ଅକାମି ସୋଲାର ପାନୀୟ ଜଳ ପ୍ରକଳ୍ପକୁ ନେଇ ହନ୍ତସନ୍ତ ଲୋକେ

Spread the love

କୁଜଙ୍ଗ:  ଅକାମି ହୋଇପଡିଛି ସୋଲାର ପାନୀୟ ଜଳ ପ୍ରକଳ୍ପ। ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଛନ୍ତି ବ୍ୟବସାୟୀ ଓ ସାଧାରଣ ଜନତା। ତଥାପି ସରକାରଙ୍କର ନିଦ ଭାଙ୍ଗୁନି। ଏପରି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ବଜାରରେ। ବର୍ଷେ ପୂର୍ବରୁ ଉଦଘାଟନ ହୋଇଥିବା ଏହି ପ୍ରକଳ୍ପ ମାସେ ଟିଏ ବି ଚାଲି ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

କୁଜଙ୍ଗ ବ୍ଲକ ସଦର ମହକୁମାରେ ଥିବା କୁଜଙ୍ଗ ବଜାରରେ ଏକ ହଜାରରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ଏଠାରେ ଦୁଇଥର ସାପ୍ତାହିକ ହାଟ ମଧ୍ୟ ବସେ। ଫଳରେ ଦୈନିକ ହଜାର ହଜାର ଲୋକଙ୍କର ସମାଗମ ହୋଇଥାଏ ଏହି ବଜାରରେ । ସ୍ଥାନୀୟ ବ୍ୟବସାୟୀମାନେ । ପନିପରିବା ଓ ବିଭିନ୍ନ ସାମଗ୍ରୀ ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। ମାତ୍ର ବଜାର ମଧ୍ୟରେ କୌଣସି ପାନୀୟ ଜଳ ର ସୁବିଧା ନ ଥିବା ଯୋଗୁ ମୁଖ୍ୟତଃ ଖରାଦିନେ  ବ୍ୟବସାୟୀମାନେ ପିଇବା ପାଣି ଟୋପାଏ ପାଇଁ ନାନା ହନ୍ତସନ୍ତ ହେଉଛନ୍ତି।

ବ୍ୟବସାୟୀ ତଥା ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟାକୁ ଦୂର କରିବାକୁ ୨୦୨୧ରେ ହାଟ ଭିତରେ ବସାଯାଇଥିଲା ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ। ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ୍ତ ଏହି ପ୍ରକଳ୍ପକୁ ଖୋଦ ବିଧାୟକ ଉଦଘାଟନ କରିଥିଲେ। କିନ୍ତୁ ପ୍ରାୟ ବର୍ଷେ ହେବ ଏହା ଖରାପ ହୋଇ ପଡିଛି। ବଜାରକୁ ଆସୁଥିବା ସାଧାରଣ ଜନତାଠାରୁ ବ୍ୟବସାୟୀ ପାଣି ମନ୍ଦେ ପାଇଁ ଡହଳବିକଳ ହେଉଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡୁନଥିବା ଅଭିଯୋଗ ହେଉଛି। ଏନେଇ ବ୍ଲକ ଓ ଆରଡବ୍ଲୁଏସଏସ ନିରବଦ୍ରଷ୍ଟା ସାଜିଛନ୍ତି। ତେବେ ଏସମ୍ପର୍କ ପଚରାଯିବାରୁ  ତୁରନ୍ତ ମରାମତି କରିବାକୁ ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ଲୋକପ୍ରତିନିଧି।

ତେବେ ବିଭାଗୀୟ ଅବହେଳା ଯୋଗୁଁ ଉନ୍ନୟନ ମୂଳକ ଯୋଜନା ସାଧାରଣ ଲୋକଙ୍କ କାମରେ ଲାଗି ପାରୁନାହିଁ। ପାନୀୟ ଜଳ ପ୍ରକଳ୍ପ ମରାମତି କେବେ ହେଉଛି ତାହା ଦେଖିବାକୁ ବାକି ରହିଲା ।

ରଶ୍ମୀ ରଞ୍ଜନ ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *