ବିଦ୍ୟାଳୟରେ ତାଲା ପକାଇଲେ  ଛାତ୍ରଛାତ୍ରୀ

Spread the love

ଭଦ୍ରକ: ବିଦ୍ୟାଳୟରେ ତାଲା ପକାଇଲେ  ଛାତ୍ରଛାତ୍ରୀ ଓ  ଅଭିଭାବକ। ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି, ଅପାରଗତା, ସ୍ୱେଚ୍ଛାଚାରିତା  ଭଳି ଅଭିଯୋଗ କରି , ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବଦଳି ଦାବି କରାଯାଇ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ତେବେ ଖବର ପାଇ ଘଟଣା ସ୍ଥଳରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପହଞ୍ଚି ପ୍ରତିଶୃତି ଦେବା ପରେ ଧାରଣା ହଟିଛନ୍ତି।

ବିପର୍ଯ୍ୟସ୍ତ ଅବସ୍ଥାରେ ଭଦ୍ରକ, ସାତଭଉଣୀ ଉଚ୍ଚବିଦ୍ୟାଳୟର ଶିକ୍ଷାବ୍ୟବସ୍ଥା। ୧୯୬୭ ମସିହାରେ ଏହି ବିଦ୍ୟାଳୟଟି ସ୍ଥାପିତ ହୋଇଥିବା ବେଳେ, ଏଯାବତ ବିଦ୍ୟାଳୟରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଯାଇନାହିଁ। ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷାଦାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଦୀର୍ଘ ୧୭ବର୍ଷ ଧରି ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଅଞ୍ଜୁଲିକା ବିଶ୍ୱାସ ଦାଇତ୍ୱରେ ରହିଆସୁଛନ୍ତି। ତେବେ ମଞ୍ଜୁଲତା ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟକୁ ଆସୁଥିବା ସରକାରୀ ଅର୍ଥକୁ କାର୍ଯ୍ୟରେ ନ ଲଗାଇ, ଏହି ଅର୍ଥକୁ ଆତ୍ମସାତ କରୁଥିବା  ଅଭିଯୋଗ ହୋଇଛି। ତେବେ ଏ ନେଇ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ତେଣୁ ବାଧ୍ୟ ହୋଇ ଛାତ୍ର ଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ବଦଳି କରାଯିବ ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ।

ଅନ୍ୟପକ୍ଷରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ। ଛାତ୍ର ଛାତ୍ରୀ ଅଭିଭାବକଙ୍କ ସହ ସମସ୍ୟା ବିଷୟରେ ଆଲୋଚକା କରିଥିଲେ। ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଅନ୍ୟପକ୍ଷରେ ଯାହା ସମସ୍ୟା ଅଛି ତାହା ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଅତିରିକ୍ତ ଶିକ୍ଷାଅଧିକାରୀ।        

ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ  କରୁଥିବା ବେଳେ କିଛି ଲୋକଙ୍କ ପାଇଁ ଏହା ବାଟବଣା ହୋଇଛି। ତେବେ ଦେଖିବାକୁ ବାକି ରହିଲା ଏହି ବିଦ୍ୟାଳୟର ସମସ୍ୟା କେବେ ସମାଧାନ ହେବ।

ଶାନ୍ତନୁ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *