ବିଶାଖାପାଟଣା ସ୍ଥିତ ଓଡିଶା ରୋଗର ସହାୟତା କେନ୍ଦ୍ରର ସୁବିଧା ଜାରି ରହିବ

Spread the love

ଭୁବନେଶ୍ୱର : ବିଶାଖାପାଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ‘ରୋଗୀ ସହାୟତା କେନ୍ଦ୍ର’ ର ଅବଧିକୁ ରାଜ୍ୟ ସରକାର ଆଉ ବର୍ଷେ (୨୦୨୩-୨୪) ପାଇଁ ବୃଦ୍ଧି କରିଛନ୍ତି ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ଦ୍ୱାରା ମାଲକାନଗିରିରୁ ବିଶାଖାପାଟଣାକୁ ଯାଉଥିବା ଗରିବ, ଆଦିବାସୀମାନଙ୍କ ଚିକିତ୍ସା କ୍ଷେତ୍ରରେ ସୁବିଧା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଶାଖାପାଟଣାରେ ରାଜ୍ୟ ସରକାର ୨୦୧୬ ମସିହାରୁ ଏକ ରୋଗୀ ସହାୟତା କେନ୍ଦ୍ର ସ୍ଥାପନ କରିଛନ୍ତି । ବିଶାଖାପାଟଣା ମାଲକାନଗିରି ଜିଲ୍ଲାର ଅତି ନିକଟରେ ଥିବାରୁ ଏବଂ ସେଠାରେ ଉଚ୍ଚ କୋଟୀର ଚିକିତ୍ସା ସୁବିଧା ମିଳୁଥିବାରୁ ଜିଲ୍ଲାରୁ ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ସେଠାକୁ ଯାଇଥାନ୍ତି । ରୋଗୀ ସହାୟତା କେନ୍ଦ୍ରରେ ସେମାନଙ୍କୁ ବିନା ମୂଲ୍ୟରେ ରହିବା ଓ ଖାଇବାର ସୁବିଧା ମିଳିପାରୁଛି । ୨୦୧୬ ରୁ ୨୦୨୨ ମଧ୍ୟରେ ରାଜ୍ୟ ସରକାର ଏହି ସହାୟତା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ୨୦୧୬ରେ ୨୫ ଲକ୍ଷ ଟଙ୍କା ଏବଂ ୨୦୨୦, ୨୦୨୧ ଓ ୨୦୨୨ ରେ ୧୦ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି ।

Leave a Reply

Your email address will not be published. Required fields are marked *