() ସମଗ୍ର ଦେଶରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି l ଦିଲ୍ଲୀରୁ ପଲ୍ଲୀ ସଜେଇ ହୋଇଛି ତ୍ରିରଙ୍ଗାର ରଙ୍ଗରେ। ରାଜଧାନୀ ଭୁବନେଶ୍ୱରର ଗାନ୍ଧୀ ମାର୍ଗ ହୋଇ ଉଠିଥିଲା ଚଳଚଞ୍ଚଳ l ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ବ୍ରାସବ୍ୟାଣ୍ଡ ତାଳେ ତାଳେ 50 ଟ୍ରୁପ କରିଥିଲେ ପରେଡ ପ୍ରଦର୍ଶନ। ସେପଟେ ପୋଲିସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ, ସାହାସିକତା କାର୍ଯ୍ୟ ଓ ବିଶିଷ୍ଟ ସେବା ପାଇଁ ୩୪ ଜଣ ପୋଲିସ ଅଫିସର ପାଇଛନ୍ତି ମେଡାଲ l
ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା ମୁକ୍ତ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି l ଏଥିପାଇଁ ଦୁଲୁକିଥିଲା ଗାନ୍ଧୀମାର୍ଗ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ବ୍ରାସବ୍ୟାଣ୍ଡ ତାଳେ ତାଳେ 50 ଟ୍ରୁପ କରିଥିଲେ ପରେଡ ପ୍ରଦର୍ଶନ l ଏହାର ନେତୃତ୍ୱ ନେଇଥିଲେ କେସିଙ୍ଗା SDPO ୟସ ପ୍ରତାପ ଶ୍ରୀମାଲ । ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଏକ ପୋଲିସ ଟ୍ରୁପ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ବାଇକରେ ଡେ଼ୟାର ଡେଭିଲ ଦୁଃସାହସିକ କଳା ପ୍ରଦର୍ଶନ କରିବା ସହ ଓଡିଶା ସ୍କେଟିଂ ଏକାଡେମୀ ତରଫରୁ କରାଯାଇଥିଲା ଚିତାକର୍ଷକ ପ୍ରଦର୍ଶନ l
ଅନ୍ୟପଟେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଥିଲା ବା ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ, ସାହାସିକତା ଓ ବିଶିଷ୍ଟ ସେବା ପାଇଁ ୩୪ ଜଣ ପୋଲିସଙ୍କୁ ମେଡାଲ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରୀଟି wing ଏସପି ସରୋଜ କୁମାର ମହାପାତ୍ର। ସେହିଭଳି ସାହାସିକତା ପାଇଁ ଦୁଇ ଜଣ SOG କମାଣ୍ଡୋ କୁମାର କର୍ମୀ ଓ ପୀତବାସ ପାଣ୍ଡେଙ୍କୁ ପୁରସ୍କୃତ କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି l
ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now