ଆର୍ଥିକ ଆଧାରିତ ସଂରକ୍ଷଣ ଦାବିରେ କର୍ଣ୍ଣିସେନା

Spread the love

() ଜାତିଭିତ୍ତିକ ଜନଗଣନାକୁ ନେଇ ତାତି ଓ ରାଜନୀତି। ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ ପୂର୍ବରୁ ରାଜଧାନୀ ଭୋପାଳରେ କର୍ଣ୍ଣି ସେନାର ବିଶାଳ ସମାବେଶ ଓ ଆର୍ଥିକ ସ୍ଥିତି ଆଧାରରେ ସଂରକ୍ଷଣ ଦାବି କରି ଆରମ୍ଭ କରିଥିବା ହଲ୍ଲାବୋଲ ନିଦ ହଜାଇଦେଇଛି ସରକାରଙ୍କର। ୫ଟି ରାଜ୍ୟର ଲକ୍ଷ ଲକ୍ଷ ରାଜପୁତ ଏକାଠି ହୋଇ ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ କରିଛନ୍ତି। ୨୧ ଦଫା ଦାବି ନେଇ ଅଡ଼ି ବସିଛନ୍ତି କର୍ଣ୍ଣିସେନା।

ମଧ୍ୟପ୍ରଦେଶର ଜମ୍ୱୁରୀ ମୈଦାନରେ ଜାରି ଜନ ଆନ୍ଦୋଳନକୁ ନେଇ ଟେନସନରେ ଶିବରାଜ ସିଂ ଚୌହ୍ୱାନ ସରକାର। ୮ ତାରିଖରୁ ୨୨ ଦଫା ଦାବି ନେଇ ରାଜଧାନୀ ଭୋପାଳର ଜମ୍ୱୁରୀ ମୈଦାନରେ ବସିଛି କର୍ଣ୍ଣିସେନା। ୫ଟି ରାଜ୍ୟର କର୍ଣ୍ଣିସେନା ପରିବାରର ଲକ୍ଷ ଲକ୍ଷ ଲୋକ ଏକାଠି ହୋଇଛନ୍ତି। ଜାତିଭିତ୍ତିକ ସଂରକ୍ଷଣ ନୁହେଁ, ବରଂ ଆର୍ଥିକ ଆଧାରିତ ସଂରକ୍ଷଣର ଦାବି କରିଛି କର୍ଣ୍ଣିସେନା। ଏହା ସହ ଏସସି ଏସଟି ଆଟ୍ରୋସିଟି ଆକ୍ଟରେ ପରିବର୍ତ୍ତନ ଲାଗି ଅଡ଼ି ବସିଛି କର୍ଣ୍ଣିସେନା। ଆଟ୍ରୋସିଟି ମାମଲାର ଦୁରୁପଯୋଗକୁ ବନ୍ଦ ହେଉ। ବିନା ତଦନ୍ତରେ ଏସସି ଏସଟି ଆକ୍ଟ ନ ଲାଗୁ। ଆମରଣ ଅନଶନ ଆରମ୍ଭ କରିଛି। ଦାବି ପୂରଣ ନହେଲା ଯାଏ ଧାରଣାସ୍ଥଳ ଛାଡିବୁନି ବୋଲି ରୋକଠୋକ ଶୁଣାଇଦେଇଛି। କେବଳ ଏତିକି ନୁହେଁ, ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରାଗଲେ କିମ୍ୱା ସେମାନଙ୍କ ଆନ୍ଦୋଳନରେ କୌଣସି ପ୍ରକାର ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କଲେ, ତା ହେଲେ ଜବାବ ଦେବାକୁ କର୍ଣ୍ଣିସେନା ନିର୍ବାଚନୀ ମୈଦାନରେ ଓହ୍ଲାଇବାକୁ ପଛାଇବନି ବୋଲି ଚେତାଇଦେଇଛି। କେବଳ ଏତିକି ନୁହେଁ, ଯେଉଁ ନେତା ସେମାନଙ୍କର ଆନ୍ଦୋଳନକୁ ବାଧା ଦେବେ, ସେ ସବୁ ନେତାଙ୍କୁ ବିଧାନସଭାରେ ଜିତିବାକୁ ଦେବନି କର୍ଣ୍ଣିସେନା। ନା କୌଣସି ରାଜନୈତିକ ଦଳ ଦ୍ୱାରା ସେମାନେ ପ୍ରେରିତ ନା ସେମିତି କୌଣସି ଅଭିସନ୍ଧି ବି ଅଛି। କିନ୍ତୁ ବାଧା ଦେଲେ ବରଦାସ୍ତ କରାଯିବନି। ଉଚ୍ଚ ଜାତି ଓ  ପଛୁଆ ବର୍ଗ ଆମ ସହ ଅଛନ୍ତି। ସରକାର ଜାତିଭିତ୍ତିକ ସଂରକ୍ଷଣ ବନ୍ଦ କରନ୍ତୁ। ବ୍ୟବସ୍ଥାରେ ସଂସ୍କାର ଆଣିବାକୁ କର୍ଣ୍ଣିସେନା ଉଦ୍ୟମ କରୁଛି। ରାଜପୁତ ଅତ୍ୟାଚାର କରୁଥିବାର ଅପବାଦ ରହିଆସିଛି। ହେଲେ ଦୁର୍ବଳ ବର୍ଗର ସ୍ୱାର୍ଥ ପାଇଁ ଲଢିଆସୁଛନ୍ତି ରାଜପୁତ ବୋଲି ଦାବି କରିଛି କର୍ଣ୍ଣିସେନା।

ରବିବାର ତ ଦିନତମାମ ଆନ୍ଦୋଳନ କରିଥିବା କର୍ଣ୍ଣିସେନା ରାତିରେ ବି ମୋବାଇଲ ଟର୍ଚ୍ଚ ଜରିଆରେ ଆନ୍ଦୋଳନକୁ ଜାରି ରଖିଥିଲେ। ଲକ୍ଷ ଲକ୍ଷ କର୍ଣ୍ଣିସେନା ପରିବାର ରୋକଠୋକ ଶୁଣାଇ ଦେଇଛନ୍ତି, ଦାବି ପୂରଣ ନ ହେଲା ଯାଏ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁନି। ବିଶାଳ ସମାବେଶ ଓ କର୍ଣ୍ଣିସେନାର ଆଭିମୁଖ୍ୟ ଲାଗୁଥିଲା ଯେମିତି, ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଭଳି ଏମାନେ ବି ପଣ କରିଛନ୍ତି। ହକ୍ ନେଇ ଫେରିବୁ। ତେବେ କୌଣସି ପ୍ରକାର ହିଂସା ଯେଭଳି ନ ହେବ, ସେଥିଲାଗି ସମସ୍ତେ ସତର୍କ ଓ ସଜାଗ ରହିବାକୁ ଅନୁରୋଧ କରିଛନ୍ତି କର୍ଣ୍ଣିସେନା ନେତା। ଯେଉଁମାନେ ଘରକୁ ଫେରିବାକୁ ଚାହୁଁଛନ୍ତି, ସେମାନେ ଯାଇପାରିବେ। ପ୍ରଶାସନର ଅନୁରୋଧ କ୍ରମେ ବିଧାନସଭା ଘେରାଓ ନିଷ୍ପତ୍ତିକୁ ଅବଶ୍ୟ ସ୍ଥଗିତ ରଖିଛି ସେନା।

ରାଜସ୍ଥାନ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼ରୁ ଲକ୍ଷ ଲକ୍ଷ କର୍ଣ୍ଣିସେନା ପରିବାର ମହାସମ୍ମେଳନରେ ସାମିଲ୍ ହୋଇଛନ୍ତି। ପ୍ରଶାସନ କହିଥିଲା, କର୍ଣ୍ଣିସେନା ଦିନିକିଆ ଆନ୍ଦୋଳନ ଲାଗି ଅନୁମତି ମାଗିଥିଲା। ଆଉ ସଂଧ୍ୟା ସୁଦ୍ଧା ସେମାନେ ଧାରଣାସ୍ଥଳ ଛାଡ଼ିବେ। କିନ୍ତୁ କର୍ଣ୍ଣିସେନା ସ୍ପଷ୍ଟ କରିଦେଇଛି, କୌଣସି ପ୍ରକାର ସରକାରଙ୍କ ଆଶ୍ୱାସନାରେ ସେମାନେ ବିଶ୍ୱାସ କରିବେନି। ଲିଖିତରେ ଅର୍ଡର ଦରକାର। ଯେଉଁ ମନ୍ତ୍ରୀ ସେମାନଙ୍କ ଦାବି ପୂରଣ ଲାଗି କଥା ଦେଇ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି, ସେମାନେ ଧାରଣାସ୍ଥଳକୁ ଆସନ୍ତୁ। ନଚେତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ନିଜେ ଆସନ୍ତୁ।

ଜାତିକୁ ନେଇ ତାତି। କର୍ଣ୍ଣିସେନାର ଦାବିକୁ ସରକାର କେମିତି ପୂରଣ କରିବେ। ଦାବି ପୂରଣ ନ ହେଲେ ଆନ୍ଦୋଳନରୁ ଓହରିବନି ବୋଲି ଅଡ଼ି ବସିଥିବା କର୍ଣ୍ଣିସେନା ରାଜନୈତିକ ଆନ୍ଦୋଳନକୁ ଜନ୍ମ ଦେବାକୁ ଯାଉଛି କି। ଏମିତି ତମାମ ପ୍ରଶ୍ନ ଘେରରେ କର୍ଣ୍ଣିସେନା ଓ ଜାତି ରାଜନୀତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *