ମମିତାଙ୍କ ଡ଼ିଏନଏ ରିପୋର୍ଟକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶ୍ନ

Spread the love

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ସବୁଠି ହଇଚଇ। କଣ୍ଟାବାଂଝି ଜେଲ ଭିତରେ ଗୋବିନ୍ଦଙ୍କ ଆତ୍ମହତ୍ୟା ଘଟଣା ବଡ଼ ରାଜନୈତିକ ମୁଦ୍ଦା ହୋଇଛି। ଏ ପ୍ରସଙ୍ଗ ନିଆଁରେ ଆଜି ଘିଅ ଢାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଧାସଳଖ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ କଂଗ୍ରେସ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ଏସଆଇଟି ତଦନ୍ତ ଦାବି କରିଛି । ବିରୋଧି ନିଜର ଅସ୍ତିତ୍ତ୍ୱ ବଞ୍ଚାଇବା ପାଇଁ ଏ ପ୍ରସଙ୍ଗକୁ ବିବାଦ ଭିତରକୁ ଟାଣୁଥିବା ଶାସକ ଦଳ କହିଛି।

ଦିନ ଯେତିକି ଗଡୁଛି ଗୋବିନ୍ଦ ସାହୁ ଆତ୍ମହତ୍ୟା ପ୍ରସଙ୍ଗ ସେତିକି ଜଟିଳ ହେଉଛି । ମମିତାଙ୍କ ଡ଼ିଏନଏ ରିପୋର୍ଟକୁ ନେଇ କେନ୍ଦ୍ରମନ୍ତ୍ରୀ ଉଠାଇଲେ ପ୍ରଶ୍ନ । ଆଟାକିଂ ମୋଡ଼ରେ କଂଗ୍ରେସ । ମାପିଚୁପି ବୟାନ ରଖିଲା ଶାସକ ଦଳ । ଥମିବାର ନାଁ ଧରୁନି ଗୋବିନ୍ଦ ସାହୁ ଆତ୍ମହତ୍ୟା ପ୍ରସଙ୍ଗ । ରାଜ୍ୟ ସରକାରଙ୍କ ତଦନ୍ତ ପ୍ରକ୍ରିୟାକୁ ନେଇ ସିଧାସଳଖ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମମିତା ମେହେର ଡ଼ିଏନଏ ରିପୋର୍ଟରେ ସାମଞ୍ଜସ୍ୟ ନଥିବା ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । କାରଣ ପ୍ରଥମେ ଡ଼ିଏନଏ ମ୍ୟାଚ କରୁନଥିବା କହୁଥିବା ବେଳେ ପର ଦିନ ଶରୀରର ଦରପୋଡ଼ା ହାଡର ଡ଼ିଏନଏ ମ୍ୟାଚ କରୁଛି ବୋଲି କହିଥିଲେ ଉତ୍ତରାଞ୍ଚଳ ଡିଆଇଜି । ଏହାସହ ଗୃହ ବିଭାଗ ଏହାର ଉତ୍ତର ରଖିବା ଆବଶ୍ୟକ ବୋଲି କହିଛନ୍ତି । ଅନୁସନ୍ଧାନ ନ୍ୟାୟ ସଂଗତ ହେବା ଉଚିତ ବୋଲି ମତ ରଖିବା ସହ ସିବିଆଇ ତଦନ୍ତ ପାଇଁ ଦାବି ଦୋହରାଇଛନ୍ତି । ଏପଟେ କଂଗ୍ରେସର ୫ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ଦାବି କରିଛି ।

ସେପଟେ ବିରୋଧିଙ୍କୁ ଆଇନା ଦେଖାଇଛି ଶାସକ ଦଳ । ଅଭିଯୋଗ କରୁଥିବା ଦଳମାନେ ହିଁ ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ବିରୋଧିଙ୍କୁ ଲୋକ ଗ୍ରହଣ କରୁନଥିବାରୁ ଶସ୍ତା କଥା କହି ପ୍ରସଙ୍ଗରେ ରହିବାକୁ ଚାହୁଁଛନ୍ତି । ରାଜ୍ୟ ଭିତରେ ଓ ବାହାରୁ ଆସୁଥିବା ଲୋକ ଓଡ଼ିଶାରେ ସୁରକ୍ଷିତ। ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ସୂଚାଉଛି ଯେ ରାଜ୍ୟ ସୁରକ୍ଷିତ। ସିବିଆଇ ବନାମ କ୍ରାଇମବ୍ରାଞ୍ଚ ବିବାଦ କରିବା ଠିକ ନୁହେଁ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।

ତେବେ ଉଭୟ ବିଜେପି ଓ କଂଗ୍ରେସ ଗୋବିନ୍ଦ ସାହୁ ଆତ୍ମହତ୍ୟାରେ ହତ୍ୟାର ଷଡଯନ୍ତ୍ର ଥିବା କହୁଛନ୍ତି । ସେହିକ୍ରମରେ ଜଣେ ପରେ ଜଣେ ନେତା ସାଶକ ଦଳକୁ ଆକ୍ରମଣ ଜାରି ରଖିଛନ୍ତି । ଆଗକୁ ଏ ପ୍ରସଙ୍ଗକୁ ନେଇ ବିରୋଧି ଓ ଶାସକ ଦଳର ଆଭିମୁଖ୍ୟ କଣ ହେବ ତା ଉପରେ ନଜର ଥିବା ବେଳେ ଏ ପୁରା ପ୍ରକରଣରେ ତଦନ୍ତକାରୀ ସଂସ୍ଥା କିଭଳି ପଦକ୍ଷେପ ନେଉଛି ତାହା ଗୁରୁତ୍ୱପୁର୍ଣ୍ଣ ।

ସିମ୍ପୁଲ ନାୟକ ଓ ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *