ଓଡ଼ିଶା

ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

କେନ୍ଦୁଝର: ଶିକ୍ଷକ ଓ ଶ୍ରେଣୀଗୃହ ଅଭାବ ଯୋଗୁଁ ବିଦ୍ୟାଳୟରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ଏହାସହ ନୁଦୁରପଡା-କାଳିହତା ରାସ୍ତା ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଜଙ୍ଘିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ଓ ଶ୍ରେଣୀଗୃହ ଦାବୀରେ ସ୍ଥାନୀୟ ଅବିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଏବଂ ସ୍କୁଲ ପିଲାମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଜଙ୍ଘିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହୋଇଥାଏ।ଏଠାରେ ୨୫୮ ଜଣ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି। ଏଠାରେ ଆଠଜଣ ଶିକ୍ଷକଙ୍କ ବଦଳରେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ମୋଟ ୪ ଜଣ ଶିକ୍ଷକ ଅଛନ୍ତି। ଶିକ୍ଷକ ଓ ଶ୍ରେଣୀ ଗୃହର ଅଭାବ ଯୋଗୁଁ ପିଲାଙ୍କ ପାଠପଢା ବ୍ୟାହତ ହେଉଛି। ଏହାକୁ ନେଇ ବାରମ୍ବାର ଅଧିକାରୀଙ୍କୁ ଜଣାଯାଉଥିଲେ ମଧ୍ୟ କିଛି ଫଳ ହେଉନାହିଁ। ତେଣୁ ସ୍କୁଲ ଆଗରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ।

ପ୍ରଧାନ ଶିକ୍ଷକ ସିଆରସିସି ଦାଇତ୍ୱ ମଧ୍ୟ ତୁଲାଉଛନ୍ତି । ଅନ୍ୟ ଜଣେ ଶିକ୍ଷକ ଡେପୁଟେସନରେ ଅଛନ୍ତି । ଫଳରେ ପାଠ ପଢା ବ୍ୟାଘାତ ହେଉଛି । ଗୋଟିଏ ରୁମରେ ୩ଟି କ୍ଳାସ କରାଯାଉଛି ।

ଏନେଇ ହରିଚନ୍ଦନପୁରର ଏବିଓ ବିକଳ ସାହୁ କହିଛନ୍ତି ମୁଁ ତ ନୂଆ ଆସିଛି। ଏ ବିଷୟରେ କିଛି ଜାଣିନାହିଁ । ମୋତେ ସମାଧାନ ପାଇଁ ପଠାଯାଇଛି । ମୁଁ ଯାହା ଦେଖିଲି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦେବି । ଏବେ ଦେଖିବାକୁ ରହିଲା କେବେ ସରକାର ଏହି ସ୍କୁଲ ପ୍ରତି ଦୃଷ୍ଟି ଦେଉଛନ୍ତି।

ପାର୍ଥ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button