ମୋ ସେବା କେନ୍ଦ୍ର ସଂଖ୍ୟା ୮୦୦୦ କୁ ବୃଦ୍ଧି ପାଇବ : ମନ୍ତ୍ରୀ

Spread the love

ଭୁବନେଶ୍ୱର : ମୋ ସେବା କେନ୍ଦ୍ର ଜରିଆରେ ସରକାରୀ ସେବା ନାଗରିକଙ୍କ ଘର ପାଖରେ ଉପଲବ୍ଧ ହୋଇପାରିଛି । ଏଯାବତ୍ ରାଜ୍ୟରେ ୬,୯୦୦ ରୁ ଅଧିକ ମୋ ସେବା କେନ୍ଦ୍ର ସ୍ଥାପିତ ହୋଇସାରିଛି ଏବଂ ନିକଟ ଭବିଷ୍ୟତରେ ଏହି ସଂଖ୍ୟା ୮,୦୦୦ କୁ ଅଧିକ ବୃଦ୍ଧି ପାଇବ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଆଗାମୀ ପଦକ୍ଷେପ ଓଡିଶାର ରୂପାନ୍ତରୀକରଣକୁ ଆହୁରି ଅନୁକୂଳ କରିବ । ସେହିପରି ସୁନ୍ଦରଗଡ ଏବଂ ଜୟପୁରରେ ଜିଲ୍ଲା ଡାଟା କେନ୍ଦ୍ର ସ୍ଥାପନ ପାଇଁ ଯୋଜନା କରାଯାଇଛି । ପୁରୀ ଠାରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ପ୍ରତିଷ୍ଠା ହେବାକୁ ଯାଉଛି । ସେମିକଣ୍ଡକ୍ଟର ଡିଜାଇନ୍ କରୁଥିବା ଷ୍ଟାର୍ଟ ଅପ୍ ଏବଂ ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଓ-ଚିପ୍ କାର୍ଯ୍ୟକ୍ରମ ଜରିଆରେ ଭିତ୍ତିଭୂମି ଓ ପୁଞ୍ଜିନିବେଶ ପାଇଁ ସହାୟତା ଯୋଗାଇ ଦିଆଯିବ । ପ୍ରଯୁକ୍ତିର ସମ୍ଭାବିତ କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ମାନ ପ୍ରତିଷ୍ଠା କରାଯାଇ ୩୦୦୦ ବ୍ୟକ୍ତିବିଶେଷଙ୍କୁ ପ୍ରଶିକ୍ଷଣ ଦିଆଯିବ । ଖୁବ୍ ଶୀଘ୍ର ଫାବ୍ ଏବଂ ଫାବ୍ ରହିତ ନୀତି ପ୍ରଣୟନ କରାଯିବ । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କୁ ୱାଇଫାଇ ସଂଯୋଗକୁ ବିସ୍ତାର ଫଳରେ ପ୍ରାୟ ସାତ ଲକ୍ଷ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ମାନକୁ ସକାରାତ୍ମକ ପ୍ରଭାବିତ କରିପାରିବ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ  ତୁଷାରକାନ୍ତ ବେହେରା ସୂଚନା ଦେଇଛନ୍ତି ।

ମୁଖ୍ୟମ଼ନ୍ତ୍ରୀଙ୍କ ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି ଯେ ଏହି ବିଭାଗ ରାଜ୍ୟରେ ଆଇଟି କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ସୁଗମ କରି ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ବୈଷୟିକ ସହାୟତା ପ୍ରଦାନ ମାଧ୍ୟମରେ ପ୍ରଶାସନର କାର୍ଯ୍ୟପ୍ରଣାଳୀକୁ ଏକୀକୃତ ତଥା ବିକେନ୍ଦ୍ରୀକରଣ ଶାସନକୁ ସୁନିଶ୍ଚିତ କରି ସରକାରୀ ସେବା ଜନସାଧାରଣଙ୍କ ପାଖରେ ସହଜ ଉପଲବ୍ଧ କରାଇବାର ପ୍ରକ୍ରିୟାକୁ ବ୍ୟାପକ ରୂପାନ୍ତରଣ କରିପାରିଛି । ଇଂଟରନେଟ୍ ସେବା ଗାଁ ଗାଁରେ ପହଞ୍ଚାଇବା ପାଇଁ ରାଜ୍ୟରେ ଟେଲିକମ୍ ଭିତ୍ତିଭୂମିର ବିକାଶ ସାଧନ କରାଯାଇଛି ।

୨୦୨୧ ମସିହାରେ ସରକାରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଓଡିଶା ୱାନ୍ ପୋର୍ଟାଲରେ ୬୪୦ ରୁ ଅଧିକ ସେବା ଉପଲବ୍ଧ ହେଉଛି । ଓଡିଶା ରାଜ୍ୟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ ର ପରିସର ସଚିବାଳୟର ସମସ୍ତ ବିଭାଗ, ସମସ୍ତ ନିର୍ଦ୍ଦେଶାଳୟ / ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଓଡିଶାର ପୋଲିସ ମୁଖ୍ୟାଳୟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଗୁଡ଼ିକର ପ୍ରାୟ ୧୫,୦୦୦ ବ୍ୟବହାରୀଙ୍କ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଅଛି ଓ ଏହା ତୁରନ୍ତ ନିଷ୍ପତ୍ତି ଗ୍ରହଣରେ ସହାୟକ ହୋଇଛି । ୨୦୧୩ ମସିହାରେ ଏହାର ବ୍ୟବହାରକାରୀ ୧୩୦୦ ଥିବାବେଳେ ୨୦୨୦ ମସିହାରେ ଆନୁମାନିକ ୭୦୦୦ କୁ ବୃଦ୍ଧି ପାଇଛି ।

ସମସ୍ତ ଗ୍ରାମପଞ୍ଚାୟତମାନଙ୍କୁ ଅପ୍ଟିକାଲ୍ ଫାଇବର୍ ସଂଯୋଗ ଯୋଗାଇ ଦିଆଯାଇଛି, ଯାହାଦ୍ୱାରା ଡିଜିଟାଲ୍ ବ୍ୟବହାରୀକରଣରେ ଜନସାଧାରଣଙ୍କ ଭାଗିଦାରୀକୁ ସୁନିଶ୍ଚିତ କରାଯାଇପାରିଛି । 

Leave a Reply

Your email address will not be published. Required fields are marked *