ଓଡ଼ିଶା

କିଏ ପ୍ରଶଂସା ଗୋଟାଇନେଲା ତ କିଏ ହେଲେ  ଅପଦସ୍ଥ

() କି ଓ୍ୱେଲକମ୍। ଏମିତି ଦେଖିନଥିବେ କେବେ ଆପଣ। କିଏ ପ୍ରଶଂସା ଗୋଟାଇନେଲା ତ କିଏ ପୁଣି ସର୍ବସମ୍ମୁଖରେ ଅପଦସ୍ଥ ହେଲା। ଆମେ କହୁଛୁ, ବିକ୍ରମଦେବ କଲେଜ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ଓ ପ୍ଲାଟିନମ ଜୁବୁଲି ଉତ୍ସବରେ କିଭଳି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଅବସରରେ ବାହିନୀପତିଙ୍କ ସ୍ୱାଗତ ଷ୍ଟାଇଲ ଆଉ ପୂର୍ବତନ ବିଧାୟକ ରବି ନନ୍ଦଙ୍କୁ ମଞ୍ଚ ମନା ଭଳି ଅଭାବନୀୟ ଦୃଶ୍ୟର ମୂକସାକ୍ଷୀ ରହିଗଲା ଆଜିର ଦିନ।

ବିକ୍ରମଦେବ କଲେଜ ବିଶ୍ୱବିଦ୍ୟାଳୟ ହେଲା। ଏ ସମ୍ପର୍କିତ ଫାଇଲରେ ମୁଖ୍ୟମନ୍ତ୍ରୀ ଦସ୍ତଖତ କଲେ ଗୁରୁବାର। ଜୟ ଜଗନ୍ନାଥ କହିଥିଲେ ନବୀନ। ଆଉ ଶୁକ୍ରବାର ଜୟପୁର ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ଆଉ କଲେଜର ପ୍ଲାଟିନମ ଜୁବୁଲିର ଠିକ୍ ଦିନକ ଆଗରୁ କଲେଜକୁ ଏତେ ବଡ଼ ଉପହାର ଦେଇଥିବା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଉତ୍ସବ ଥିଲା ସବୁଠୁ ନିଆରା। ଏମିତିରେ ଉଦଘୋଷକ ଜୟପୁର ଆକାଶରେ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଦେଖି ସ୍ୱାଗତ ନାରାରେ ମିଳିତ ସ୍ୱରକୁ ଶାଣିତ କରିବାକୁ ଅପିଲ୍ କରୁଥିଲେ। ମୋବାଇଲର ଟର୍ଚ୍ଚ ଦେଖାଇ ଓ୍ୱେଲକମ କରିବାକୁ କହିଥିଲେ। ଆଉ ଛାତ୍ରଛାତ୍ରୀ ବି ବେଶ୍ ଖୁସି ଜାହିର କରିଥିଲେ।

ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ, ମୁଖ୍ୟମନ୍ତ୍ରୀ ଓ୍ୱେଲକମ, ଲଙ୍ଗ୍‌ ଲିଭ୍ ସିଏମ ନାରାରେ କମ୍ପୁଥିଲା ପୁରା ବିଶ୍ୱବିଦ୍ୟାଳୟ ପରିବେଶ। ହେଲେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରକୁ ପ୍ରବେଶ ମାତ୍ରେ ଦୁଇଟି ଅଭାବନୀୟ ଦୃଶ୍ୟ ସମସ୍ତଙ୍କ ନଜରରୁ ବାଦ୍ ପଡ଼ିନଥିଲା। ଜୟପୁରର ପୂର୍ବତନ ବିଧାୟକ ରବି ନନ୍ଦ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚ ଉପରକୁ ଯିବାକୁ ଚାହିଁଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପିଏସଓ ତାଙ୍କୁ ବାରଣ କରିଥିଲେ। ତଥାପି ରବି ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଆଜ୍ଞାଧୀନ ଛାତ୍ର ଭାବେ ଛିଡ଼ା ହୋଇଥିଲେ। ଅଳ୍ପ ସମୟ ବି ଛିଡ଼ା ହୋଇନାହାନ୍ତି। ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ମଞ୍ଚ ଉପରୁ ତଳକୁ ଓହ୍ଲାଇ ଦେଇଥିଲେ। ଏ ତ ଗଲା ଗୋଟିଏ ପାର୍ଟ।

ଆଗ କୋଟପାଡ଼ ଏସଏଚଜିର ଡାଳିମ୍ୱ ଓ ମୁକ୍ତା ତନ୍ତିଙ୍କ ହାତରୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ ହେବା ପରେ ଟେରାକୋଟା ଉପହାର ଦେଇଥିଲେ କିଛି ମହିଳା ଏସଏଚଜି। ସେପଟେ ଦେଖନ୍ତୁ ବିକ୍ରମଦେବ କଲେଜକୁ ଏତେ ବଡ଼ ଉପହାର ଦେଇଥିବା ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କୁ ପ୍ରଶଂସା କରିବାର ପ୍ରତିଯୋଗିତା କେମିତି ଲାଗିଥିଲା ମଞ୍ଚାସୀନ ନେତାଙ୍କ ଭିତରେ। କୋରାପୁଟ ବିଧାୟକ ରଘୁରାମ ପୋଡ଼ାଲ ଅବଶ୍ୟ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କୁ ପ୍ରଶଂସା କଲାବେଳେ ତାଳିମାଡ଼ ହୋଇଥିଲା। ଫାଇଭ -ଟି ସଚିବ ବି କୃତଜ୍ଞତା ଜ୍ଞାପନ କରିବାକୁ ପଛାଇନଥିଲେ।

କିନ୍ତୁ ଯେତେବେଳେ ବାହିନୀପତି ଆସି ନିଜର ନନାକେ ନାରାରୁ ଆରମ୍ଭ କଲେ ସ୍ୱାଗତ ଭାଷଣ, ସେତେବେଳେ ପରିବେଶ ଦେଖିଲା ଭଳି ଥିଲା। ଜୟ ଜଗନ୍ନାଥ ଓ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ନାରା ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ତାଙ୍କ ସହ ତାଳ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଭରପୁର ସ୍ୱାଗତ କରିବାକୁ ଅପିଲ୍ କରିଥିଲେ। ବାହିନୀପତି ଯେଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ, ଫାଇଭ-ଟି ସଚିବ ପାଣ୍ଡିଆନ୍, ବିଜେଡି ସଂଗଠନ ସମ୍ପାଦକଙ୍କୁ ଆମର ସଂଗଠନ ସମ୍ପାଦକ କହି ଭୁରି ଭୂରି ପ୍ରଶଂସା କଲେ, ତାହା ଅନେକ କଥା ଭାବିବାକୁ ବାଧ୍ୟ କରୁଥିଲା ଯେମିତି। ଆଉ ଆପଣ ମାନେ ଖୁସି ତ ଡାଇଲଗରେ ସମସ୍ତଙ୍କ ମନେ ମୋହିନେଇଥିଲେ ମୁଖ୍ୟମନ୍ତ୍ରୀ।

ଏମିତିରେ ବିକାଶରେ ରାଜନୀତି ଶୋଭାପାଏନା ବୋଲି ବାହିନୀପତିଙ୍କ ମନ୍ତବ୍ୟ ଓ ଆଜି ଯେଉଁ ଶୈଳୀରେ ସବୁ ବାଡ଼ ବନ୍ଧନ ଭୁଲିଯାଇ ପ୍ରଶଂସା କରୁଥିଲେ, ତାହା ବି ସକରାତ୍ମକ ବାର୍ତ୍ତା ଦେଇଥିଲା। ହେଲେ ସେପଟେ ଆମେ କୋରାପୁଟିଆ ନା କାହାକୁ ଠକିଛୁ, ନା କାହାକୁ ବେଇମାନି କରିବା ଶିଖିଛୁ ବୋଲି କହିବା ସହ କୋରାପୁଟିଆ ମାଟିର ମହକ ଓ ମର୍ଯ୍ୟାଦା ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ବାହିନୀପତି। ସତରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ମଞ୍ଚ ମୁଖ୍ୟମନ୍ତ୍ରୀଙ୍କୁ ଯେଭଳି ଗ୍ରାଣ୍ଡ୍ ଓ୍ୱେଲକମ କଲା, ଆଉ ଅନେକ କଥାର ମୂକସାକ୍ଷୀ ସାଜିଲା। ନା ଆଗରୁ କେବେ କିଏ ଦେଖିଛି ନା ଦେଖିଥିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button