ସମ୍ବଲପୁର ଜିଲ୍ଲାକୁ ଭୂମି ସମ୍ମାନ

Spread the love

ସମ୍ବଲପୁର : ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ମଙ୍ଗଳବାର ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ସମ୍ବଲପୁର ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ ଭୂମି ସମ୍ମାନ ପ୍ଲାଟିନମ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୂମି ସଂସ୍କାର କ୍ଷେତ୍ରରେ ଭାରତର ଶ୍ରେଷ୍ଠ ୬୮ଟି ଜିଲ୍ଲାକୁ ଭୂମି ସମ୍ମାନ ପୁରସ୍କାର ପ୍ରଦାନ କରିଛନ୍ତି । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଭୂମି ସଂସ୍କାର ନିମନ୍ତେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ସହଯୋଗରେ ଜିଲ୍ଳାରେ ନିଆଯାଇଥିବା ତ୍ୱରିତ ଓ ସଫଳ କାର୍ଯ୍ୟକ୍ରମ ତଥା- ଜମି ପଟ୍ଟାର କମ୍ପୁଟରୀକରଣ, ଜମି ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମର ସରଳୀକରଣ ଓ ସ୍ୱଚ୍ଛତା ଅନୁପାଳନ, ଆଧୁନିକ ରେକର୍ଡ଼ ରୁମ ପରିଚାଳନା ଓ ଜମି ଜମା କାଗଜ ପତ୍ରର ସ୍କାନିଂ ଏବଂ କମ୍ପୁଟରୀକରଣ ,ତହସିଲ ଓ ରେଜିଷ୍ଟ୍ରେସନ କାର୍ଯ୍ୟଳୟ ମଧ୍ୟରେ ସଂଯୋଜନା ପ୍ରଭୃତି କ୍ଷେତ୍ରରେ ସମ୍ବଲପୁର ଜିଲ୍ଲାର ୯ଟି ତହସିଲରେ ଆଶାନୁରୂପକ ଉନ୍ନତି ପ୍ରଦର୍ଶନ ସହ ସଫଳତା ହାସଲ କରିଥିବା ହେତୁ ଭାରତ ସରକାରଙ୍କ ତରଫରୁ ଏହି ସମ୍ମାନ ଭାରତର ମହାମହିମ ରାଷ୍ଟ୍ରପତି ଦ୍ୱାରା ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ପ୍ରଦାନ କରିଛନ୍ତି । ସମ୍ବଲପୁର ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ୍ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହାସହ କୁଚିଣ୍ଡା ଉପଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଯୁଯୁମୁରା ତହସିଲଦାର ଅଭିଷେକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ରାଜ୍ୟର ମୋଟ ୧୯ ଟି ଜିଲ୍ଲା ଭୂମି ସମ୍ମାନ ପ୍ଲାଟିନମ ସାର୍ଟିଫିକେଟ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *