏବେ କିଛିଦିନ ହେବ ରେଖା ସମ୍ପୁର୍ଣ୍ଣ ଶଯ୍ୟାସାୟୀ ହୋଇ ଘରେ ପଡିରହିଛନ୍ତି। ତାଙ୍କର ଏକମାତ୍ର ପୁଅ ବାହାରେ ଦାଦନ ଖଟି ଯାହା ଆଣନ୍ତି ସେଇଥିରେ ସୁଖେ ଦୁଃଖେ ପରିବାର ଚଳିଯାଏ। ଏନେଇ ବାରମ୍ବାର ଡିଲରକୁ କହିଲେ ମଧ୍ୟ ସେ ଆଜି ଯିବି କାଲି ଯିବି କହି ସମୟ ଗଡେଇ ଚାଲନ୍ତି। କିନ୍ତୁ ଏବେ ଜାଣିବାକୁ ପାଇଲେ ତାଙ୍କ ଚାଉଳ ନିୟମିତ ଭାବେ ଉଠିଚାଲିଛି। ତେଣୁ ଏଭଳି କ୍ଷେତ୍ରରେ ତୁରନ୍ତ ତଦନ୍ତ କରି ରେଖାଙ୍କ ଚାଉଳ ଦେବାପାଇଁ ଗ୍ରାମବାସୀ ଦାବି କରୁଛନ୍ତି। ଏନେଇ ଆମେ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି ତଦନ୍ତ କରାଯିବ। ଯଦି ସତ୍ୟାସତ୍ୟ  ପ୍ରମାଣିତ ହୁଏ ତାହେହେଲେ ସମ୍ପୃକ୍ତ ଡିଲର ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ କେବେ ଉପଜିଲ୍ଲାପାଳଙ୍କ ତଦନ୍ତ ପୂରା ହେଉଛି ଓ କେବେ ଏହି ଶଯ୍ୟାସାୟୀ ବୃଦ୍ଧାଙ୍କୁ ମିଳୁଛି ତାଙ୍କ ହକ ତାହା ଦେଖିବାକୁ ବାକି ରହିଲା।

ସୈାମେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *