ବ୍ରହ୍ମପୁର : ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଭିଡ଼ିଓ ଭାଇରାଲ ଘଟଣାରେ ଉଚ୍ଚଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଛି । ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସମେତ ଏକ ଟିମ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସମ୍ପର୍କରେ କିଛି ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିବା ସହିତ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସହ ଏନେଇ ଅଧିକ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ଏଭଳି ଘଟଣାର ପୁନଃରାବୃତ୍ତି ନ ହୁଏ ସେ ନେଇ ଆଣ୍ଟି ରାଗିଂ ସେଲ୍ ଓ କଲେଜ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଛନ୍ତି ଆଞ୍ଚଳିକ ନିର୍ଦ୍ଦେଶକ । ସେପଟେ କଲେଜ କର୍ତ୍ତୃପକ୍ଷ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ଟିସି ପ୍ରଦାନ କରିଥିବା ବେଳେ ଅନେକ ଅଭିଭାବକ ଆଜି କଲେଜକୁ ଆସି ସେମାନଙ୍କର ପିଲାମାନେ ଭୁଲବଶତଃ ରାଗିଂ କରିଥିବା କହିବା ସହ ସେମାନଙ୍କୁ କ୍ଷମା ଦେବାକୁ ଅନୁରୋଧ କରିଛନ୍ତି।
ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ରାଗିଂ ଘଟଣାର ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ସହ ବିଭାଗର ଏକ ଟିମ ବିନାୟକ ମହାବିଦ୍ୟାଳୟ ପରିଦର୍ଶନ କରି ମହାବିଦ୍ୟାଳୟର ଅଧ୍ୟକ୍ଷା ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି।ଘଟଣାକୁ ନିନ୍ଦା କରିବା ସହ ଆଗାମୀ ଦିନରେ ଏଭଳି ଘଟଣାର ଯେମିତି ପୁନଃରାବୃତ୍ତି ନ ହୁଏ ସେ ନେଇ କଲେଜ କର୍ତ୍ତୃପକ୍ଷ, ଆଣ୍ଟି ରାଗିଂ ସେଲକୁ କଡା ତାଗିଦ୍ କରିଛନ୍ତି।ସେପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାହାକ ସମେତ ଭିଡିଓରେ ଥିବା ଅନ୍ୟମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଟିସି ଦେଇ କଲେଜରୁ ବହିସ୍କାର କରାଯାଇଥିବା ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷା।
ସେପଟେ ଗତକାଲି ପୋଲିସ ତିନି ଅଭିଯୁକ୍ତ ଛାତ୍ରଙ୍କୁ କୋର୍ଟ ଚାଲଣ କରିଥିବା ବେଳେ ଦୁଇ ଛାତ୍ରଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦେଇଛି।ସମସ୍ତ ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ଟିସି ଦେବା ପରେ ଅନେକ ଅଭିଭାବକ ମହାବିଦ୍ୟାଳୟକୁ ଆସି ପିଲା ମାନେ ରାଗିଂ କରିନଥିବା ବେଳେ ଭୟରେ ରାଗିଂ ଦେଖୁଥିବା କହିଛନ୍ତି। ତେଣୁ ସେମାନଙ୍କୁ କ୍ଷମା କରାଯାଉ ବୋଲି ନିବେଦନ କରିଛନ୍ତି ଅଭିଭାବକ ।
ରାଗିଂ ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବ୍ରହ୍ମପୁର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଦାବି ପତ୍ର କଲେଜର ଅଧ୍ୟକ୍ଷାଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟପଟେ ବିଜେପି ଯୁବମୋର୍ଚ୍ଚାର ଏକ ଟିମ୍ କଲେଜକୁ ଯାଇ ୫ଟି ଦାବିକୁ ନେଇ ଏକ ଦାବିପତ୍ର କଲେଜ ଅଧ୍ୟକ୍ଷାକୁ ପ୍ରଦାନ କରିଥିଲେ ।
ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now