ଭୁବନେଶ୍ବର: ଚାଷୀଙ୍କୁ ରାଜ୍ୟ ସରକାର ଅବହେଳା କରୁଥିବା ପ୍ରତିବାଦରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସତ୍ୟାଗ୍ରହ ଆରମ୍ଭ କଲା ବିଜେପି । ରାଜ୍ୟର ସିଂହଭାଗ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ତାଙ୍କ ଉପରେ ଅନ୍ୟାୟକୁ ବିଜେପି ସହ୍ୟ କରିବ ନାହିଁ ବୋଲି ଦଳ କହିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବାରମ୍ୱାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖୁଥିଲା ବେଳେ ରାଜ୍ୟ ବିଜେପି କେଉଁଠି ଥିଲା ବୋଲି ବିଜେଡ଼ି ପ୍ରଶ୍ନ କରିଛି। ଏପଟେ ବିଜେଡ଼ି ଓ ବିଜେପି ଚାଷୀଙ୍କୁ ମୋହରା କରି ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି କଂଗ୍ରେସ ।
ଚାଷୀଙ୍କ ପାଇଁ ବିଜେପିର ସତ୍ୟାଗ୍ରହକୁ ଭେଳିକି କହିଲା ବିଜେଡ଼ି । କଂଗ୍ରେସର ଆରୋପ ବିଜେପି ଓ ବିଜେଡି କୃଷକ ବିରୋଧି । ପଦ୍ମପୁର ଉପନିର୍ବାଚନରେ ଚାଷୀ ସମସ୍ୟାକୁ ନେଇ ବୈତରଣୀ ପାର କରିବାକୁ ସବୁ ଦଳର ପ୍ରସ୍ତୁତି । ସେଥିପାଇଁ ପଦ୍ମପୁରରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ଏବେ ରାଜଧାନୀ ଯାଏଁ ବ୍ୟାପିଲାଣି । ଆଉ ଏହାର ଫାଇଦା ନେବାକୁ ଆଗେଇ ଆସିଛି ବିଜେପି । ଶୁକ୍ରବାରଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲୋୟର ପିଏମଜିରେ ଆନ୍ଦୋଳନ ଆରମ୍ଭ କଲା ଦଳ। ଓଡିଶାରେ ସଂଖ୍ୟା ଦୃଷ୍ଟିରୁ ଏବଂ ବୃତ୍ତି ଦୃଷ୍ଟିରୁ ସବୁଠୁ ବଡ଼ ବର୍ଗ ହେଉଛନ୍ତି ଚାଷୀ । ହେଲେ ସେମାନେ ଅଧିକ ଅବହେଳିତ । ଏମିତି କି ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ରାଜ୍ୟ ସରକାର ଅଟକାଇ ରଖିଥିଲା । କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠିରୁ ଏହା ଧରାପଡ଼ିଛି। ତେଣୁ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ବିଜେପି ଆନ୍ଦୋଳନ କରିବ ଏବଂ ଚାଷୀଙ୍କୁ ତାଙ୍କ ହକ ନ ମିଳିବା ଯାଏଁ ଧାରଣାରୁ ଉଠିବ ନାହିଁ ବୋଲି ଦଳ କହିଛି ।
ସେପଟେ ହଠାତ ବିଜେପିର ଚାଷୀଙ୍କ ପାଇଁ ଏଭଳି ଦରଦ ସମସ୍ତଙ୍କୁ ଚକିତ କରିଛି ବୋଲି ବିଜେଡ଼ି କହିଛି । ଏହାସହ ମୁଖ୍ୟମନ୍ତ୍ରୀ ବାରମ୍ୱାର କେନ୍ଦ୍ର ସରକାରଙ୍କୁ ବୀମା ଓ ସବସିଡି ପାଇଁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର ଚୁପ ଥିବା ସମୟରେ ରାଜ୍ୟ ବିଜେପି କୁଆଡେ ଯାଇଥିଲା ବୋଲି ପ୍ରଶ୍ନ କରିଛି । ଅନୁରୂପ ଭାବରେ କଂଗ୍ରେସ ମଧ୍ୟ ଉଭୟ ବିଜେଡ଼ି ବିଜେପିକୁ କଡ଼ ସମାଲୋଚନା କରିଛି । ଭୋଟ ବେଳେ ଉଭୟ ଦଳଙ୍କୁ ଚାଷୀଙ୍କ କଥା ମନେ ପଡେ କି ବୋଲି ପ୍ରଶ୍ନ କରିଛି ।
ତେବେ କେବଳ ବିଜେପି ନୁହେଁ ବିଭିନ୍ନ ସମୟରେ ବିଭିନ୍ନ ଦଳ ଚାଷୀ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥାନ୍ତି । ହେଲେ ଭୋଟ ରାଜନୀତିର ସ୍ୱାର୍ଥ ପୂରଣ ପରେ, ‘କି ଚାଷ ଓ ଚାଷି କିଏ’ ନ୍ୟାୟରେ ସମସ୍ତେ ଭୁଲି ଯାଆନ୍ତି । ଆଗକୁ ପଦ୍ମପୁର ଉପନିର୍ବାଚନ ଥିବାରୁ ସିଂହଭାଗ ଭୋଟରଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଏ କୁମ୍ଭୀର କାନ୍ଦଣା ଚାଲିଥିବା ଚର୍ଚ୍ଚା ହେଉଛି ।
ନବ କିଶୋର ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now