ରାଜ୍ୟ କଂଗ୍ରେସରେ ଏ କଣ ଚାଲିଛି?

Spread the love

() ବାଁ ହାତ କଅଣ କରୁଛି, ଡାହାଣ ହାତ ଜାଣିପାରୁନି। ଏଭଳି ଅବସ୍ଥା ଏବେ ହାତରେ। କହିବାକୁ ଗଲେ ରାଜ୍ୟ କଂଗ୍ରେସରେ। କେତେବେଳେ କାହା ଉପରେ ଆକ୍ସନ ହେଲାଣି। କାହା ଉପରୁ ନିଲମ୍ୱନ ଉଠିଲାଣି। ସେ ଦଳରେ ଅଛି କି ନା। ଦଳୀୟ ପଦପଦବୀରେ ଅଛି କି ନା। ନଥାଇ କିଛି ଦୁରୁପଯୋଗ ହେଉଛି କି, ଏହାର ଧାର ଜାଣୁନାହାନ୍ତି ନେତା। କିଛି ଏମିତି ସଙ୍ଗୀନ କଥାର ନଜିର ଆସିଛି ଏବେ କଂଗ୍ରେସ କ୍ୟାମ୍ପରୁ।

ନଭେମ୍ୱର ୬, ୨୦୨୧। ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ଦଳରୁ ୬ ବର୍ଷ ଲାଗି ନିଲମ୍ୱିତ ହେଲେ ପ୍ରଦୀପ୍ତ ଦାସ। କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ଦସ୍ତଖତରେ ଏହି ପ୍ରେସରିଲିଜ୍ ଜାରି ହୋଇଥିଲା। ସେତେବେଳେ ପିସିସି ସଭାପତି ଥାଆନ୍ତି ନିରଞ୍ଜନ ପଟ୍ଟନାୟକ।

ଅଗଷ୍ଟ ୩୦, ୨୦୨୨। ୧୦ ମାସ ପରେ ସେହି ପ୍ରଦୀପ୍ତ ଦାସ ଏବେ ଓପିସିସିର କ୍ୟାସିଅର ପଦବୀରେ। ଏହି ପଦବୀରେ ଅଛନ୍ତି କହି ଏବେ ଓଡ଼ିଶା ଭବନ ବୁକ୍ କରିଛନ୍ତି। ଗୃହ ବିଭାଗ ଏହାକୁ ମଞ୍ଜୁରୀ ବି ଦେଇଛି। ଏ ସବୁ ଠିକ୍ । ହେଲେ ପ୍ରଦୀପ୍ତ କେବେଠୁ ପିସିସିର କ୍ୟାସିଅର ହେଲେ। ସଭାପତି ଶରତ ପଟ୍ଟନାୟକ ତ କମିଟି ହିଁ ଗଢ଼ିନାହାନ୍ତି। ନିରଞ୍ଜନଙ୍କ ପିରିୟଡ଼ କଥା ଯଦି ଦେଖିବା, ପିସିସିର କୋଷାଧ୍ୟକ୍ଷ ତ କିଶୋର ପଟେଲ।

ତେବେ ପ୍ରଦୀପ୍ତଙ୍କୁ କେବେ ଓ କିଏ ଏହି ପଦବୀ ଦେଲା। ଓଡ଼ିଶା ଭବନରେ ପ୍ରଦୀପ୍ତ କେବଳ ନାହାନ୍ତି। ସେପ୍ଟେମ୍ୱର ୨ରୁ ୪ ଯାଏ ରୁମ୍ ବୁକ୍ କରିଥିବା ନେତାଙ୍କ ଭିତରେ ନିଜେ ଅଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ଅନନ୍ତ ସେଠୀ, ଦେବାଶିଷ ପଟ୍ଟନାୟକ, ଚିରଞ୍ଜିବୀ ବିଶ୍ୱାଳ, ଭୂଜବଳ ମାଝୀ, ନିମାଇଁ ସରକାରଙ୍କ ଭଳି ଅନେକ ତୁଙ୍ଗ ନେତା। ତେବେ ପ୍ରଦୀପ୍ତଙ୍କ ଉପରୁ ନିଲମ୍ୱନ ପ୍ରତ୍ୟାହାର ହୋଇନି। ସେ ଯଦି ଏମିତି ଅଫିସର ଟ୍ରେଜରର କହି ରୁମ୍ ବୁକ୍ କରିଥିବେ ଓ ଗୃହ ବିଭାଗକୁ ଅନ୍ଧାରରେ ରଖିଥିବେ, ତେବେ ଏହା ଅପରାଧିକ କାର୍ଯ୍ୟକଳାପ ବୋଲି କହିଛନ୍ତି ମାନସ ଚୌଧୁରୀ।

ଅବଶ୍ୟ ନିଲମ୍ୱନ ପ୍ରତ୍ୟାହାର ଉପରେ ବିଚାରବିମର୍ଶ ଚାଲିଥିବା କହିଛନ୍ତି ମାନସ। ବରିଷ୍ଠ ନେତା ଦେବାଶୀଷ ପଟ୍ଟନାୟକଙ୍କ ମତରେ, କେହି ଯଦି ଅଫିସିଆଲ ଲେଟର ପ୍ୟାଡର ଦୁରୁପଯୋଗ କରୁଥାଏ, ତେବେ ସାଙ୍ଘାତିକ ବ୍ୟାପାର। ଅଧିକୃତ ପିସିସି କାର୍ଯ୍ୟାଳୟର ଅଧିକୃତ ଅଧିକାରୀ କେବଳ ଏହା ଉପରେ ସ୍ପଷ୍ଟୀକରଣ ଦେଇପାରିବେ। ଗୃହ ବିଭାଗ ବି ସଂପୃକ୍ତ ବ୍ୟକ୍ତି ଉପରେ ଆକ୍ସନ ନେଇପାରିବ।

ସେପଟେ ଦିଲ୍ଲୀର ଓଡ଼ିଶା ଭବନରେ ଥିବା ପିସିସି ସଭାପତିଙ୍କୁ ଏ କଥା ପଚାରିବାରୁ ସେ ଚିହିଁକି ଉଠିଥିଲେ। ଏ ଯାଏ ସେ ତାଙ୍କ ଟିମ୍ ଗଢ଼ିନାହାନ୍ତି। କିଏ ଜାଲି ଦସ୍ତାବିଜ୍ ଓ ଦଳର ଲେଟର ପ୍ୟାଡ୍ ବ୍ୟବହାର କରି କିଛି ଏମିତି କାରସାଦି କରୁଥିଲେ, ସେ କଅଣ କରିବେ। ସେପଟେ ପ୍ରଦୀପ୍ତଙ୍କୁ ବାରମ୍ୱାର ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଫୋନ୍ ଉଠାଇନଥିଲେ। ଆମେ ପିସିସି କାର୍ଯ୍ୟାଳୟର ଅଫିସ ସେକ୍ରେଟାରୀଙ୍କୁ ଏ ନେଇ ସ୍ପଷ୍ଟୀକରଣ ମାଗିଥିଲୁ। ଆଉ ସେ ସ୍ପଷ୍ଟ କରିଦେଇଛନ୍ତି କି, ଏ ଯାଏ ପ୍ରଦୀପ୍ତଙ୍କ ଉପରେ ନିଲମ୍ୱନ ବଳବତ୍ତର ରହିଛି। ସେ ପିସିସିର କୌଣସି ପଦପଦବୀରେ ନାହାନ୍ତି।

ଦଳରୁ ଜଣେ ନିଲମ୍ୱିତ ସଦସ୍ୟ ଦଳର କୋଷାଧ୍ୟକ୍ଷ ପଦରେ ଥିବା କହି ଗୃହ ବିଭାଗରୁ ଅନୁମତି ପାଇବା, ଓଡ଼ିଶା ଭବନରେ ରହିବାର ସୁବିଧା ସୁଯୋଗ ହାସଲ କରିବାକୁ ଭିନ୍ନ ଚକ୍ଷୁରେ ଦେଖାଯାଉଛି। ଦଳ ଏହା ଉପରେ କି ଆକ୍ସନ ନେଉଛି। ଗୃହ ବିଭାଗକୁ ଦଳର ନାଁରେ ଏଭଳି ମିଛ ସୂଚନା ଦେଇଥିବା ବ୍ୟକ୍ତି ବାବଦରେ ପିସିସି ଗୃହ ବିଭାଗକୁ ଜଣାଇବ ନା ଚୁପ୍ ବସିବ, ତା ଉପରେ ସମସ୍ତଙ୍କ ନଜର।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *