ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ

Spread the love

ଭୁବନେଶ୍ୱର : ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆଗାମୀ ୪ରୁ ୫ ଦିନ ପାଇଁ ତାପମାତ୍ରା ବୃଦ୍ଧିଯୋଗୁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ । ପୂର୍ବାନୁମାନ ଅନୁଯାୟୀ ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ଭଦ୍ରକ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ଅଛି । ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗ୍ରାମାଂଚଳ ଏବଂ ସହରାଂଚଳର ସମସ୍ତ ବଜାର, ବସ୍ ଷ୍ଟାଣ୍ଡ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ପାନୀୟଜଳ ସେବା କେନ୍ଦ୍ରର ବ୍ୟବସ୍ଥା କରାଯିବ । ଏତଦ୍ ବ୍ୟତୀତ ଜଳକ୍ଲିଷ୍ଟ ଅଂଚଳମାନଙ୍କରେ ଟ୍ୟାଙ୍କର ମାଧ୍ୟମରେ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ନଳକୂପ ଏବଂ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥାଗୁଡ଼ିକର ତୁରନ୍ତ ମରାମତି କରି ସେଗୁଡ଼ିକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ବସ୍ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନଗୁଡ଼ିକରେ ପାନୀୟଜଳ ଓ ଓଆରଏସ୍ ମହଜୁଦ୍ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚିକିତ୍ସାଳୟରେ ଯଥେଷ୍ଟ ପରିମାଣର ଜୀବନରକ୍ଷକ ଔଷଧ, ସାଲାଇନ୍ ଓ ଓଆରଏସ୍ ମହଜୁଦ୍ ରଖିବା ସଙ୍ଗେ ସଙ୍ଗେ ଅଂଶୁଘାତର ଶିକାର ହୋଇଥିବା ରୋଗୀମାନଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ବେଡ୍ ର ବ୍ୟବସ୍ଥା କରାଯିବ । ଗ୍ରୀଷ୍ମପ୍ରବାହ ଯୋଗୁଁ ସର୍ବାଧିକ ଉତାପ ଥିବା ସମୟରେ ଶ୍ରମିକମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନକରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏତଦ୍ ବ୍ୟତୀତ କାର୍ଯ୍ୟସ୍ଥଳୀମାନଙ୍କରେ ବିଶ୍ରାମ ନେବା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ସହିତ ଯଥେଷ୍ଟ ପରିମାଣର ପାନୀୟ ଜଳ ଏବଂ ଓଆରଏସ୍ ପ୍ୟାକେଟ ମହଜୁଦ ରଖାଯିବ । ଗୃହପାଳିତ ପଶୁପକ୍ଷୀ ଓ ବନ୍ୟଜନ୍ତୁମାନଙ୍କ ପାଇଁ ସ୍ୱତନ୍ତ୍ର ଜଳପୂର୍ଣ୍ଣ ପାତ୍ର/କୁଣ୍ଡର ବ୍ୟବସ୍ଥା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ସଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ବର୍ଷ ଗ୍ରୀଷ୍ମପ୍ରବାହଜନିତ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଯେପରିକି ଦିନ ୧୧ ଘଟିକାଠାରୁ ୩ ଘଟିକା ମଧ୍ୟରେ ଟାଣ ଖରାରେ ପଦାକୁ ନବାହାରିବା, ଖରାରେ କଠିନ ପରିଶ୍ରମ ନକରିବା, ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ପାଣିବୋତଲ, କଳା ଚଷମା, ଚପଲ, ହାଲୁକା ଏବଂ ଢିଲା ପୋଷାକ ପରିଧାନ କରିବା, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରିବା ପାଇଁ, ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓଆରଏସ୍ ଦ୍ରବଣ, ପଣା, ତୋରାଣି, ଘୋଳଦହି ଓ ଆଖୁରସ ପିଇବା ପାଇଁ ଲୋକମାନଙ୍କୁ ଅବଗତ କରିବା ନିମନ୍ତେ ସମ୍ବାଦପତ୍ର ଓ ବିଭିନ୍ନ ଇଲେକ୍‌ଟ୍ରୋନିକ୍ ଗଣମାଧ୍ୟମ ଦ୍ୱାରା କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ ।

Leave a Reply

Your email address will not be published. Required fields are marked *