ବାନ୍ଧକଳାକୁ ଆପଣେଇ ଦୁଇ ଭଉଣୀ ଚର୍ଚ୍ଚାରେ

Spread the love

ବରଗଡ:  ବାନ୍ଧକଳା ଓ ସୁକ୍ଷ୍ମ କାରୁକାର୍ଯ୍ୟରେ ନୈପୁଣତା ହାସଲ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କଲେ ବରଗଡ ଜିଲ୍ଲା ବିଜେପୁର ବ୍ଳକ ପଡ଼ା ଗାଁର ଦୁଇ ଭଉଣୀ ବରଗଡ: ବରଗଡ ଜିଲ୍ଲା ବିଜେପୁର ବ୍ଳକ ପଡ଼ା ଗାଁର ଦୁଇ ଭଉଣୀ ପାଠ ପଢା ସହ ବାନ୍ଧ କଳାରେ ପାରଦର୍ଶିତା ହାସଲ କରି ଆଜିର ଯୁବପିଢିଙ୍କ ପାଇଁ ଏକ ଅନନ୍ୟ  ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ନିଜର ସୁନ୍ଦର ବାନ୍ଧକଳା ମାଧ୍ୟମରେ ସମ୍ବଲପୁରୀ ବସ୍ତ୍ରର ଚାହିଦା ବୃଦ୍ଧି କରିବା ସହ ନିଜ ବାପା ମାଆଙ୍କ ଆର୍ଥିକ ବୋଝକୁ ନିଜ କାନ୍ଧରେ ବୋହିବାକୁ ସକ୍ଷମ ହୋଇଛନ୍ତି।

ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଡ଼ା ଗାଁର ଖେମରାଜ୍ ମେହେର ଓ ମିନି ମେହେରଙ୍କ ଦୁଇ ଝିଅ ସନ୍ଧ୍ୟାରାଣି ଓ ପୂଜା।  ବଡ଼ ଝିଅ ସନ୍ଧ୍ୟାରାଣୀ ଯୁକ୍ତ ଦୁଇରେ ପଢ଼ୁଥିଲା ବେଳେ ସାନ ଝିଅ ପୂଜା ଦଶମରେ। ଦୁହେଁ ପାଠପଢ଼ାରେ ଯେତିକି ପାରଙ୍ଗମ ବାନ୍ଧକଳା କ୍ଷେତ୍ରରେ ମଧ୍ୟ ସେତିକି ସିଦ୍ଧହସ୍ତ । ଅଷ୍ଟମ ଶ୍ରେଣୀରେ ପଢ଼ିବା ସମୟରୁ ଏମାନେ ନିଜ ପରିବାରକୁ ସାହାଯ୍ୟ କରିବା ପାଇଁ ବାନ୍ଧ କଳା କାମ ଆରମ୍ଭ କରିଥିଲେ । ବାନ୍ଧ କଳା ସହିତ ଏବେ ବାପାଙ୍କ ଠାରୁ ବସ୍ତ୍ର ବୁଣିବା ମଧ୍ୟ ଶିକ୍ଷା ଲାଭ  କରି ବାପାଙ୍କୁ ସାହାଯ୍ୟ କରୁଛନ୍ତି  ଏବଂ ପରିବାର ପ୍ରତିପୋଷଣ ପାଇଁ ବାପା ମାଆଙ୍କୁ ସାହାଯ୍ୟ କରି ସେମାନେ ବେଶ୍ ଖୁସି ଥିବା କହିଛନ୍ତି ।

ସମ୍ବଲପୁରୀ ବସ୍ତ୍ରରେ ଏହି ବାନ୍ଧ କଳାର ବେଶ୍ ମହତ୍ତ୍ଵ ରହିଥାଏ, ଏହି ବାନ୍ଧ କଳା ଦ୍ଵାରା କରାଯାଉଥିବା ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ୱଲପୁରୀ ବସ୍ତ୍ରର ସୁନ୍ଦରତାକୁ ଦ୍ଵିଗୁଣିତ କରିଥାଏ। ଯାହା ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରିବା ସହ ବଜାରରେ ଏହାର ଚାହିଦା ମଧ୍ୟ ଅଧିକ ରହିଥାଏ । ତେବେ ପୂର୍ବରୁ ଏହି ଗୋଟିଏ ଶାଢ଼ୀ ବୁଣିବା ପାଇଁ  ଖେମରାଜଙ୍କୁ ଗୋଟିଏ ସପ୍ତାହ ଲାଗିଯାଉଥିବା ବେଳେ ଏବେ ଦୁଇ ଝିଅଙ୍କ ସହଯୋଗରେ ଦୁଇ ତିନି ଦିନ ମଧ୍ୟରେ ଗୋଟିଏ ଶାଢ଼ୀ ପ୍ରସ୍ତୁତ ହେଉଥିବା ଏବଂ ତାଙ୍କର ଆର୍ଥିକ ସ୍ଥିତି ମଧ୍ୟ  ଅଧିକ ସ୍ଵଚ୍ଛଳ ହୋଇଥିବା କହିଛନ୍ତି ଖେମରାଜ । ଯେହେତୁ ବସ୍ତ୍ର ବୁଣିବା ତାଙ୍କର କୌଳିକ ବୃତ୍ତି ତେଣୁ ତାଙ୍କ ଝିଅଙ୍କୁ ଏହା ଶିଖାଇଛନ୍ତି ଏବଂ ପାଠପଢ଼ା ସାଙ୍ଗକୁ ଏହି ବାନ୍ଧ କଳା ମାଧ୍ୟମରେ ମଧ୍ୟ ଦୁଇ ଭଉଣୀ ବେଶ୍ ସୁନାମ ଅର୍ଜନ କରିବେ ବୋଲି ଆଶା ରଖିଛନ୍ତି ବାପା ମାଆ ।

ବର୍ତ୍ତମାନର ପରିବର୍ତ୍ତନଶୀଳ ଦୁନିଆରେ ଅନେକ ବୁଣାକାର ପରିବାର ବସ୍ତ୍ର ବୁଣିବା ଛାଡ଼ି ଦେଇଥିବା ବେଳେ ନିଜର କୌଳିକ ବୃତ୍ତିକୁ ଆଦରିନେଇଥିବା ଦୁଇ ଭଉଣୀ ନିଶ୍ଚିତ ପ୍ରଶଂସନୀୟ ।

ଧୃବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *