ମହଙ୍ଗା ପଡ଼ିଲା ଆନ୍ଦୋଳନ

Spread the love

() ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ୱଲପୁର କୋର୍ଟ ପରିସରରେ ଘଟିଥିବା ତୁମୁଳକାଣ୍ଡ ପାଇଁ ୨୯ ଆଇନଜୀବିଙ୍କ ଲାଇସେନ୍ସ ରଦ୍ଦ କରିଛି ବାର୍ କାଉନସିଲ ଅଫ ଇଣ୍ଡିଆ। ଜିଲ୍ଲା ଜଜଙ୍କ ଚାମ୍ୱରରେ ଭଙ୍ଗାରୁଜା ଘଟଣାରେ ୧୪ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫଦାରି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। କୋର୍ଟ ପରିସରରେ ୧୪୪ଧାରାକୁ ଭୃକ୍ଷେପ ନ କରି ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆହୁତ ସତ୍ୟାଗ୍ରହରେ ସାମିଲ୍ ହୋଇଥିଲେ।

ସମ୍ୱଲପୁର କୋର୍ଟରେ ଆନ୍ଦୋଳନକାରୀ ଓକିଲଙ୍କ ବ୍ୟାପକ ଭଙ୍ଗାରୁଜା, ବିଚାରପତିଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ସୁଯୋଗ ନ ଦେବା, କୁଶ ପୁତ୍ତଳିକା ଦାହ, ଜିଲ୍ଲା ଜଜଙ୍କ କୋର୍ଟରୁମ୍ ଭିତରେ ପଶି ଭଙ୍ଗାରୁଜା, ବିଚାରପତିଙ୍କୁ ଭିଡ଼ି ବାହାର କରିବା, ପୁଲିସ ସହ ଧସ୍ତାଧସ୍ତି ଆଦି ଘଟଣାରେ ବାର୍ କାଉନସିଲ ଅଫ ଇଣ୍ଡିଆ ଆକ୍ସନ ନେଇଛି। ସମ୍ୱଲପୁର ଓକିଲ ସଂଘର ସମସ୍ତ ୨୯ ସଭ୍ୟଙ୍କ ଲାଇସେନ୍ସ ଦେଢ଼ବର୍ଷ ଲାଗି ରଦ୍ଦ କରିଛି ବାର୍ କାଉନସିଲ। ସୁପ୍ରିମକୋର୍ଟ ଆନ୍ଦୋଳନକାରୀ ଓକିଲଙ୍କ ଏଭଳି ଆଚରଣକୁ ନେଇ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ। ଏଭଳି ଓକିଲଙ୍କୁ ଗିରଫ କରି ଜେଲ୍ ପଠାଇଲନି କାହିଁକି ବୋଲି ଓଡ଼ିଶା ପୁଲିସ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ। ହିଂସାତ୍ମକ ଆଚରଣର ଅନେକ ଭିଡ଼ିଓ ଦେଖି କ୍ଷୁବ୍ଧ ହୋଇଥିଲେ ଅଦାଲତ। ପୁଲିସ କାହିଁକି ଓକିଲଙ୍କ ସହ ଏଭଳି କୋହଳ ମନୋଭାବ ଆପଣାଉଛି ବୋଲି ପଚାରିଥିଲେ। ଯଦି ରାଜ୍ୟ ପୁଲିସ ପାରୁନି, ତେବେ ଅର୍ଦ୍ଧସାମରିକ ବାହିନୀକୁ ଲଗାଇବୁ ବୋଲି ତାଗିଦ୍ କରିବା ସହ କଅଣ ଆକ୍ସନ ନେଲ, ୧୪ ତାରିଖ ସୁଦ୍ଧା କୋର୍ଟକୁ ଭିସି ଜରିଆରେ ବ୍ୟକ୍ତିଗତ ହାଜର ହୋଇ ଜବାବ ରଖିବାକୁ ଡିଜିପି ଓ ସମ୍ୱଲପୁର ଆଇଜିଙ୍କୁ ନିର୍ଦେଶ ଦେଇଛନ୍ତି।

ଆଉ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ପୁଲିସ ବି ତ୍ୱରିତ ଆକ୍ସନ ଆରମ୍ଭ କରିଦେଇଛି। ଆନ୍ଦୋଳନକୁ ଉଗ୍ର କରିଥିବା ଆଇନଜୀବିଙ୍କୁ ବାନ୍ଧିଛି। ଅନେକ ଓକିଲଙ୍କର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ସମ୍ୱଲପୁର ଏସପି କେବଳ ନୁହେଁ, ପଡ଼ୋଶୀ ସୋନପୁର ଏସପି ବି ଆସି ପହଞ୍ଚିଥିଲେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ସମ୍ୱଲପୁରରେ। ସିସିଟିଭି ଫୁଟେଜ ଆଧାରରେ ଗିରଫଦାରି ଆରମ୍ଭ ହୋଇଥିଲା। ପୁରା ସମ୍ୱଲପୁର ସହରରେ ୨୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲା ବେଳେ କୋର୍ଟ ପରିସରକୁ ପୁରା ପୁଲିସ ଛାଉଣୀରେ ପରିଣତ କରିଦିଆଯାଇଥିଲା। କେବଳ କୋର୍ଟ ପରିସରରେ ୧୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। କଚେରୀ ଛକରେ ୧୪୪ ଧାରା ଜାରି କରାଯାଇଥିଲା।

କୋର୍ଟ କାର୍ଯ୍ୟରେ ବାଧା ଦେଇ କୌଣସି ପ୍ରକାର ଆନ୍ଦୋଳନକୁ ବାରମ୍ୱାର ବାରଣ କରିଥିଲେ ସୁପ୍ରିମକୋର୍ଟ। କଥା ନ ମାନିଲେ, କଠୋର ଆକ୍ସନ ହେବ ବୋଲି ବି ଚେତାଇ ଦେଇଥିଲେ। ହେଲେ ମାନିନଥିଲା ସମ୍ୱଲପୁର ଓକିଲ ସଂଘ। ଆଉ ସଂଘ ଡାକିଥିବା ଆନ୍ଦୋଳନରେ ବିଭିନ୍ନ ରାଜନୈତିକ ଦଳ, ସାଂସ୍କୃତିକ ଓ ସାମାଜିକ ସଂଗଠନ, ବୁଦ୍ଧିଜୀବିଙ୍କଠୁ ନେଇ କଳାକାର, ଚାଷୀ, ଶ୍ରମିକ, କିନ୍ନର ପ୍ରମୁଖ ବି ସାମିଲ୍ ହୋଇଥିଲେ। ଆନ୍ଦୋଳନ ହିଂସାର ରୂପ ନେଇଥିଲା। ଆଇନଜୀବିଙ୍କ କହିବା କଥା, ବଳପୂର୍ବକ ପୁଲିସ ଗିରଫ କରୁଛି। ବାର୍ କାଉନସିଲ ପକ୍ଷରୁ ନିଲମ୍ୱନ ନେଇ କୌଣସି ଚିଠି ଆସିନି ବୋଲି ବନ୍ଧା ହୋଇଥିବା ଆଇନଜୀବି କହିଥିଲେ।

ବେଞ୍ଚ୍ ବିବାଦ ଭିନ୍ନ ମୋଡ଼ ନେଲାଣି। ଆନ୍ଦୋଳନକାରୀ ଆଇନଜୀବିଙ୍କ ଲାଇସେନ୍ସ ସସପେଣ୍ଡ ସହ ସେମାନଙ୍କୁ ଗିରଫ ପ୍ରସଙ୍ଗ ଆଗକୁ କେଉଁ ମୋଡ଼ ନେବ, ଦେଖିବାକୁ ରହିଲା।

ସମ୍ୱଲପୁରରୁ ସରୋଜ ସେଠଙ୍କ ସହ ଭୁବନେଶ୍ୱରରୁ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *