ଜଳେଶ୍ୱରରୁ: ଡଗରା ବେଳାଭୂମିର ସୌନ୍ଦର୍ଯ୍ୟର ଆକର୍ଷଣ ଅତିବ ନିଆରା । ବିସ୍ତୀର୍ଣ୍ଣ ସବୁଜ ଝାଉଁ ଜଙ୍ଗଲ ଶୋଭା ସହିତ ଲାଲ କଙ୍କଡାର ଲୁଚକାଲି ଖେଳ ଏବଂ ସୁବିସ୍ତିର୍ଣ୍ଣ ସମୁଦ୍ର ବେଳାଭୂମିର ରମଣୀୟ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏଠାକୁ ବର୍ଷକ ଯାକ ପର୍ଯ୍ୟଟକମାନଙ୍କର ସୁଅ ଛୁଟିଥାଏ । ସେପଟେ ବେଳାଭୂମିର ବିକାଶ ଠପ ଥିବାରୁ ପର୍ଯ୍ୟଟକ ଏବେ ମୁହଁ ଫେରାଉଛନ୍ତି।
ଓଡିଶାର ସୀମାନ୍ତ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ମାଟିକୁ ଧରଣୀ ରାଣୀ ଦେଇଛି ଅପରୂପ ସୌନ୍ଦର୍ଯ୍ୟ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଡଗରା ବେଳାଭୂମି । ବିସ୍ତୀର୍ଣ୍ଣ ସବୁଜ ଝାଉଁ ଜଙ୍ଗଲ ବେଳାଭୂମିର ସୌନ୍ଦର୍ଯ୍ୟକୁ ଆହୁରୀ ଶତମୁଖ କରିଥାଏ । ଉଦିତମାନ ସୂର୍ଯ୍ୟ ଓ ଅସ୍ତଗାମୀ ସୂର୍ଯ୍ୟର ଆକର୍ଷଣୀୟ ସୌନ୍ଦର୍ଯ୍ୟ ସହିତ ବେଳାଭୂମିରେ ଥିବା ଲାଲି ଟୁକୁଟୁକୁ ସାଧବ ବୋହୁ ପରି ଲାଲି କଙ୍କଡ଼ାର ଲୁଚକାଳି ଖେଳର ଦୃଶ୍ୟ ଅତ୍ୟନ୍ତ ମନୋରମ । ବେଳାଭୂମିର ବିସ୍ତୀର୍ଣ୍ଣ ସମତଳ ଭୂମି ହୋଇ ଥିବାରୁ ପର୍ଯ୍ୟଟକ ମାନଙ୍କୁ ଅଧିକ ଆକର୍ଷଣ କରିଥାଏ । ହେଲେ ଏବେ ବେଳାଭୂମିର ବିକାଶ ସହିତ ଯାତାୟାତ ପାଇଁ ଭଲ ରାସ୍ତା ,ଯାତ୍ରୀ ମାନଙ୍କ ରହଣି .ପିଇବା ପାଣିର ସୁବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକ ମାନେ ନାହିଁ ନ ଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଯେଉଁଥିପାଇଁ ଡଗରାରୁ ମୁହଁ ଫେରାଇ ନେଉଛନ୍ତି ପର୍ଯ୍ୟଟକ ।
ଡଗରା ବେଳାଭୂମିଟି ଓଡିଶାର ସୀମାନ୍ତରେ ରହିଥିବାରୁ ସମଗ୍ର ଓଡିଶା ସମେତ ପଡୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରରାଜ୍ୟରୁ ପର୍ଯ୍ୟଟକମାନେ ଏଠାକୁ ଛୁଟି ଆସିଥାନ୍ତି । ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବେଳାଭୂମିରେ ୧କୋଟି ୬୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଟୁରିଷ୍ଟ କରିଡର ଓ ପାନ୍ଥ ନିବାସର ଉଦଘାଟନ କରିଥିଲେ । ହେଲେ ୬ ବର୍ଷ ବିତିଯାଇଥିଲେ ବି ଏଯାଏଁ ଏହାର ସୌନ୍ଦର୍ଯ୍ୟକରଣ ହୋଇପାରିନି କି ପର୍ଯ୍ୟଟନସ୍ଥଳୀର ମାନ୍ୟତା ମଧ୍ୟ ପାଇ ପାରିନି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ରାଜପଥ ଅବରୋଧ କରିବାର ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ କ୍ୟାମେରା ସାମ୍ନାରେ ମୁହଁ ଖୋଲିନାହାଁନ୍ତି ପ୍ରଶାସନିକ ଅଧିକାରୀ।
ଓଡିଶାର ଅନ୍ୟ ସମସ୍ତ ବେଳାଭୂମି ଭଳି ଏହି ବେଳାଭୂମିର ବିକାଶ ଏବଂ ଉନ୍ନତି ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଗଲେ ଏହା ଏହି ବେଳାଭୂମି ବିଶ୍ୱ ପର୍ଯ୍ୟଟକ ମାନଚିତ୍ରରେ ସ୍ଥାନ ପାଇବା ସହିତ ଆହୁରି ଅଧିକ ପର୍ଯ୍ୟଟକମାନେ ଏଠାକୁ ଆସିପାରନ୍ତେ।
ପ୍ରଦୀପ କୁମାର ଜେନା
Naxatra News is now on Whatsapp
Join and get latest news update delivered to you via whatsapp
Join Now