naba das

  • ନେତ୍ରୀଙ୍କ ଟ୍ବିଟ ୱାର

    () ବିଧାନସଭା ଭିତରେ ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳରୁ ଗୃହ ମୁଲତବୀ ହୋଇଗଲା। ଆଉ ବିଧାନସଭା ବାହାରେ ବିଧାୟିକା ବର୍ଷା ବରିହାଙ୍କ ସକାଳୁ ସକାଳୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ ରେ ପ୍ରଶ୍ନ ଆଉ ଉତ୍ତରରେ ଅର୍ପିତା ବଡ଼ଜେନାଙ୍କ ଟ୍ୱିଟରରେ କାଉଣ୍ଟର ଯେମିତି ଏହି ଏପିସୋଡକୁ ଅଧିକ ସରଗରମ କରିଦେଇଥିଲା।

    ମୁଁ ଯନ୍ତ୍ରଣା ଭୋଗିଛି। ଏବେ ନବ ଦାସଙ୍କ ପରିବାରକୁ କେତେ କଷ୍ଟ ଅନୁଭବ କରିପାରୁଛି। ଦିବଂଗତ ନବ ଦାସଙ୍କୁ ନିନ୍ଦିତ କରନ୍ତୁନି। ଦଳୀୟ ନେତାଙ୍କୁ ତାଗିଦ୍ କରନ୍ତୁ। ବିଧାନସଭା ଆରମ୍ଭର କିଛି ସମୟ ଅବ୍ୟବହିତ ଆଗରୁ କିଛି ଏମିତି ଢଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୱିଟ୍ କରିଥିଲେ ବିଧାୟିକା ବର୍ଷା ବରିହା। ପଦ୍ମପୁର ଉପନିର୍ବାଚନ ବେଳେ ଅନେକ ବିଜେପି ନେତା ବର୍ଷାଙ୍କୁ ନେଇ ଯେଭଳି କଟାକ୍ଷ କରିଥିଲେ,ତାହା ତାଙ୍କୁ ବାଧିଥିଲା। ହେଲେ ନେତାଙ୍କୁ ବାରଣ କଲେନି ଧର୍ମେନ୍ଦ୍ର। ବୋଧହୁଏ ଜାଣିଶୁଣି ନୀରବ ରହିଲେ ବୋଲି କହିଛନ୍ତି ବର୍ଷା। ଆଉ ସମାନ ଢଙ୍ଗରେ ସ୍ୱର୍ଗତ ନବ ଦାସଙ୍କ ଚରିତ୍ର ସଂହାର ଲାଗି ଯେଉଁ ଉଦ୍ୟମ ହେଉଛି, ତାଙ୍କ ଝିଅ ଦିପାଳୀ ଓ ପରିବାରର ଅନ୍ୟମାନଙ୍କୁ ମାନସିକ ଯନ୍ତ୍ରଣା ଦେଉଥିବା ହୃଦବୋଧ କରୁଥିବା କହିଛନ୍ତି ବର୍ଷା। ବର୍ଷାଙ୍କ ଏହି ଟ୍ୱିଟକୁ ଦିନ ତମାମ ଲିଡ୍ କରି ଶାସକ ଦଳ ବି ବିଜେପିକୁ ଟାର୍ଗେଟ କରିଥିଲା।

    ସେପଟେ ବର୍ଷାଙ୍କୁ ଟ୍ୱିଟରରେ ଜବାବ ଫେରାଇବାକୁ ବିଳମ୍ୱ କରିନଥିଲେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଅର୍ପିତା ବଡ଼ଜେନା। ମମିତା ମେହେର ହତ୍ୟାକାଣ୍ଡ ପଛରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛରେ ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଅଛି କି ନାହିଁ ବୋଲି ପଚାରିଛନ୍ତି। ବିଧାୟକ ବିଜୟଶଙ୍କର ବରିହା କାହିଁକି ବିଧାନସଭା ଆସୁନାହାନ୍ତି। ସୋମାଲିକାଙ୍କୁ ନ୍ୟାୟ ଦେବାରେ କୁଆଡ଼େ ଗଲେ ଏକ ନମ୍ୱର ପ୍ରଶାସକ ବୋଲି କାଉଣ୍ଟର ଆଟାକ କରିଛନ୍ତି। ଆଉ ଅର୍ପିତାଙ୍କ ଏହି କାଉଣ୍ଟର ଟ୍ୱିଟକୁ ବି ସମାନ ଢଙ୍ଗରେ ଲିଡ୍ କରିବାକୁ ପୁରା ଦଳ ବି ସାଥ୍ ଦେଇଥିଲା।

    ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ବିଜେପି ନେତାଙ୍କୁ ସଂଯମତା ଓ ସମ୍ୱେଦନଶୀଳତାର ପାଠ ପଢାଇବାକୁ ବର୍ଷା ବରିହାଙ୍କ ଟ୍ୱିଟ୍ ଓ କାଉଣ୍ଟରରେ ଅର୍ପିତାଙ୍କ ଗୋଟି ଗୋଟି ପ୍ରଶ୍ନର ଟ୍ୱିଟ୍ ଯେମିତି ବିଧାନସଭା ଅଚଳ ସତ୍ତ୍ୱେ ଆଇନଶୃଙ୍ଖଳା ପ୍ରସଙ୍ଗକୁ ସୋସିଆଲ ମିଡ଼ିଆରେ ପୁରା ଚଳଚଞ୍ଚଳ କରି ରଖିଥିଲା।

    ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ନବ ଦାସଙ୍କ ହତ୍ୟାକାରୀ ଗୋପାଳ ପାଗଳ ନୁହେଁ

    () ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ପାଗଳ ନୁହେଁ । ଏସସିବିର ମାନସିକ ରୋଗ ବିଶେଷଜ୍ଞଙ୍କ ପ୍ୟାନେଲ ଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ ଅଛି। ତେଣୁ ଗୋପାଳକୁ ନିମହାନ୍ସ ନେବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିବା ପରେ ଏହାକୁ ନେଇ ତେଜିଛି ରାଜନୀତି । ଆଉ ପୁଣିଥରେ ସୁସ୍ଥ ଗୋପାଳକୁ ମାନସିକ ଅସୁସ୍ଥ ବୋଲି କହିବାର ପ୍ରୟାସ ସରକାର କାହିଁକି କରୁଛନ୍ତି ବୋଲି ବିଜେପି ପ୍ରଶ୍ନ ପଚାରି ଶାସକ ଦଳକୁ କାଠଗଡ଼ାକୁ ଟାଣିଛି। ନବ ଦାସଙ୍କ ହତ୍ୟା ଷଡଯନ୍ତ୍ରକାରୀ ହିଁ ଗୋପାଳକୁ ପାଗଳ ସଜାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛି ଦଳ। ସମାନ ଅଭିଯୋଗ ରେ କଂଗ୍ରେସ ବି ବର୍ଷିଛି । ଯାହାର ଜବାବ ରଖିଛି ଶାସକ ଦଳ ।

    ଗୋପାଳକୁ କିଏ ସଜାଉଛି ପାଗଳ? ପାଗଳ ସଜାଇବା ପଛରେ ଅଛି କି ଷଡ଼ଯନ୍ତ୍ର? ଯଦି ସେ ମାନସିକ ଭାବେ ଅସୁସ୍ଥ ତେବେ ନିମହାନ୍ସ ନେବାକୁ କାହିଁକି ଅନୁମତି ଦେଲେନି କୋର୍ଟ? ଏସବୁ ପ୍ରଶ୍ନକୁ ନେଇ ପୁଣି ଥରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ । ସବୁଠାରୁ ବଡ କଥା ହେଲା ନବ ଦାସଙ୍କ ହତ୍ୟାକାଣ୍ଡର କିଛି ଘଣ୍ଟା ପରେ ଗଣମାଧ୍ୟମରେ ଗୋପାଳ ସ୍ତ୍ରୀଙ୍କ ପ୍ରତିକ୍ରିୟା ଓ ତାର ଠିକ୍ ପରେ ପରେ ଡାକ୍ତରଙ୍କ ବୟାନକୁ ନେଇ ଯେଉଁ ସନ୍ଦେହ ଥିଲା ତାହା ସତ ବୋଲି ଅଧିକ ବଳିଷ୍ଠ ହେଉଛି । ଅନ୍ୟପଟେ ଯଦି ଗୋପାଳ ମାନସିକ ରୋଗୀ ନୁହଁନ୍ତି ତେବେ କାହିଁକି ସେମାନେ ଏମିତି ପ୍ରତିକ୍ରିୟା ରଖିଥିଲେ । ଏଭଳି କହିବା ପାଇଁ ତାଙ୍କୁ କେଉଁଠୁ ନିର୍ଦ୍ଦେଶ ଥିଲା କି? ହତ୍ୟା କରିବେ ଆଉ ଦଣ୍ଡ ପାଇବାରୁ ମୁକୁଳିଯିବେ ସେଥିପାଇଁ ଏ ବାଟ କିଏ ବତାଇଥିଲା କି? ଏ ବୁଦ୍ଧି ହତ୍ୟା ଷଡ଼ଯନ୍ତ୍ରର କାର୍ପଟଦାର କି?ଏ ତମାମ ପ୍ରସଙ୍ଗକୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ନବଙ୍କ ହତ୍ୟା ଷଡ଼ଯନ୍ତ୍ର ଯେଭଳି ସତ ଗୋପାଳକୁ ପାଗଳ ସଜାଇବାର ଷଡ଼ଯନ୍ତ୍ର ମଧ୍ୟ ସେତିକି ସତ ବୋଲି ଅଭିଯୋଗ କରିଛନ୍ତି ।

    ଏପଟେ ବିରୋଧିଙ୍କୁ କଡା ଜବାବ ଦେଇଛି ଶାସକ ଦଳ । ବିରୋଧି ବାରମ୍ୱାର ସରକାର ଗୋପାଳକୁ ପାଗଳ ସଜାଇବାକୁ ଚେଷ୍ଟା କରୁଥିବା ଆରୋପ କରୁଥିଲେ । ଯାହା ଏବେ ଭୁଲ ପ୍ରମାଣିତ ହୋଇଛି । କିନ୍ତୁ କୋର୍ଟ ପ୍ରମାଣ କରି ଦେଲା ଯେ ଗୋପାଳ ପାଗଳ ନୁହେଁ । ତଦନ୍ତ ପ୍ରକ୍ରିୟାର ଆବଶ୍ୟକତା ଅନୁଯାୟୀ ପୁଲିସ ତା କାମ କରୁଛି ।  

    ସେପଟେ ଗୋପାଳ ପାଗଳ ନୁହେଁ ସ୍ପଷ୍ଟ ହେଇ ସାରିଛି । ସେ ସୁସ୍ଥ ମସ୍ତିଷ୍କରେ ହତ୍ୟା ଷଡଯନ୍ତ୍ର କରି ହତ୍ୟାକାଣ୍ଡ ଘଟାଇଛି । ତେଣୁ ବର୍ତ୍ତମାନ ପାରିପାର୍ଶ୍ୱକ ସ୍ଥିତି ଓ ତଥ୍ୟ

    ପ୍ରମାଣ ଭିତ୍ତି କରି ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ।

    ତେବେ ନବ ଦାସ ହତ୍ୟାକାଣ୍ଡ ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଓ ବିଜେଡି  ମଧ୍ୟରେ କଥା କଟାକଟି ଜାରି ରହିଛି । ଏହାରି ଭିତରେ ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଟୁଇଟର ୱାର ରାଜ୍ୟ ରଜନୀତିକୁ ଉଷ୍ଣ କରିଛି ।

    ସ୍ୱରୁପା ମହାପାତ୍ର ଓ ନବ କିଶୋର ସାହୁଙ୍କ ରିପୋର୍ଟ

  • ନବଙ୍କ ସ୍ମୃତିରେ ଭିଜୁଛି ଝାରସୁଗୁଡା

    () ମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ହଜାର ହଜାର ଲୋକ ।  ସରବାହାଲ ହାଇସ୍କୁଲ ପଡିଆରେ ଏହାର ଆୟୋଜିତି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ନବ ସମର୍ଥକ ଯୋଗ ଦେଇଥିଲେ । ଏହାସହ ଲୋକଙ୍କ ଭଲ ପାଇବା ଦେଖି ନବଙ୍କ ପୁଅ ଝିଅ ଭାବ ବିହ୍ୱଳ ହେବ ସହ ଲୋକଙ୍କ ପାଖରେ ରୂଣୀ ବୋଲି କହିଛନ୍ତି । ଏପଟେ ବିରୋଧି ଦଳ ନେତା  ଏହା ଶ୍ରଦ୍ଧାଞ୍ଜଳି ସଭା ନୁହେଁ ବରଂ ଦଳୀୟ ସଭା ବୋଲି କହି କଟାକ୍ଷ କରିଛନ୍ତି ।

    ନବଙ୍କ ସ୍ମୃତିରେ ଭିଜୁଛି ଝାରସୁଗୁଡା । ଦ୍ୱାଦଶ କାର୍ଯ୍ୟରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ସମେତ ବହୁ ହେଭିୱେଟ । ଆଖିରେ ଆଖିଏ ଲୁହ ନେଇ ବାପାଙ୍କ ସ୍ୱପ୍ନକୁ କରିବାକୁ ଅଣ୍ଟା ଭିଡିଲେ ପୁଅ ଝିଅ । ଗୁରୁବାର ଥିଲା ମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶ କାର୍ଯ୍ୟ । ଯେଉଁଥିରେ  ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ସମର୍ଥକ ଯୋଗଦେଇ ନବଙ୍କୁ ଆତ୍ମାର ସଦଗତି କାମନା କରିଛନ୍ତି । ସରବାହାଲ ହାଇସ୍କୁଲ ପଡିଆରେ ଏହାର ବଡ ଆୟୋଜନ କରାଯାଇଥିଲା ।

    ଆଖିରେ ଲୁହ ଓ ଛାତିରେ କୋହକୁ ନେଇ ସମସ୍ତେ ନବଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନବଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏପଟେ ହଜାର ହଜାର ଲୋକଙ୍କ ସ୍ୱଇଚ୍ଛାରେ ଏଠାକୁ ଆସିବା ବାପାଙ୍କ ପ୍ରତି ଲୋକଙ୍କ ଭଲ ପାଇବାକୁ ଦର୍ଶାଉଛି ବୋଲି କହିଛନ୍ତି ନବ ଦାସଙ୍କ ପୁଅ । ସେହିପରି ବାପାଙ୍କ ଅଧୁରା  ସ୍ୱପ୍ନ ପୁରଣ  ପାଇଁ ଜିଲ୍ଲାବାସୀଙ୍କ ଆଶିର୍ବାଦ ଆବଶ୍ୟକ କହିଥିଲେ ଝିଅ ଦିପାଲୀ।  

    ସେପଟେ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ନୁହେଁ, ଦଳୀୟ ସଭା ବୋଲି କହିଛନ୍ତି ବିରୋଧି ଦଳ ନେତା ।  ବିଜେଡି ତାର ଶକ୍ତି ପ୍ରଦର୍ଶନ ପାଇଁ ଡ୍ରାମା କରୁଛି । ଜଣଙ୍କର ମୃତ୍ୟୁର ୧୨ ଦିନରେ ରାଜନୈତିକ ସଭା କରିବା ଉଚିତ ଲାଗୁନାହିଁ କହି କଟାକ୍ଷ କରିଛନ୍ତି । ଏପଟେ ବରଗଡ ସାଂସଦ ସୁରେଶ ପୁଜାରୀ ନବଙ୍କ ସହ ବିତାଇଥିବା ସମୟକୁ ମନେ ପକାଇଛନ୍ତି ।  ନବ ଦାସ ମନ୍ତ୍ରୀ ଓ ସେ ସାଂସଦ ହେଲା ପରେ ଉଭୟଙ୍କ ମଧ୍ୟରେ ସଂପର୍କ ବଢିବା ସହ ଅଂଚଳର ଉନ୍ନତି ପାଇଁ ଉଭୟ ପ୍ରୟାସ କରୁଥିଲେ ବୋଲି କହିଛନ୍ତି ।

    ନବ ଦାସଙ୍କ ଶୁଦ୍ଧକ୍ରିୟା ଶେଷ ହୋଇଛି ସତ । ହେଲେ ଏଯାଏଁ ସାମ୍ନାକୁ ଆସିପାରୁନି ହତ୍ୟା ପଛର କାରଣ । ଯାହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ବଢିବାରେ ଲାଗିଛି । ଏମିତି କି ତଦନ୍ତ ପ୍ରକ୍ରିୟାକୁ ନେଇ ମଧ୍ୟ ବିବାଦ ବଢୁଛି । ହେଲେ ଆଗକୁ ତଦନ୍ତର ଦିଗ କୁଆଡେ ଯାଉଛି ତାହାରି ଉପରେ ଏବେ ସଭିଙ୍କ ନଜର।

    ଝାରସୁଗୁଡାରୁ ସନ୍ତୋଷ ମିଶ୍ର ଓ ଭୁବନେଶ୍ୱରରୁ ନବ କିଶୋର ସାହୁଙ୍କ ରିପୋର୍ଟ

  • କ୍ରାଇମ ସ୍ପଟରେ ଡେମୋ ଦେଖାଇଲେ ହତ୍ୟାକାରୀ ଗୋପାଳ

    () ଗୋପାଳ ଦାସର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ତୃତୀୟ ଦିନରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ବିଶେଷ କରି ଆଜି କ୍ରାଇମ ସ୍ପଟରେ ଗୋପାଳ କ୍ରାଇମ ସିନ ରିକ୍ରେସନ କରିଛି । ଏପଟେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ମଧ୍ୟ ଆଜି ଝାରସୁଗୁଡାରେ ଯାଇ ପହଞ୍ଚିଛନ୍ତି । ହେଲେ ଜେପି ଦାସଙ୍କୁ ତଦାରଖ ପାଇଁ ନିଯୁକ୍ତି ଦେବା ବେଆଇନ କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏହାସହ କଂଗ୍ରେସ ମଧ୍ୟ ଏସଆଇଟି ତଦନ୍ତ ଦାବୀ କରିଛି । ଏପଟେ ଏହାର ଜବାବ ରଖିଛି ଶାସକ ଦଳ ।

