ଘରୋଇ ଇଥାନଲ ପ୍ଲାଣ୍ଟକୁ ଗ୍ରାମବାସୀଙ୍କ ବିରୋଧ ।

Spread the love

ବରଗଡ: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ମନୋହରପାଲି ଗାଁରେ ନିର୍ମାଣାଧୀନ ଘରୋଇ ଇଥାନଲ ପ୍ଲାଣ୍ଟକୁ ବିରୋଧ। ଗ୍ରାମବାସୀଙ୍କ ଅସହମତି ସତ୍ତ୍ୱେ ଏହି ପ୍ଲାଣ୍ଟ ନିର୍ମାଣ ପାଇଁ କିଏ ଅନୁମତି ଦେଲା ତାକୁ ନେଇ  ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଏନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାପାଳଙ୍କୁ ଆପଷ ବୁଝାମଣା ସହ ଏହାର ସମାଧାନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳ ଗ୍ରାମବାସୀଙ୍କ ସହ ଆଲୋଚନା କରି ଏହାର ତଦନ୍ତ ଆରମ୍ଭ କରିଛନ୍ତି।

ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର୍ ପଞ୍ଚାୟତର ମନୋହର ପାଲି ଗାଁରେ ଦୀର୍ଘ ଦୁଇବର୍ଷ ହେବ ଏକ ଘରୋଇ ସଂସ୍ଥା ୧୪ ଏକର ୮୫ ଡିସିମିଲ ଜାଗାରେ ଏକ ଇଥନାଲ ପ୍ଲାଣ୍ଟ ନିର୍ମାଣ ଚଳାଇଛି। ଗାଁ ଠାରୁ ମାତ୍ର ୧୦୦ ମିଟର ଓ ସ୍କୁଲ ଠାରୁ ମାତ୍ର ୩୦ ମିଟର ଦୂରରେ ପ୍ଲାଣ୍ଟ ନିର୍ମାଣ ହେଉଥିଲେ ମଧ୍ୟ ଏନେଇ ଗ୍ରାମବାସୀଙ୍କୁ ଅବଗତ କରାଯାଇ ନାହିଁ କିମ୍ବା ଜନଶୁଣାଣି କି ଆପତ୍ତି ଅଭିଯୋଗ କରିବାକୁ ସୁଯୋଗ ଦିଆଯାଇନଥିଲା । ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଆଖ ପାଖ ଜମି ଦୂଷିତ ହେବା ସହ ଉତ୍ତାପ ବୃଦ୍ଧି ହେବାର ଆଶଙ୍କା ରହିଛି । ଏନେଇ ବାରମ୍ବାର ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଉଥିବାରୁ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ। ଏନେଇ ବରଗଡ଼ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ସହ ଆଲୋଚନା କରିବାକୁ କୋର୍ଟର ନିର୍ଦ୍ଦେଶ ପରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଆଜି ପ୍ଲାଣ୍ଟ ଅଧିକାରୀ ଓ ଗ୍ରାମବାସୀଙ୍କୁ ଡାକିଥିବା ବେଳେ ଗ୍ରାମବାସୀଙ୍କ ଆସିବାକୁ ବିଳମ୍ବ ହେବା ଯୋଗୁ କମ୍ପାନୀ କର୍ତ୍ତୃପକ୍ଷ ଚାଲିଯାଇଥିଲେ । ତେବେ ଜିଲ୍ଲାପାଳ ଗ୍ରାମବାସୀଙ୍କ ସହ ଆଲୋଚନା କଲାପରେ ନିଜେ ପ୍ଲାଣ୍ଟ ଅଞ୍ଚଳ ପରିଦର୍ଶନ କରି ଏହାଦ୍ବାରା କେତେ ପ୍ରଦୂଷିତ ହେବ ଏବଂ ଗ୍ରାମବାସୀଙ୍କ କେତେ କ୍ଷତି ହେବ ସେନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ସହ ଆଲୋଚନା ହେବ ଏବଂ ଗ୍ରାମବାସୀଙ୍କ କୌଣସି କ୍ଷତି ହେଉଥିଲେ ପ୍ଲାଣ୍ଟକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି।

ତେବେ ଇଥାନଲ ପ୍ଲାଣ୍ଟକୁ ନେଇ ବିରୋଧ ବଢ଼ିଚାଲି ଥିବା ବେଳେ ଏହା କେଉଁ ଦିଗକୁ ଗତି କରିବ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *