ଓଡ଼ିଶା

ପୁରୀ ପୌରାଞ୍ଚଳରେ ୟୁଜର ଫି ଲାଗୁ

 () ପୁରୀ ପୌରାଞ୍ଚଳରେ ଛୋଟ ବଡ ବ୍ୟବସାୟୀକ ଅନୁଷ୍ଠାନ ଠାରୁ ବାହାରୁଥିବା ଅଳିଆ ଆବର୍ଜ୍ଜନା ସଫେଇ ପାଇଁ ଲାଗୁ ହୋଇଛି ନୂତନ ୟୁଜର ଫି। ୬ ଶହ ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ଏହି ୟୁଜର ଫି। ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରୁ ବାହାରୁଥିବା ଅଳିଆ ଆବର୍ଜ୍ଜନା ପରିମାଣକୁ ନେଇ ଭିନ୍ନ ଭିନ୍ନ ୟୁଜର‌ଫି ମୁନିସପାଲିଟି ପକ୍ଷରୁ ଲାଗୁ କରାଯାଇଛି। ୟୁଜର ଫି ଆଦାୟ ନିଷ୍ପତ୍ତିକୁ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀମାନେ। ସେପଟେ ବିଭିନ୍ନ ସ୍ଥିତିକୁ ଦୃଷ୍ଟିରେ ରଖି ୟୁଜର ଫି ନିଷ୍ପତ୍ତି ହୋଇଛି ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।

ଛୋଟ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବଡ଼ ବ୍ୟବସାୟ ଅନୁଷ୍ଠାନ ପର୍ଯ୍ୟନ୍ତ ଭିନ୍ନ‌ ଭିନ୍ନ ୟୁଜର ଫି ଦେବାର ସ୍ଲାବ ରହିଛି।‌ ୬ଶହ ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ୟୁଜର ଫି। ରାସ୍ତାକଡରେ ବସୁଥିବା ଉଠା ଦୋକାନୀଙ୍କ ପାଇଁ ମାସିକ ୬ଶହ ଟଙ୍କା ୟୁଜର ଫି ଧାର୍ଯ୍ୟ କରାଯାଇଛି। ଦୈନିକ ୫ କେଜି ଆବର୍ଜ୍ଜନା ବାହାରୁଥିବା ଛୋଟ ଦୋକାନ ଠାରୁ ୬ଶହ ଟଙ୍କା, ୧୫ କେଜି ଆବର୍ଜ୍ଜନା ବାହାରୁଥିବା ବ୍ୟବସାୟୀକ ପ୍ରତିଷ୍ଠାନ ଠାରୁ ୧ହଜାର ଟଙ୍କା ଏବଂ ଏହାଠାରୁ ଅଧିକ ଆବର୍ଜ୍ଜନା ବାହାରୁଥିବା ବଡ଼ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ୟୁଜର ଫି ରହିଛି। ପୂର୍ବରୁ ପୌରପାଳିକା ମହାସୁଲ ଆଦାୟ କରୁଥିବା ବେଳେ ୟୁଜର ଫି ନାଁ ରେ ପୁଣି ମାସକୁ ୬ଶହ ଟଙ୍କା ଆଦାୟ କରିବାକୁ ନେଇ ଉଠା ଦୋକାନୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପୁରୀ ବଡ଼ଦାଣ୍ଡ, ସମୁଦ୍ରକୂଳ ସହିତ ପୌରାଞ୍ଚଳରେ ହଜାର ହଜାର ଉଠା ଦୋକାନୀ ଦୈନିକ ବ୍ୟବସାୟ କରୁଛନ୍ତି।‌ ସେହିପରି ପୁରୀ ପୌରାଞ୍ଚଳର ସମସ୍ତ ୱାର୍ଡରେ ସଫେଇ ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରୁଛି ପୁରୀ ପୌରପାଳିକା। ଆବର୍ଜନା ସଂଗ୍ରହ ପାଇଁ ପୌରାଞ୍ଚଳରେ ମୋଟ ୬୦ ଟି ଚାରିଚକିଆ ଗାଡ଼ି ବୁଲୁଥିବା ବେଳେ ଏଥିରେ ଡ୍ରାଇଭର, ସଫେଇ କର୍ମଚାରୀ ମାନେ ନିୟୋଜିତ ଅଛନ୍ତି। ମାସିକ ୯୦ ଲକ୍ଷ ଟଙ୍କା ସଫେଇ କର୍ମଚାରୀଙ୍କ ବେତନ ବାବଦରେ ଖର୍ଚ୍ଚ ହେଉଛି। ଏଣୁ ପୌରପାଳିକା ସଫେଇ କାର୍ଯ୍ୟକ୍ରମକୁ ସୁପରିଚାଳନା ପାଇଁ ୟୁଜର ଫି ଆଦାୟ କରୁଥିବା କହିଛନ୍ତି ପୌରପାଳିକାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ। ସେପଟେ ସହରରେ ଅନେକ କ୍ଷୁଦ୍ର ବ୍ୟବସାୟୀ ଥିବାବେଳେ ତାଙ୍କୁ ସୁହାଇବା ଭଳି ୟୁଜର ଫି ଲାଗୁ କରିବା ଆବଶ୍ୟକ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ କହିଛନ୍ତି।‌

ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ପୁରୀକୁ ସରସ ସୁନ୍ଦର ସହ ସ୍ବଛ ସହର ଭାବେ ପରିଗଣିତ କରିବା ପାଇଁ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବାର ଆବଶ୍ୟକତା ରହିଛି। ତେବେ ପୌରପାଳିକା ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗର ସମାଧାନ କରି ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବାର ଆବଶ୍ୟକତା ରହିଛି।‌ ପୁରୀରୁ କ୍ୟାମେରା ପର୍ସନ ସମ୍ବିତ

ଶିବପ୍ରସାଦ ଦାସଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button