    କେବେ ଫିଟିବ ନବ ଦାସ ହତ୍ୟାକାଣ୍ଡର ଗୁମର ? ଅଭିଯୁକ୍ତ ଗୋପାଳ ମନ୍ତ୍ରୀଙ୍କୁ ଗୁଳି କରିଥିବା ସ୍ବୀକାର କରିଥିଲେ ମଧ୍ୟ ହତ୍ୟା ରହସ୍ୟକୁ ନେଇ   ଚାଲିଛି ତଦନ୍ତ । ଏହାରି ଭିତରେ କ୍ରାଇମସ୍ପଟରେ ପହଂଚି ଡେମୋ ଦେଖାଇଛି ହତ୍ୟାକାରୀ ASI  ଗୋପାଳ ଦାସ।କେତେ ପାଖରୁ ନବଦାସଙ୍କୁ ଗୁଳି କରିଥିଲା ସେ  ନେଇ ସବୁ କିଛି ଟିକନିକ ବଖାଣିଛି ହତ୍ୟାକାରୀ।ଯେଉଁଠାରେ  ନବ ଦାସଙ୍କୁ ହତ୍ୟା କରାଯାଇଥିଲା ସେହି ସ୍ଥାନକୁ ନବ ଦାସଙ୍କ ଗାଡିକୁ ନିଆଯାଇ ଡେମୋ ଦେଖାଇଛି ଗୋପାଳ । ଯାହାକୁ ସମ୍ପୂର୍ଣ୍ଣ ଭିଡିଓଗ୍ରାଫି ମଧ୍ୟ କରାଯାଇଛି । ଏପଟେ ମଙ୍ଗଳବାର ଝାରସୁଗୁଡାରେ ପହଞ୍ଚିଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ । ସେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କେତେ ଦୂର ଆଗେଇଲା ତାର ସମୀକ୍ଷା କରିବେ । ଏହାସହ ପୋଲିସ ଡିଜି ମଧ୍ୟ ତଦନ୍ତର ଅଗ୍ରଗତି ବୁଝିବାକୁ ଝାରସୁଗୁଡାରେ ପହଞ୍ଚିଛନ୍ତି । ଏହାସହ ଗୋପାଳର ମାନସିକ ଅବସ୍ଥା ଯାଞ୍ଚ ପାଇଁ ନିମହାନ୍ସର ୪ ଜଣିଆ ବିଶେଷଜ୍ଞ ଟିମ ଆସିଛନ୍ତି ।

    ସେପଟେ ନବ ଦାସ ହତ୍ୟାକାଣ୍ଡର ତଦାରଖ କରୁଥିବା ଅବସରପ୍ରାପ୍ତ ଜେ ପି ଦାସଙ୍କ  ନିଯୁକ୍ତି ବେଆଇନ ବୋଲି କହିଛି ବିଜେପି । ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କୋର୍ଟ ମନିଟଡ଼ ତଦନ୍ତ ନୁହେଁ । କେଉଁ ଆଦେଶ ବଳରେ ହାଇକୋର୍ଟ ଏକ ତଦାରଖ କମିଟି ବସେଇଛନ୍ତି ତାହାର କପିକୁ ସର୍ବ ସାଧାରଣରେ ରଖନ୍ତୁ ବୋଲି କହିଛି ଦଳ । ଏହାସହ ତଦନ୍ତ ପ୍ରକ୍ରିୟାକୁ ନେଇ କଂଗ୍ରେସ ମଧ୍ୟ ଆପତ୍ତି ଉଠାଇବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏପଟେ ତଦନ୍ତ ପ୍ରକ୍ରିୟାକୁ ନେଇ ବିରୋଧିଙ୍କୁ କଡା ଜବାବ ରଖିଛି ଶାସକ ଦଳ । କ୍ରାଇମବ୍ରାଞ୍ଚ ସଠିକ ଓ ନିରପେକ୍ଷ ଭାବରେ ତଦନ୍ତ କରୁଛି। ନ୍ୟାୟପାଳିକା ମଧ୍ୟ ତଦନ୍ତ ଉପରେ ତୀକ୍ଷ୍ଣ ନଜର ରଖିଛି।

    ଗୋଟିଏ ପଟେ ତଦନ୍ତ ଚାଲିଥିବା ବେଳେ ରାଜନୀତି ମଧ୍ୟ ଯୋରଦାର ହେବାରେ ଲାଗିଛି । ତେବେ ଆଗକୁ ତଦନ୍ତର ଦିଗ କଣ ରହୁଛି ଓ ହତ୍ୟାକାଣ୍ଡ ଉପରୁ ପରଦା କେବେ ହଟୁଛି ତାହାରି ଉପରେ ସମସ୍ତଙ୍କ ନଜର ।

    ନବ କିଶୋର ସାହୁଙ୍କ ରିପୋର୍ଟ

  • ନବ ଦାସ ହତ୍ୟା ପଛରେ ଉପକୂଳିଆ ନେତା!

    () ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଥମୁନାହିଁ ରାଜନୈତିକ ବୟାନବାଜି । ହତ୍ୟାକାଣ୍ଡ ପଛରେ ବିଜେଡିର ଉପକୂଳିଆ ନେତାଙ୍କ ହାତ ଥିବା ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କଲା ବିଜେପି। ଏପଟେ କଂଗ୍ରେସ ମଧ୍ୟ କେବଳ ଖାତା କଲମରେ ତଦନ୍ତ ଚାଲିଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ହେଲେ ହତ୍ୟାକାଣ୍ଡକୁ ନେଇ ରାଜନୀତି କରିବାକୁ ନାପସନ୍ଦ କରିଛି ବିଜେଡି ।

    ନବ ଦାସ ହତ୍ୟା ପଛରେ ଉପକୂଳିଆ ନେତା! ବିଜେଡି ପାଇଁ ନବ ଦାସ ଥିଲେ କଣ୍ଟା! ଏହା ବିଜନେସ ପଲିଟିକାଲ ମର୍ଡର କହି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ବିଧାୟକ। ଏପଟେ ବଡ ବଡିଆଙ୍କ ସଂପୃକ୍ତି ଯୋଗୁଁ ତଦନ୍ତ ବାଟବଣା ହେଉଛି କହିଲା କଂଗ୍ରେସ । ତଦନ୍ତର ଆଳ ଦେଖାଇ ପ୍ରଶ୍ନକୁ ଏଡାଇ ଗଲା ଶାସକ ଦଳ । ଦିନ ଯେତିକି ଗଡୁଛି ନବ ଦାସ ହତ୍ୟାକାଣ୍ଡକୁ ନେଇ ବିବାଦ ସେତିକି ବଢୁଛି । ଏଭିତରେ ବିରୋଧୀ ଶିବିରରୁ ବହୁ ସଂଘାତିକ ଅଭିଯୋଗ ଶୁଣିବାକୁ ମିଳୁଛି ।

    ନବ ଦାସଙ୍କ ହତ୍ୟା ଷଡଯନ୍ତ୍ର ପଛରେ ବିଜେଡିର ଉପକୂଳିଆ ନେତାଙ୍କ ହାତ ଥିବା ସିଧାସଳଖ ଅଭିଯୋଗ କରିଛନ୍ତି ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀ। ନବଙ୍କୁ ବିଜନେସ ପାଇଁ ପଲିଟିକାଲ ମର୍ଡର କରାଯାଇଥିବା ସେ କହିଛନ୍ତି । ନବ ଦାସ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ । ତେଣୁ ତାଙ୍କ ସାମ୍ରାଜ୍ୟକୁ ଖତମ କରି ସେଠାରୁ ଟଙ୍କା କଲେକସନ ପାଇଁ ଏହି ହତ୍ୟାକାଣ୍ଡ କରାଯାଇଛି। ଗୋପାଳ ଦାସଙ୍କୁ କିଏ ମୋହରା କରିଛି ତାହାର ସିବିଆଇ ତଦନ୍ତ ଦାବୀ କରିଛନ୍ତି ସୁବାଷ। ଏପଟେ କଂଗ୍ରେସ ମଧ୍ୟ ହତ୍ୟାକାଣ୍ଡ ପଛରେ ବଡ ଷଡଯନ୍ତ୍ର ଥିବା କଥାକୁ ଦୋହରାଇଛି । ଏହାସହ ତଦନ୍ତ କେବଳ କାଗଜ କଲମରେ ହେଉଥିବା ଅଭିଯୋଗ ଅଣିଛି ଦଳ।

    ଏପଟେ ବିଜେଡି କହିଛି ନବ ଦାସଙ୍କ ବିୟୋଗ ଦଳ ପାଇଁ ବଡ କ୍ଷତି । ସେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଥିଲେ । ହେଲେ ବିରୋଧି ତାଙ୍କ ମୃତ୍ୟୁକୁ ନେଇ ରାଜନୀତି ନ କରନ୍ତୁ । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ।

    ତେବେ ଗୋଟେ ପଟେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ଅନ୍ୟପଟେ ତଦନ୍ତ ପ୍ରକ୍ରିୟାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହେବାକୁ ଲାଗିଛି । ତେବେ ଆଗକୁ ତଦନ୍ତର ଦିଗ କେଉଁଆଡେ ଯିବ ତାହାରି ଉପରେ ସଭିଙ୍କ ନଜର ।

    ନବ କିଶୋର ସାହୁଙ୍କ ରିପୋର୍ଟ

  • କାହିଁକି ଗୋପାଳ ଗୁଳି କଲେ ମନ୍ତ୍ରୀଙ୍କୁ

    () ପରିବାର, ପ୍ରଶଂସକ ଓ ପ୍ରିୟଜନ ସମସ୍ତେ ସ୍ତବ୍ଧ। ମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଗୁଳି କରି ହତ୍ୟା କରିବା ଘଟଣାକୁ ନେଇ ଚାରିଆଡ଼େ ହଇଚଇ। କାରଣ ଓଡ଼ିଶା ଇତିହାସରେ ଏହା ପ୍ରଥମ ଘଟଣା। ରାଜନୈତିକ ମହଲରେ କମ୍ପନ ସୃଷ୍ଟି କରିଛି। ଅବଶ୍ୟ ଗୁଳିକାଣ୍ଡର ଗୁମରକୁ ନେଇ ଅନେକ ଆଲୋଚନା ହେଉଛି ସତ। କିନ୍ତୁ କ୍ରାଇମବ୍ରାଞ୍ଚ କେବେ ସୁଦ୍ଧା ଏହି ଗୁମର ଫିଟାଇବ, ତାକୁ ନେଇ ଅସମାହିତ ପ୍ରଶ୍ନ ଛନ୍ଦି ହୋଇଗଲାଣି। କାରଣ ଅଭିଯୁକ୍ତ ଏଏସଆଇ ମାନସିକ ରୋଗୀ ନା ପୂର୍ବରୁ ମନ୍ତ୍ରୀଙ୍କ ସହ କୌଣସି ବିବାଦ ଥିଲା। ରାତିଅଧିଆ ଜେରା କରି ଏ ଯାଏ କଅଣ ପାଇଲା କ୍ରାଇମବ୍ରାଞ୍ଚ, ତାକୁ ନେଇ ସମସ୍ତଙ୍କ ଉତ୍ସୁକତା ଲାଗି ରହିଛି।

    ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳକୃଷ୍ଣ ଦାସଙ୍କ ଗୁଳିରେ ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଚଳାଇଥିଲେ ୪ ରାଉଣ୍ଡ ଗୁଳି। କିନ୍ତୁ ଗୋଟିଏ ଗୁଳି ମନ୍ତ୍ରୀ ଦାସଙ୍କ ଛାତିର ବାମ ପାର୍ଶ୍ୱରେ ବାଜିଥିଲା। ଗୁଳିମାଡ଼ ପରେ ସେହିଠାରେ ହିଁ ଟଳି ପଡ଼ିଥିଲେ ମନ୍ତ୍ରୀ। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ତା ପରେ ଏୟାର ଆମ୍ୱୁଲାନ୍ସରେ ଭୁବନେଶ୍ୱର ବିମାନବନ୍ଦରରୁ ଗ୍ରୀନ କରିଡରରେ ଘରୋଇ ହସ୍ପିଟାଲକୁ ନେବା ଆଉ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ଚାଲିଗଲେ ନବ। ନବ ନାହାନ୍ତି। ହେଲେ ନବଙ୍କୁ ଗୁଳି କରିଥିବା ଗୋପାଳଙ୍କୁ ନେଇ ସବୁଠି  କମ୍ପନ। କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତନାଘନା କରିଛି ସତ। କିନ୍ତୁ ଏଏସଆଇ ଗୋପାଳକୃଷ୍ଣ ଦାସ କାହିଁକି ଏମିତି କାଣ୍ଡ କଲେ। କାରଣ ଗୋପାଳଙ୍କ ପରିବାର ଓ ତାଙ୍କୁ ୫ ବର୍ଷ ତଳେ ଚିକିତ୍ସା କରୁଥିବା ଡାକ୍ତରଙ୍କ ଗୋଟିଏ ମତ ଥିଲା ବେଳେ ଗାନ୍ଧୀ ଛକ ଫାଣ୍ଡି ଅଧିକାରୀଙ୍କ ସମେତ ସ୍ଥାନୀୟ ଲୋକଙ୍କ ଗୋପାଳଙ୍କୁ ନେଇ ଭିନ୍ନ ମତ। ଗୋପାଳ ବାଇପୋଲାର ଡିସଅର୍ଡର ରୋଗରେ ଆକ୍ରାନ୍ତ ଥିଲେ ବୋଲି ଡାକ୍ତର କହିଥିଲା ବେଳେ ପରିବାର କହୁଛି, ସେ ଦୀର୍ଘବର୍ଷ ହେଲା ମାନସିକ ରୋଗରେ ପୀଡ଼ିତ ଥିଲେ। ୪ ମାସ ହେଲା ଚିକିତ୍ସା ଲାଗି ଛୁଟି ମିଳୁନଥିଲା। ଗୁଳିକାଣ୍ଡର ଘଣ୍ଟାଏ ଆଗରୁ ଝିଅ ସହ ଭିଡ଼ିଓ କଲରେ କଥା ହୋଇଥିଲେ। ଆଉ ପୁଲିସର କହିବା କଥା, ସେ ଡ୍ୟୁଟି ସ୍ୱାଭାବିକ ଭାବରେ କରୁଥିଲେ। କୌଣସି ଅସ୍ୱାଭାବିକ ପରିସ୍ଥିତି କେବେ ଉପୁଜିନଥିଲା। ତେବେ ଆଇଆଇସି ଗୋପାଳଙ୍କୁ ଅଟକାଇବା ବେଳେ ସେ ବି ଆଇଆଇସିଙ୍କୁ ମାରିବାକୁ କୁଆଡ଼େ ଉଦ୍ୟମ କରିଥିଲେ ବୋଲି କହିଥିଲେ ଆଇଜି।

    ଗୋପାଳ ଗୁଳି କରି ଖସି ପଳାଇନଥିଲେ। ତାଙ୍କୁ କାବୁ କରିଥିଲେ ଆଇଆଇସି। କିଛି ବିଜେଡି କର୍ମୀ ବି ତାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ତାଙ୍କଠୁ ବନ୍ଧୁକ ଛଡ଼ାଇ ଆଣିଥିଲେ। ତେବେ ପ୍ରଶ୍ନ ଉଠୁଛି, ଗୋପାଳଙ୍କ ଟ୍ରାକ୍ ରେକର୍ଡ ଯଦି ଭଲ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ସେ ମେଳାପୀ ଓ ଲୋକସମ୍ପର୍କ ବି ଭଲ ଥିଲା। ତା ହେଲେ କେଉଁ ପରିସ୍ଥିତିରେ ଗୋପାଳ ମନ୍ତ୍ରୀଙ୍କୁ ମାରିଲେ। କାରଣ ଗୋପାଳ ହିଁ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ। ବଡ଼ କଥା ହେଉଛି କି, ମନ୍ତ୍ରୀଙ୍କ ପୂର୍ବତନ ପିଏସଓ ଥିଲେ ଅଭିଯୁକ୍ତ ଗୋପାଳ। ଯଦି ଏ କଥାକୁ ଧରାଯାଏ, ତେବେ ମନ୍ତ୍ରୀଙ୍କ ସହ କୌଣସି ବଚସା ହୋଇଥିଲା କି କେବେ। ବ୍ୟକ୍ତିଗତ ଶତୃତା ନା ଆଉ କିଛି। ରାଜନୈତିକ ଷଡ଼ଯନ୍ତ୍ରର ଶୀକାର କରିବାକୁ ଗୋପାଳଙ୍କୁ ମାଧ୍ୟମ କରାଯାଇଥିଲା କି। ଗୋପାଳଙ୍କର ବଦଳିକୁ ନେଇ କେବେ କୌଣସି ତିକ୍ତତା କି ମନ୍ତ୍ରୀଙ୍କ ଅନ୍ୟଥା ହସ୍ତକ୍ଷେପ ହୋଇଥିଲା କି। ଗୁଳିମାଡ଼ ବେଳେ ବ୍ୟକ୍ତିଗତ ସୁରକ୍ଷାକର୍ମୀ କଅଣ କରୁଥିଲେ। ନବ ଦାସଙ୍କୁ ହିଁ ଖାଲି କାହିଁକି ଟାର୍ଗେଟ କରିଥିଲେ ଗୋପାଳ। ଏ ତମାମ ପ୍ରଶ୍ନର ଉତ୍ତର ଚାହୁଁଛି ଓଡ଼ିଶା। ଏଡିଜି କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଟିମ୍ ତନାଘନା କରୁଛି। କାରଣ ଖୋଜୁଛି। ହତ୍ୟା ଉଦ୍ଦେଶ୍ୟରେ ହିଁ ମନ୍ତ୍ରୀଙ୍କୁ ଗୋପାଳ ଗୁଳି କରିଥିବା ନେଇ ବ୍ରଜରାଜନଗର ଆଇଆଇସି ଏତଲା ଦେଇଛନ୍ତି। ମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଗୋପାଳ ଟ୍ରାଫିକ କ୍ଲିଅରାନ୍ସ ଦାୟିତ୍ୱରେ ଥିଲେ। ସେଥିଲାଗି ମନ୍ତ୍ରୀ ଆସିବା ମାତ୍ରେ ତାଙ୍କ ପାଖକୁ ଚାଲିଯାଇଥିଲେ ଗୋପାଳ। ଗୁଳି କରିବା ମାତ୍ରେ ତାଙ୍କୁ କାବୁ କରିବାକୁ ଯାଇ ଆଇଆଇସି ବି ଆହତ ହୋଇଥିବା ଏତଲାରେ ଦର୍ଶାଇଛନ୍ତି। ସେପଟେ ବ୍ରହ୍ମପୁର ଆଙ୍କୋଲି ଶିଳ୍ପାଞ୍ଚଳ ଛକ ପଞ୍ଚଶୀଳମାର୍ଗରେ ରହୁଥିବା ଗୋପାଳଙ୍କ ଘରେ ଏବେ ତାଲା ପଡ଼ିଛି। ପରିବାର ଲୋକେ କୁଆଡ଼େ ଯାଇଛନ୍ତି, କେହି କିଛି କହିପାରୁନାହାନ୍ତି।

    କାହିଁକି ଗୋପାଳ ଗୁଳି କଲେ ମନ୍ତ୍ରୀଙ୍କୁ। ହତ୍ୟା ଉଦେଶ୍ୟରେ ହିଁ ଗୁଳି କରିଛନ୍ତି, ଏ କଥା ତ ସ୍ପଷ୍ଟ। ହେଲେ କାହିଁକି ଜଣେ ଏଏସଆଇ ଏତେ ବଡ଼ ପଦକ୍ଷେପ ନେବାକୁ ଭାବିଲେ। ତା ପୁଣି ସର୍ବସମ୍ମୁଖରେ ଦିବାଲୋକରେ।

  • ନିରଞ୍ଜନଙ୍କ ହାତକୁ ଗଲା ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ

    ଭୁବନେଶ୍ବର: ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ହେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସୋମବାର ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅତିରକ୍ତଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ବ ଦିଆଯାଇଛି। ରବିବାର ଦିନ ନବଙ୍କ ମୃତ୍ୟୁ ପରେ ଏହି ବିଭାଗ ଖାଲି ପଡିଥିଲା। ସୋମବାର ଦିନ ବିଭାଗ ଦାୟିତ୍ବ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦେବାକୁ ସରକାର ପକ୍ଷରୁ ରାଜ୍ୟପାଳଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟପାଳ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

    ରବିବାର ବ୍ରଜରାଜ ନଗରରେ ଅନୁଷ୍ଠିତ ପାର୍ଟି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଗାନ୍ଧୀ ଛକ ନିକଟରେ ସେ ନିଜ ଗାଡିରୁ ବାହାରିବା ସମୟରେ ଦିନ ୧୨.୩୦ରେ ତାଙ୍କ ଉପରକୁ ଜଣେ ଏଏସଆଇ ଅତି ନିକଟରୁ ଗୁଳିମାଡ କରିଥିଲେ। ଏହା ପରେ ତାଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଦିନ ୧ଟାରେ ଏୟାର ଲିପ୍ଟ କରାଯାଇ ଭୁବନେଶ୍ବର ଅଣାଯାଇଥିଲା ଓ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା କରି ତାଙ୍କୁ ବଞ୍ଚାଇବା ଚେଷ୍ଟା କରିଥିଲେ ମଧ୍ୟ ସମସ୍ତ ଚେଷ୍ଟା ବ୍ୟର୍ଥ ଯାଇଥିଲା।

  • ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରଲୋକ

    () ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ। ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ରବିବାର ବ୍ରଜରାଜ ନଗରକୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କ ଉପରେ ହୋଇଥିଲା ଗୁଳିମାଡ। ମନ୍ତ୍ରୀଙ୍କ ପରଲୋକ ଖବର ମିଳିବା ପରେ ହସ୍ପିଟାଲକୁ ଛୁଟିଛି ନେତା ମନ୍ତ୍ରୀଙ୍କ ସୁଅ। ସେପଟେ ଏହି ଖବରରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଖେଳିଯାଇଛି ଶୋକର ଲହରୀ।

    ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ୭ ଜାନୁଆରୀ ୧୯୬୨ରେ ଝାରସୁଗୁଡାରେ ତାଙ୍କ ଜନ୍ମ ହୋଇଥିଲା। ଛାତ୍ର ଜୀବନରୁ ତାଙ୍କର ଥିଲା ରାଜନୀତିରେ ରୁଚି। ପ୍ରାରମ୍ଭିକ ଅବସ୍ଥାରୁ ସେ କଂଗ୍ରେସ ସହ ଜଡିତ ଥିଲେ।  ୧୯୮୦ରେ ସେ ସମ୍ବଲପୁର କଲେଜରେ ଅଧ୍ୟୟନ କରିବା ସମୟରେ ଛାତ୍ର ନେତା ଭାବେ ଉଭା ହେବା ସହ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଛାତ୍ର ଜୀବନ ପରେ କଂଗ୍ରେସରେ ବିଧିବଦ୍ଧ ଯୋଗ ଦେବା ସହ ଝାରସୁଗୁଡା ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ଦୁଇ ଥର ବିଧାୟକ ହୋଇଥିଲେ। ତେବେ ୨୦୦୫ ନିର୍ବାଚନରେ ପ୍ରଥମ ଥର ପାଇଁ କଂଗ୍ରେସରୁ ଟିକେଟ ପାଇଥିଲେ ମଧ୍ୟ ପରାଜୟ ବରଣ କରିଥିଲେ।  ପରେ ୨୦୦୯ ଓ ୨୦୧୪ରେ ତାଙ୍କୁ ପୁଣି ଦଳ ସେଠାରୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟ ହାସଲ କରିଥିଲା।  ପରବର୍ତ୍ତୀ ସମୟରେ ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ସହ ସେଠାରୁ ବିଜୟୀ ହୋଇଥିଲେ। ବିଜେଡିରେ ନବ ଦାସ ନବାଗତ ହୋଇଥିଲେ ମଧ୍ୟ ତାଙ୍କ ରାଜନୈତିକ ଯୋଗ୍ୟତା ତଥା ତାଙ୍କ ଅଞ୍ଚଳରେ ଲୋକପ୍ରିୟତାକୁ ନେଇ ତାଙ୍କୁ ପ୍ରଥମ ଥରରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  

    ତେବେ ବିଭିନ୍ନ ସମୟରେ ସେ ନାନା ବିବାଦରେ ଘେରି ରହୁଥିଲେ। କେତେବେଳେ ନିଜ ଆଭିଜାତ୍ୟପୂର୍ଣ୍ଣ ଜୀବନଶୈଳୀକୁ ନେଇ ତ ପୁଣି କେତେବେଳେ ନିଜର ବ୍ୟବସାୟ, ଲକ୍ଜୁରିୟସ କାର, ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ନେଇ। ନିକଟରେ ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ଏକ କୋଟିର ସୁନା ମୁକୁଟ ଦାନ କରିବା ପରେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲେ।

  • ପ୍ରତିଶୋଧପରାୟଣତାରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ!

    () ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଦଳ ଦ୍ୱାରା ଅପରେସନ୍ କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ମନ୍ତ୍ରୀ ନବ ଦାସ ବ୍ରଜରାଜନଗରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ବେଳେ ଗୁଳିମାଡ଼ ହୋଇଥିଲା। ତେବେ ଏହି ଗୁଳିମାଡ କରିଥିଲେ ଏଏସଆଇ ଗୋପାଳକୃଷ୍ଣ ଦାସ । ଏଭଳି ଅପ୍ରତ୍ୟାଶିତ ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଥିବା ବେଳେ ଗୁଳିକାଣ୍ଡର କାରଣକୁ ନେଇ କ୍ରିୟା ପ୍ରତିକ୍ରିୟା ଜାରି ରହିଛି । ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଡିଜି ଅରୁଣ ବୋଥ୍ରୋଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି ଘଟଣାର ତନାଘନା ।

    ବ୍ରଜରାଜ ଗସ୍ତରେ ଥିବା ମନ୍ତ୍ରୀ ନବ ଦାସ କାରରୁ ଗୋଡ଼ କାଢିଲା ବେଳକୁ ଛାତିରେ ବାଜିଥିଲା ଗୁଳି । ପୋଲିସ ୟୁନିଫର୍ମରେ ଥାଇ ଭିଡ଼ ଭିତରୁ ଫାୟାରିଂ କରିଥିଲା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ । ଗୁଳିବାଜିବା ସତ୍ତ୍ବେ ଛାତିରେ ହାତ ଦେଇ ଗାଡିରୁ ବାହାରିବା ବେଳେ ତଳେ ଖସିପଡିଥିଲେ ମନ୍ତ୍ରୀ। ସଙ୍ଗେ ସଙ୍ଗେ ତାଙ୍କ ସମର୍ଥକମାନେ ତାଙ୍କୁ ଟେକି କାରରେ ବସାଇଥିଲେ ଓ ଝାରସୁଗଡା ହସ୍ପିଟାଲକୁ ନିଆଯାଇଥିଲା। ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ଗ୍ରିନ କରିଡର ମଧ୍ୟରେ ଆମ୍ବୁଲାନ୍ସ ଯୋଗେ ଆପୋଲୋ ହସ୍ପିଟାଲ ନିଆଯାଇଥିଲା। ପରେ ଏୟାର ଲିପ୍ଟ କରାଯାଇ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।   ଗୁରୁତର ଅବସ୍ଥାରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଚାଲିଛି ଚିକିତ୍ସା । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗୁଳି କରିଥିବା ବେଳେ ପୁଲିସ ତାଙ୍କୁ କାବୁ କରି ପଚରାଉଚରା ଜାରି ରଖିଛି । ସୁରକ୍ଷା ଦୃଷ୍ଟିରୁ ହସ୍ପିଟାଲ ପରିସର ଏବଂ ବାହାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

    ସେପଟେ ମନ୍ତ୍ରୀଙ୍କୁ ଗୁଳିମାଡ ଘଟଣାକୁ ନିନ୍ଦା କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ପହଞ୍ଚି ପରିବାରବର୍ଗଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଗୁଳିମାଡ ଘଟଣାର କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାସ୍ଥଳରେ ଫରେନସିକ ଟିମ ପହଞ୍ଚି ତଦନ୍ତ କରୁଥିବା ବେଳେ ଏଡିଜି ଅରୁଣ ବୋଥ୍ରା ମଧ୍ୟ ପହଞ୍ଚି ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି । ବିଧାୟକ, ମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତାଙ୍କ ଗହଳି ଦେଖିବାକୁ ମିଳିଥିବା ବେଳେ ଏଭଳି ଘଟଣାକୁ ନେଇ ସମସ୍ତେ ହତବାକ ହୋଇଛନ୍ତି ।  

    ଅନ୍ୟପଟେ ଗୁଳିମାଡ କରିଥିବା ପୋଲିସ ଏଏସଆଇ ଗୋପାଳ ଦାସଙ୍କ ପତ୍ନୀ କହିଛନ୍ତି ଯେ, ସେ ଜଣେ ମାନସିକ ରୋଗୀ । ଦୀର୍ଘ ବର୍ଷ ଧରି ଚିକିତ୍ସିତ ହେବା ସହ ମେଡିସିନ ଖାଉଛନ୍ତି । ସେ ଏଭଳି ଘଟଣା କାହିଁକି କରିଲେ ତାହା ଜାଣିନଥିବା ବେଳେ ପୂର୍ବ ଦିନ ଝିଅ ସହ ସ୍ୱାଭାବିକ ଭାବେ ଫୋନରେ କଥା ହୋଇଥିବା କହିଛନ୍ତିଗୋପାଳଙ୍କ ପତ୍ନୀ ।

    ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ ଘଟଣା କେବଳ ଝାରସୁଗୁଡ଼ା ନୁହେଁ ସାରା ରାଜ୍ୟ ଓ ଦେଶକୁ ସ୍ତବ୍ଧ କରିଛି । କିଭଳି ଭିଡ଼ ଭିତରେ ୟୁନିଫର୍ମ ପିନ୍ଧି ଏଏସଆଇ ଜଣଙ୍କ ସେଠି ଏଭଳି କାଣ୍ଡ କଲେ ତାହା ନାନା ପ୍ରଶ୍ନ ଚିହ୍ନ ଛିଡ଼ା କରିଥିଲା ବେଳେ ରାଜନୈତିକ ପ୍ରତିଶୋଧପରାୟଣତାର ଏହା ପ୍ରତିଫଳନ କି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।

Back to top button